କେନ୍ଦ୍ରକୁ ସୁପ୍ରିମ କୋର୍ଟଙ୍କ ପ୍ରଶ୍ନ : ଟ୍ରିବ୍ୟୁନାଲ କରିବ କି ନାହିଁ?

ମହାନଦୀ ବିବାଦ

କେନ୍ଦ୍ର ଉପରେ ଅସନ୍ତୋଷ ଝାଡ଼ିଲେ ସୁପ୍ରିମ କୋର୍ଟ
ଉତ୍ତର ନ ମିଳିଲେ, ମେରିଟ୍‌ ଭିତ୍ତିରେ ଆଗେଇବ ମାମଲା

ନୂଆଦିଲ୍ଲୀ : ମହାନଦୀ ଜଳବିବାଦ ମାମଲାରେ ଟ୍ରିବ୍ୟୁନାଲ ଗଠନ ନେଇ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ସେମାନଙ୍କୁ ମହଙ୍ଗା ପଡିଛି। ଆଜି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ବେଳେ ଖଣ୍ଡପୀଠ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ କୋର୍ଟ କଣ ନିଷ୍ପତ୍ତି ନେବେ, ସେକଥା ନ ବିଚାର କରି ଟ୍ରିବ୍ୟୁନାଲ ଗଠନ କରିବ ନା ନାହିଁ, ସେ ନେଇ ସ୍ପଷ୍ଟ କରିବା ଲାଗି କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଅନ୍ୟଥା ମାମଲାର ମେରିଟ୍‌ ଭିତ୍ତିରେ କୋର୍ଟ ଆଗକୁ ଶୁଣାଣି କରିବେ ବୋଲି ରୋକ୍‌ଠୋକ୍‌ ଜଣାଇ ଦେଇଛନ୍ତି। ଏଥିସହିତ ବହୁ ଗୁରୁତ୍ୱପୂର୍ଣ୍ଣ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରି ତୃତୀୟ ସପ୍ତାହ ଅର୍ଥାତ୍‌ ୧୬ ତାରିଖରେ କରାଯିବ ବୋଲି ସ୍ଥିର ହୋଇଛି।

ଆଜି ବିଚାରପତି ଏସ୍‌.ଏ.ଭାବ୍‌ଦେ ଓ ବିଚାରପତି ଏଲ୍‌ ନାଗେଶ୍ୱର ରାଓଙ୍କ ଖଣ୍ଡପୀଠରେ ମହାନଦୀ ମାମଲାର ଶୁଣାଣି ହୋଇଥିଲା। ଶୁଣାଣି ସମୟରେ ଖଣ୍ଡପୀଠ ପଚାରିଥିଲେ ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋର୍ଟରେ ମହାନଦୀ ମାମଲାର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ତଥା ବିଜ୍ଞପ୍ତି ପ୍ରକାଶ କରାଯିବା ସଂକ୍ରାନ୍ତରେ ପୂର୍ବରୁ ମତ ରଖାଯାଇଥିଲା। ଏହା ପରେ ପ୍ରକ୍ରିୟା କାହିଁକି ତ୍ୱରାନ୍ଵିତ ହୋଇପାରିନାହିଁ? କେନ୍ଦ୍ର ସରକାରଙ୍କ ଓକିଲଙ୍କୁ ସୁପ୍ରିମକୋର୍ଟ ଶୁଣାଣି ସମୟରେ ଏଭଳି ବାରମ୍ବାର ପ୍ରଶ୍ନ କରିବା ସହିତ ଖୋଲାଖୋଲି ଭାବେ କେନ୍ଦ୍ରର ଆଭିମୁଖ୍ୟକୁ ନାପସନ୍ଦ କରିଥିଲେ।

