ରାଣୀଙ୍କ କଫିନ୍‌ ଶୋଭାଯାତ୍ରାରେ ରାଜକୁମାର ଆଣ୍ଡ୍ରିଉଙ୍କୁ ‘ପାଗଳ ବୁଢ଼ା’ କହି ଯୁବକ ଗିରଫ

ଲଣ୍ଡନ୍‌: ରାଣୀ ଦ୍ବିତୀୟ ଏଲିଜାବେଥ୍‌ଙ୍କ କଫିନ୍‌ (ଶବାଧାର) ଶୋଭାଯାତ୍ରା ସମୟରେ ରାଜକୁମାର ଆଣ୍ଡ୍ରିଉଙ୍କୁ ଗାଳି ଦେଇ ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି।

ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହେଉଥିବା ଭିଡିଓ ଦୃଶ୍ୟ ଅନୁସାରେ, ରାଜା ତୃତୀୟ ଚାର୍ଲସ୍‌ଙ୍କ ସମେତ ରାଣୀଙ୍କର ସବୁ ପିଲା ତାଙ୍କ କଫିନ୍‌ ପଛେ ପଛେ ଚାଲି ଚାଲି ଯାଉଥିବା ବେଳେ ଜଣେ ବ୍ୟକ୍ତି ଚିତ୍କାର କରି କହୁଛନ୍ତି, ଆଣ୍ଡ୍ରିଉ, ଆପଣ ଜଣେ ପାଗଳ ବୁଢ଼ା।

ପୁଲିସ ତୁରନ୍ତ ଉକ୍ତ ବ୍ୟକ୍ତିଙ୍କୁ ଜନତାଙ୍କ ଗହଣରୁ ବାହାର କରି ନେଇ ଅଟକ ରଖିଥିଲା ବୋଲି ସମ୍ବାଦପତ୍ର ‘ଦି ଇଣ୍ଡିପେଣ୍ଡେଣ୍ଟ୍‌’ ରିପୋର୍ଟ କରିଛି।

ଟୁଇଟର୍‌ରେ ପୋଷ୍ଟ୍‌ ହୋଇଥିବା ଆଉ ଗୋଟାଏ ଭିଡିଓରେ ଦେଖାଯାଉଛି, ଜଣେ ପୁଲିସ ଅଧିକାରୀ ଉକ୍ତ ବ୍ୟକ୍ତିଙ୍କୁ ତଳେ ବସାଇ ଦେଉଛନ୍ତି। ଆଉ ଜଣେ ପୁଲିସ ତାଙ୍କୁ ନେଇ ଯାଉଥିବା ବେଳେ ସେ ବ୍ୟକ୍ତିଜଣକ ବୀଭତ୍ସ ବୋଲି ଚିତ୍କାର କରୁଛନ୍ତି। ତୃତୀୟ ଭିଡିଓରେ ଦେଖାଯାଉଛି, ଦୁଇପାର୍ଶ୍ବରେ ଦୁଇଜଣ ପୁଲିସ ଅଧିକାରୀ ଥାଇ ହତାକଡ଼ି ପଡ଼ିଥିବା ‌ସେ ବ୍ୟକ୍ତିଜଣ ତଳେ ବସିଛନ୍ତି।

Prince Andrew, Image Courtesy of NDTV

ସ୍କଟ୍‌ଲାଣ୍ଡ୍‌ର ଜଣେ ପୁଲିସ ମୁଖପାତ୍ର କହିଛନ୍ତି, ସୋମବାର ଅପରାହ୍ଣ ପ୍ରାୟ ୨.୫୦ରେ ‘ରୟାଲ୍‌ ମାଇଲ୍‌’ରେ (ଗୋଟାଏ ରାସ୍ତାର ନାଁ)  ଶାନ୍ତିଭଙ୍ଗ କରିଥିବା ଜଣେ ୨୨ ବର୍ଷିୟ ଯୁବକଙ୍କୁ ଗିରଫ କରାଯାଇଛି।

ସ୍କଟ୍‌ଲାଣ୍ଡ୍‌ର ରାଜଧାନୀରେ ଥିବା ହୋଲିରୁଡ୍‌ହାଉସ୍‌ ପ୍ରାସାଦରୁ ରାଣୀଙ୍କ କଫିନ୍‌ ସେଣ୍ଟ୍‌ ଜାଇଲ୍‌ସ୍‌ କାଥେଡ୍ରାଲ୍‌ ନିଆଯାଉଥିବା ବେଳେ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ରାଣୀଙ୍କ କଫିନ୍‌ ପଛେ ପଛେ ରାଣୀଙ୍କ ୪ ସନ୍ତାନ:- ରାଜା ତୃତୀୟ ଚାର୍ଲସ୍‌, ରାଜକୁମାର ଆଣ୍ଡ୍ରିଉ, ରାଜଜେମା ଆନି ଏବଂ ରାଜକୁମାର ଏଡ୍‌ୱାର୍ଡ ଚାଲି ଚାଲି ଯାଉଥିଲେ।

ରାଜକୁମାର ଆଣ୍ଡ୍ରିଉଙ୍କ ବ୍ୟତୀତ ରାଣୀଙ୍କର ଅନ୍ୟ ତିନି ସନ୍ତାନ ସଶସ୍ତ୍ରବାହିନୀ ପୋଷାକ ପରିଧାନ କରିଥିଲେ। କିନ୍ତୁ, ଗତବର୍ଷ ଆଣ୍ଡ୍ରିଉଙ୍କ ନାମରେ ଯୌନ‌ କେଳେଙ୍କାରୀ ମାମଲା ରୁଜୁ ହେବା ପରେ ରାଣୀ ତାଙ୍କଠାରୁ ସାମରିକ ପୃଷ୍ଠପୋଷକତା ଓ ଭୂମିକା ପ୍ରତ୍ୟାହାର କରିନେଇଥିଲେ।

ସମ୍ବନ୍ଧିତ ଖବର