‘ସ୍ୱାସ୍ଥ୍ୟ ସାଥୀ’ କାର୍ଡ ନେବାକୁ ଲୋକଙ୍କ ସହ ଧାଡ଼ିରେ ଛିଡା ହେଲେ ମୁଖ୍ୟମନ୍ତ୍ରୀ ମମତା; ବିଜେପି କଲା ଏପରି ସମାଲୋଚନା

ନୂଆଦିଲ୍ଲୀ: ସମୟ ଥିଲା ସେ ଯେଉଁଠି ଠିଆ ହେଉଥିଲେ ସେଇଠୁ ଧାଡି ଆରମ୍ଭ ହେଉଥିଲା । ହେଲେ ଆଜି ସମୟ ବଦଳି ଯାଇଛି । ମୁଖ୍ୟମନ୍ତ୍ରୀ ଥାଇ ବି ଲୋକଙ୍କ ମନରେ ବିଶ୍ୱାସ ଓ ଲୋକପ୍ରିୟତାକୁ ବୃଦ୍ଧି କରିବାକୁ ସେ ଧାଡିରେ ଠିଆ ହୋଇଛନ୍ତି । ଆମେ କହୁଛୁ, ପଶ୍ଚିମବଙ୍ଗର ବିବାଦୀୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଥା । ‘ସ୍ୱାସ୍ଥ୍ୟ ସାଥୀ’ ସ୍ମାର୍ଟ କାର୍ଡ ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର କୋଲକାତା ମ୍ୟୁନିସପାଲ କର୍ପୋରେସନ ପକ୍ଷରୁ  କାର୍ଡ ବଣ୍ଟନ କେନ୍ଦ୍ରରେ ଧାଡିରେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ମଙ୍ଗଳବାର ପୂର୍ବାହ୍ନ ୧୧.୪୫ ମିନିଟରେ କାର୍ଡ ନେବାକୁ ସାଧାରଣ ଲୋକଙ୍କ ସହ ଧାଡିରେ ଛିଡା ହୋଇଥିଲେ ମମତା ବାନାର୍ଜୀ । ତାଙ୍କ ସହିତ ଥିଲେ ନଗର ଉନ୍ନୟନ ମନ୍ତ୍ରୀ ଫିରହାଦ୍ ହାକିମ୍ ଓ ଅନ୍ୟ କିଛି ସରକାରୀ ଅଧିକାରୀ । କେନ୍ଦ୍ରସରକାରଙ୍କ ଆୟୁଷ୍ମାନ ଯୋଜନାକୁ ଟକ୍କର ଦେଇ ମମତା ନିଜେ ନିଜ ରାଜ୍ୟର ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ସାଥୀ ନାମରେ ଏକ ଯୋଜନା ପ୍ରଣୟନ କରିଛନ୍ତି । ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ହିତାଧିକାରୀଙ୍କୁ ବର୍ଷକୁ ୫ ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ସେବା ବୀମା ଯୋଗାଇ ଦେବାର ବ୍ୟବସ୍ଥା ରଖାଯାଇଛି ।

 

ଅନ୍ୟପଟେ ମମତାଙ୍କ ଏଭଳି କାର୍ଯ୍ୟକୁ ‘ଡ୍ରାମା’ ବୋଲି କହି ସମାଲୋଚନା କରିଛନ୍ତି ବିଜେପି ରାଜ୍ୟ ସଭାପତି ଦିଲ୍ଲୀପ ଘୋଷ । ଦିଲ୍ଲୀପ କହିଛନ୍ତି କି ଦିନକୁ ଦିନ ମମତାଙ୍କ ଲୋକପ୍ରିୟତା ହ୍ରାସ ପାଇବାରେ ଲାଗିଛି । ତୃଣମୂଳ କଂଗ୍ରେସର ବଡ ବଡ ନେତା ଏବେ ମମତାଙ୍କ ଉପରୁ ଭରସା ତୁଟାଇ ବିଜେପିରେ ସାମିଲ ହେଉଛନ୍ତି । ଏହାକୁ ନଜରରେ ରଖି ମମତା ଏଭଳି ନାଟକ କରୁଛନ୍ତି ।

ଉଲ୍ଲେଖଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପଶ୍ଚିମବଙ୍ଗରେ ୧୮ଟି ସଂସଦୀୟ କ୍ଷେତ୍ର ଦଖଲ କରିବାରେ ସଫଳ ହେବା ପରେ ମମତା ହତୋତ୍ସାହିତ ହୋଇପଡିଛନ୍ତି । ପୁଣି ଚଳିତ ବର୍ଷ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ନିର୍ବାଚନ ତାରିଖ ଘୋଷଣା ହୋଇ ନଥିଲେ ବି ବିଜେପି ଯେଭଳି ଭାବେ ପଶ୍ଚିମବଙ୍ଗ ଦଖଲ କରିବାକୁ ରଣନୀତି ପ୍ରସ୍ତୁତ କରୁଛି ତାହାକୁ ଦେଖି ମମତା ଛାନିଆ । ବିଜେପିର ବରିଷ୍ଠ ନେତାମାନେ ଏବେଠାରୁ ପଶ୍ଚିମବଙ୍ଗରେ ଡେରା ପକାଇବା ଆରମ୍ଭ କଲେଣି । ଏହା ସହ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ୍ ଶାହା ପ୍ରତି ମାସରେ ପଶ୍ଚିମବଙ୍ଗ ଗସ୍ତ କରି ଦଳୀୟ କର୍ମୀଙ୍କ ସାହସ ବୃଦ୍ଧି କରିବା ସହ ମମତାଙ୍କ ଗଡ ଭାଙ୍ଗିବାକୁ ଯୋଜନା କରୁଥିବା ସୂଚନା ମିଳିଛି । ଏହାକୁ ନଜରରେ ରଖି ମମତା ପୁଣିଥରେ ଲୋକଙ୍କ ଗହଣକୁ ଫେରି ତାଙ୍କ ଉପସ୍ଥିତି ଜାହିର କରିବାକୁ ଚେଷ୍ଟା ଚଳାଇଛନ୍ତି ।
ସମ୍ବନ୍ଧିତ ଖବର