ଟ୍ରିବ୍ୟୁନାଲରେ ମହାନଦୀ ଜଳବିବାଦ : କେନ୍ଦ୍ର ସରକାରଙ୍କୁ ନୋଟିସ୍, ୨୯କୁ ଶୁଣାଣି ଘୁଞ୍ଚିଲା

ନୂଆଦିଲ୍ଲୀ : ଓଡିଶା ଓ ଛତିଶଗଡ଼ ମଧ୍ୟରେ ଜାରି ରହିଥିବା ମହାନଦୀ ଜଳବିବାଦର ସମାଧାନ ପାଇଁ ଗଠିତ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଆଜି ଓଡ଼ିଶାର ଆବେଦନ ଉପରେ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ଆଜିର ୩୦ ମିନିଟ୍‌ ଶୁଣାଣି ପରେ ମାମଲାକୁ ଅଗଷ୍ଠ ୨୯ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଏହି ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଏ. ଏମ୍. ଖାନଓ୍ବିଲକରଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଭିଡିଓ କନ୍‌ଫେରେନ୍ସିଂ ଜରିଆରେ ମାମଲାର ଶୁଣାଣି କରିଥିଲେ । ଗତମାସ ୧୧ ତାରିଖରେ ଟ୍ରିବ୍ୟୁନାଲଙ୍କ ଦ୍ବାରା ନିର୍ଦ୍ଧାରିତ କରାଯାଇଥିବା ପ୍ରସଙ୍ଗଗୁଡିକର ଭିଡିଓ କନ୍‌ଫେରେନ୍ସିଂ ବଦଳରେ ଫିଜିକାଲ ଶୁଣାଣି ପାଇଁ ଆଜି ଟ୍ରିବ୍ୟୁନାଲ ମତ ପ୍ରକାଶ କରିଥିଲେ। ମାମଲାରେ ପକ୍ଷଭୁକ୍ତ ଥିବା ରାଜ୍ୟମାନଙ୍କ ଦ୍ବାରା ଆଡମିସନ୍ ଓ ଡିନାଏଲ ପ୍ରକ୍ରିୟାକୁ ଶେଷ କରିନିଆଯାଇଥିବା ସଂପର୍କରେ ଟ୍ରିବ୍ୟୁନାଲକୁ ଆଜିର ଶୁଣାଣି ସମୟରେ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଯାଇଥିଲା।

ଶୁଣାଣି ସମୟରେ ଓଡିଶା ଦ୍ବାରା ଦୁଇଟି ଅଲଗା ଅଲଗା ଆବେଦନ ଟ୍ରିବ୍ୟୁନାଲରେ ଦାଖଲ କରାଯାଇଥିଲା। ପ୍ରଥମ ଆବେଦନରେ ଓଡିଶା ପକ୍ଷରୁ ଛତିଶଗଡକୁ ସମସ୍ତ ପ୍ରକଳ୍ପ (ଯାହା ବର୍ତ୍ତମାନ କାର୍ଯ୍ୟକାରୀ କରାଯାଉଛି)ଗୁଡିକର ନାମ ପ୍ରକାଶ କରିବା ପାଇଁ ଅନୁରୋଧ କରାଯାଇଥିଲା। ପ୍ରସ୍ତାବିତ ପ୍ରକଳ୍ପଗୁଡିକର ନାମ ପ୍ରକାଶ ସହ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ତଥା ସଂଶୋଧିତ ବିସ୍ତୃତ ପ୍ରକଳ୍ପ ଗୁଡିକର ନକଲ ଓଡିଶାକୁ ଦୁଇ ସପ୍ତାହ ଭିତରେ ଯୋଗାଇ ଦେବାପାଇଁ ଛତିଶଗଡ଼କୁ ନିର୍ଦ୍ଦେଶ ଦେବାକୁ ଓଡିଶା ପକ୍ଷରୁ ଆବେଦନରେ ପ୍ରାର୍ଥନା କରାଯାଇଥିଲା । ଅନ୍ୟ ଏକ ଆବେଦନରେ ଓଡିଶା ପକ୍ଷରୁ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ, କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ, କେନ୍ଦ୍ର ଜଳ ଆୟୋଗ, କେନ୍ଦ୍ର ଭୂତଳ ଜଳ ବୋଡ, ଭାରତୀୟ ପାଣିପାଗ, ଛତିଶଗଡର ରାଜ୍ୟ ପରିବେଶ ପ୍ରଭାବ ଆକଳନ କର୍ତ୍ତୃପକ୍ଷଙ୍କ ଠାରୁ ଆବଶ୍ୟକୀୟ ନଥିପତ୍ର ଟ୍ରିବ୍ୟୁନାଲରେ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଉଲ୍ଲେଖ କରାଯାଥିଲା। ଓଡିଶାର ଆବେଦନ ଆଧାରରେ ଟ୍ରିବ୍ୟୁନାଲ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଥିଲେ ।

