ପଶ୍ଚିମବଂଗ ହିଂସା, ସର୍ବଦଳୀୟ ବୈଠକରେ ବିଜେପି-ଟିଏମ୍‌ସି-ସିପିଏମ୍‌ ନେତା

ମମତା ଯୋଗ ଦେଲେନି, ରାଜ୍ୟପାଳଙ୍କୁ ସମାଲୋଚନା କଲେ

କୋଲକାତା: ପଶ୍ଚିମବଂଗରେ ରାଜନୈତିକ ହିଂସା ଏବଂ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତି ନେଇ ରାଜ୍ୟପାଳ କେଶରୀନାଥ ତ୍ରିପାଠୀ ଆଜି ସର୍ବଦଳୀୟ ବୈଠକ ଡକାଇଥିଲେ। ଏଥିରେ ବିଜେପି, ଟିଏମ୍‌ସି ଏବଂ ସିପିଏମ୍‌ ନେତାମାନେ ଉପସ୍ଥିତ ଥିଲେ। ବୈଠକରେ ରାଜନୈତିକ ହିଂସାକୁ ରୋକିବା ଏବଂ ଶାନ୍ତି ଫେରାଇ ଆଣିବାକୁ ବିଭିନ୍ନ ପ୍ରୟାସ ସଂପର୍କରେ ଆଲୋଚନା ହୋଇଥିଲା। ଏହି ବୈଠକରେ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେଇନଥିଲେ ଏବଂ ତାଙ୍କ ପ୍ରତିନିଧିଙ୍କୁ ପଠାଇଥିଲେ। ମମତା ଏ ସଂପର୍କରେ କହିଛନ୍ତି ଯେ ଆଇନ୍‌ ଶୃଙ୍ଖଳା ରାଜ୍ୟର ଦାୟିତ୍ବ ହୋଇଥିବାରୁ ଏଥିରେ ରାଜ୍ୟପାଳଙ୍କ କିଛି ଭୂମିକା ନାହିଁ ଏବଂ ଏଭଳି ସର୍ବଦଳୀୟ ବୈଠକର କିଛି ଗୁରୁତ୍ବ ନାହିଁ। ବିଜେପିର ପରମର୍ଶକ୍ରମେ ରାଜ୍ୟପାଳ ଏଭଳି ବୈଠକ ଡକାଇଥିବାରୁ ସେ ଏଥିରେ ଯୋଗ ଦେଲେନାହିଁ ବୋଲି ମମତା କହିଛନ୍ତି। ଶାସକ ଦଳ ଟିଏମ୍‌ସି ରାଜନୈତିକ ହିଂସାକୁ ରୋକିବା ପାଇଁ କୌଣସି ସକରାତ୍ମକ ଆଭିମୁଖ୍ୟ ଦେଖାଉନଥିବା ବିଜେପି ଅଭିଯୋଗ କରିଛି। ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ବିଜେପି ଦାବି କରିବ ବୋଲି ଚିନ୍ତା କରୁଛି ଏବଂ ଏ ବାବଦରେ ଆଲୋଚନା ଜାରି ରହିଛି ବୋଲି ବିଜେପି ସାଧାରଣ ସଂପାଦକ ତଥା ପଶ୍ଚିମବଂଗ ପ୍ରଭାରୀ କୈଳାସ ବିଜୟବର୍ଗୀୟ କହିଛନ୍ତି। ପଶ୍ଚିମବଂଗରେ ନିର୍ବାଚନ ପରବର୍ତ୍ତୀ ହିଂସାରେ ପ୍ରାୟ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବିଭିନ୍ନ ଅଂଚଳରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି।

ସମ୍ବନ୍ଧିତ ଖବର