ଖଣ୍ଡପୀଠଙ୍କ ପ୍ରଶ୍ନର କୌଣସି ପ୍ରକାର ସନ୍ତୋଷଜନକ ଉତ୍ତର କେନ୍ଦ୍ର ସରକାର ଦେଇପାରିନଥିଲେ। ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ଓକିଲ ଭି.ମୋହନାଙ୍କୁ ପ୍ରଶ୍ନ କରିଥିଲେ ଟ୍ରିବ୍ୟୁନାଲ ଗଠନ ପାଇଁ କିଛି ପୂର୍ବ ସର୍ତ୍ତ ରହିଛି କି? ଯଦି ଏଭଳି କିଛି ସର୍ତ୍ତ ରହିଛି ତାହାହେଲେ ସେ ସବୁ କେଉଁ ଆଧାରରେ ବା କେଉଁ ନିୟମର କେଉଁ ଧାରାରେ ରଖାଯାଉଛି, ସେ ନେଇ ଅବଗତ କରାଅ। ଏ ସଂକ୍ରାନ୍ତରେ ମଧ୍ୟ କେନ୍ଦ୍ର ସରକାରଙ୍କ ଓକିଲ ଖଣ୍ଡପୀଠଙ୍କ ନିକଟରେ ସିଧାସଳଖ କୌଣସି ଉତ୍ତର ନଦେଇ ବୁଝାମଣା ଜରିଆରେ ମାମଲାର ସମାଧାନ କରାଯିବା ପାଇଁ କେନ୍ଦ୍ର ତତ୍ପର ଅଛି ବୋଲି ଜଣାଇଥିଲେ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଆତ୍ମାରାମ ନାଦକର୍ଣ୍ଣୀ ଖଣ୍ଡପୀଠଙ୍କୁ କହିଥିଲେ, ମହାନଦୀ ବିବାଦର ସମାଧାନ ପାଇଁ ୧୯୮୩ର ମେମୋରାଣ୍ଡମ୍‌ ଅଫ୍‌ ଏଗ୍ରିମେଣ୍ଟ ଅନ୍ତର୍ଗତ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ମାଧ୍ୟମରେ ବ୍ୟବସ୍ଥା ରହିଛି। ମହାନଦୀ ଜଳ ବଣ୍ଟନ ସମସ୍ୟାକୁ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ସମାଧାନ କରାଯାଇପାରିବ। ଏଣୁ ବର୍ତ୍ତମାନ ଟ୍ରିବ୍ୟୁନାଲ ଗଠନର ଆବଶ୍ୟକତା ନାହିଁ। ସେ ଆହୁରି କହିଥିଲେ, କେନ୍ଦ୍ର ଦ୍ୱାରା ବୁଝାମଣା କମିଟି ଗଠନ କରାଯାଇ ମାମଲାକୁ ସମାଧାନ କରାଯିବାପାଇଁ ପ୍ରୟାସ କରାଯାଇଥିଲା।

ହେଲେ ଏଥିରେ ଓଡ଼ିଶା ଯୋଗଦେଇନଥିଲା।

କୋର୍ଟ ପାଲଟା ପ୍ରଶ୍ନ କରିଥିଲେ ଯେ ଯଦି ବୁଝାମଣା କମିଟିରେ ନିଷ୍ପତ୍ତି ବାହାରିପାରିଲା ନାହିଁ ତାହା ହେଲେ କେନ୍ଦ୍ର ସରକାର ଟ୍ରିବ୍ୟୁନାଲ ଗଠନ କଲେ ନାହିଁ କାହିଁକି ? କେନ୍ଦ୍ର ସରକାରଙ୍କ ନିକଟରେ ଟ୍ରିବ୍ୟୁନାଲ ଗଠନର କ୍ଷମତା ରହିଛି। ଏହାକୁ ପ୍ରତ୍ୟାହାର କରିନେଇଛନ୍ତି କି ? ହେଲେ ଏହାର ସିଧା ଉତ୍ତର ଦେବା ପରିବର୍ତ୍ତେ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ମାଧ୍ୟମରେ ମାମଲାର ସମାଧାନ କରାଯାଇପାରିବ ବୋଲି କେନ୍ଦ୍ରସରକାରଙ୍କ ପକ୍ଷରୁ ଗୁରୁତ୍ୱ ପ୍ରଦାନ କରାଯାଇଥିଲା।

ଅନ୍ୟପକ୍ଷରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଯୁକ୍ତି କରାଯାଇଥିଲା ଯେ ଜଳବିବାଦ ସଂପର୍କରେ ଖଣ୍ଡପୀଠଙ୍କ ନିକଟରେ ନଭେମ୍ବର୧୯ ସୁଦ୍ଧା ଟ୍ରିବ୍ୟୁନାଲ ଗଠନ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ କରାଯିବାକୁ ନେଇ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଥିଲେ। ହେଲେ ତାହାକୁ ପାଳନ କରାଯାଇନାହିଁ। ବୁଝାମଣା ପ୍ରକ୍ରିୟାରେ ମାମଲାର ସମାଧାନ ହୋଇପାରିନଥିବା ପରିପ୍ରେକ୍ଷୀରେ ବିବାଦର ସମାଧାନ ପାଇଁ ଶୀଘ୍ର ଟ୍ରିବ୍ୟୁନାଲ ଗଠନ କରାଯାଉ ବୋଲି ରାକେଶ ଦ୍ୱିବେଦୀ ଦୃଢଭାବେ ଓଡ଼ିଶାର ଦାବିକୁ ଉପସ୍ଥାପନ କରିଥିଲେ।

ଯୁକ୍ତି ରଖିବା ବେଳେ ରାକେଶ ଦ୍ୱିବେଦୀ ପୁଣି କହିଥିଲେ ସୁପ୍ରିମକୋର୍ଟ ନିଜ ଆଡୁ ଟ୍ରିବ୍ୟୁନାଲ ଗଠନ ପାଇଁ ଆଦେଶ ଦେଇପାରିବେ। କାବେରି ଜଳ ବିବାଦ ମାମଲାର ଦୃଷ୍ଟାନ୍ତ ଦେଇ ସେ କହିଥିଲେ, ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ହିଁ ଟ୍ରିବ୍ୟୁନାଲ ଗଠନ କରାଯାଇଥିଲା।