ଅପରପକ୍ଷେ ଓଡ଼ିଶା ପକ୍ଷରୁ ଛତିଶଗଡ଼ ସରକାରଙ୍କ ପାଖରୁ ଯେଉଁସବୁ ନଥିପତ୍ର ଲୋଡ଼ାଯାଇଥିଲା ସେଥିରୁ ଅଧିକାଂଶ ଦସ୍ତାବିଜ ଓଡ଼ିଶାକୁ ପ୍ରଦାନ କରାଯାଇଛି। ବଳକା ନଥିପତ୍ର ଖୁବ୍‌ଶୀଘ୍ର ଓଡ଼ିଶାକୁ ଦିଆଯିବ ବୋଲି ଛତିଶଗଡ଼ ପଷରୁ ଟ୍ରିବ୍ୟୁନାଲଙ୍କ ନିକଟରେ କୁହାଯାଇଥିଲା।

ଆଜିର ଶୁଣାଣି ସମୟରେ ଓଡ଼ିଶା ପକ୍ଷରୁ କମନ୍ ଆଇନଜୀବୀ ମୋହନ କାଟାର୍କୀ ଫରମେଟ ଅଫ ଏକ୍ସଚେଂଜ୍ ଅଫ୍ ଇନଫରମେସନ ସଂପର୍କରେ ଖଣ୍ଡପୀଠଙ୍କୁ ଅବଗତ କରିଥିଲେ। କମନ୍ ଫର୍ମେଟ୍ ଅଫ୍ ଏକ୍ସଟେଞ୍ଜ ଅଫ୍ ଇନଫରମେସନ ଅନ୍ତର୍ଗତ ଜଳବିବାଦ ମାମଲାରେ ସପୃକ୍ତ ରାଜ୍ୟମାନଙ୍କ ଦ୍ବାରା ରେନଗେଜ୍ ଡାଟା, ବେସିନରେ ଜଳର ପରିମାଣ, ଜଳର ବ୍ୟବହାର ଭଳି ବିଭିନ୍ନ ସୂଚକ ଓ ତଥ୍ୟକୁ ସମ୍ମିଳିତ କରାଯାଇଥାଏ। ଏନେଇ ଟ୍ରିବ୍ୟୁନାଲ ଟ୍ରିବ୍ୟୁନାଲ ସହମତି ବ୍ୟକ୍ତ କରିଥିଲେ। ଟ୍ରିବ୍ୟୁନାଲ କାବେରୀ ଓ କ୍ରିଷ୍ଣା ଜଳବିବାଦର କମନ୍ ଫରମେଟ୍ ପାଇସାରିବା ପରେ ମହାନଦୀ ଜଳବିବାଦ ପାଇଁ କମନ ଫରମେଟ୍ ପ୍ରସ୍ତୁତ କରିବେ ବୋଲି କହିଥିଲେ।

ସୂଚନାଯୋଗ୍ୟ, ଗତମାସ ଆନ୍ତଃରାଜ୍ୟ ଜଳବିବାଦ ଆଇନର ଧାରାଏନ (୧) ଅନୁଯାୟୀ ଛତିଶଗଡ଼ ଦ୍ବାରା ତିନୋଟି କେନ୍ଦ୍ରୀୟ ସଂସ୍ଥାଙ୍କ ଠାରୁ ତଥ୍ୟ ଓ କାଗଜପତ୍ର ଉପଲବ୍ଧ କରାଇବା ପାଇଁ ଟ୍ରିବ୍ୟୁନାଲରେ ଆବେଦନ କରାଯାଇଥିଲା। ତଦନୁସାରେ ଏକ ଲକ୍ଷ ପୃଷ୍ଠାରୁ ଅଧିକ ଦସ୍ତାବିଜକୁ ଟ୍ରିବ୍ୟୁନାଲକୁ ପେନଡ୍ରାଇଭ୍ ଜରିଆରେ କେନ୍ଦ୍ର ସରକାର ଉପଲବ୍ଧ କରାଇଥିବାର ଜଣାପଡ଼ିଛି। ଅଗଷ୍ଟ ୨୯ ଶୁଣାଣି ସମୟରେ ପକ୍ଷଭୁକ୍ତ ରାଜ୍ୟମନଙ୍କ ଦ୍ବାରା ଦାଖଲ କରାଯାଇଥିବା ବିଭିନ୍ନ ଆବେଦନ ଉପରେ ଟ୍ରିବ୍ୟୁନାଲ ଶୁଣାଣି କରିବେ ବୋଲି କହିଥିଲେ ।

ସମ୍ବନ୍ଧିତ ଖବର