ଓଡ଼ିଶା ଆହୁରି ଯୁକ୍ତି ରଖିଥିଲା ଯେ ସଂସଦରେ ଗତ ଜୁଲାଇ ୩୧ ତାରିଖରେ ମହାନଦୀ ଜଳ ଆବଣ୍ଟନ ସଂପର୍କରେ ଏକ ପ୍ରଶ୍ନର ଉତ୍ତର ଦିଆଯାଇଥିଲା। ତତ୍କାଳୀନ ଜଳସଂପଦ ରାଷ୍ଟ୍ରମନ୍ତ୍ରୀ ସେଠାରେ କହିଥିଲେ, ମହାନଦୀ ବିବାଦ ବୁଝାମଣା ଜରିଆରେ ସମ୍ଭବ ନୁହେଁ। ଟ୍ରିବ୍ୟୁନାଲ ଗଠନ କରାଯିବ। ଏଥିଲାଗି କ୍ୟାବିନେଟ୍‌ ନୋଟ୍‌ ପ୍ରସ୍ତୁତ କରାଯାଇଥିବା ନେଇ ମଧ୍ୟ ଅବଗତ କରାଇଥିଲେ। ଏପରିସ୍ଥଳେ ବର୍ତ୍ତମାନ ଟ୍ରିବ୍ୟୁନାଲ ଗଠନକୁ କିଭଳି ଉପଯୁକ୍ତ ନୁହେଁ ବୋଲି କେନ୍ଦ୍ର ସରକାର କହୁଛନ୍ତି ବୋଲି ପ୍ରଶ୍ନ କରାଯାଇଥିଲା। ଏ ସଂପର୍କରେ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ଅତିରିକ୍ତ ସଲିସିଟର ଜେନେରାଲ ଆତ୍ମାରାମ ନାଦକର୍ଣ୍ଣୀଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ଓ ସଂସଦର ପ୍ରଶ୍ନୋତ୍ତରର ନକଲ କେନ୍ଦ୍ର ସରକାରଙ୍କୁ ଦେବାକୁ କହିଥିଲେ।

ଆଜିର ଶୁଣାଣି ସମୟରେ ଛତିଶଗଡ଼ ପକ୍ଷରୁ ମହାନଦୀ ଜଳବିବାଦର ସମାଧାନ ପାଇଁ ଓଡ଼ିଶା ଦ୍ୱାରା ଟ୍ରିବ୍ୟୁନାଲ ଗଠନର ଦାବିକୁ ଦୃଢ ବିରୋଧ କରାଯାଇଥିଲା। ବରିଷ୍ଠ ଆଇନଜୀବୀ ଅତୁଲ ଝା କହିଥିଲେ, ଛତିଶଗଡ଼ ଟ୍ରିବ୍ୟୁନାଲ ଗଠନକୁ ବିରୋଧ କରୁଛି। ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଗଠନ କରାଯାଇ ମାମଲାର ସମାଧାନ କରାଯାଇପାରିବ। ବର୍ତ୍ତମାନ ମହାନଦୀ ଜଳବିବାଦ ଏଭଳି ଏକ ସ୍ଥିତିରେ ପହଞ୍ଚିନାହିଁ, ଯେଉଁଥିରେ ଟ୍ରିବ୍ୟୁନାଲ ଗଠନ କରାଯିବାର ଆବଶ୍ୟକତା ରହିଛି। ଯଦି ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ମାମଲାର ସମାଧାନ ନ ହେଲା, ପରବର୍ତ୍ତୀ ସମୟରେ ଟ୍ରିବ୍ୟୁନାଲ ଗଠନ ପାଇଁ ଚିନ୍ତା କରାଯାଇପାରିବ।

ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ଓକିଲଙ୍କୁ କହିଥିଲେ, ଟ୍ରିବ୍ୟୁନାଲ ଗଠନ ସଂପର୍କରେ ଆସନ୍ତାମାସ ତୃତୀୟ ସପ୍ତାହ ସୁଦ୍ଧା ରିପୋର୍ଟ ପ୍ରଦାନ କରିବାକୁ ପଡିବ ତଥା ପଦକ୍ଷେପ ସଂପର୍କରେ ଅବଗତ କରାଇବାକୁ ପଡିବ। ଏହାପରେ ଖଣ୍ଡପୀଠ ମାମଲାର ମେରିଟ୍‌ ଆଧାରରେ ଏହି ମାମଲାର ଶୁଣାଣି କରି ନିଷ୍ପତ୍ତି ନେବେ। ଆଜି କୋର୍ଟଙ୍କ ନିଷ୍ପତ୍ତି ପରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ପୁଣି ଏକ ସତ୍ୟପାଠ ଦାଖଲ କରିବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର