ସ୍ପାଇଡର୍‌ମ୍ୟାନ୍‌ ବେଶଧାରୀ ଏହି ବ୍ୟକ୍ତି ଲକ୍‌ଡାଉନ୍‌ ସମୟରେ ପଡ଼ୋଶୀଙ୍କ ସାହାଯ୍ୟ କରିବାକୁ ହିଁ ନିଜର ସୁପର୍‌ ପାୱାର୍‌ ଭାବନ୍ତି

ଇସ୍ତାନବୁଲ: କରୋନା ପାଇଁ ବିଶ୍ବର ଅନେକ ଦେଶରେ ଜାରି ହୋଇଥିବା ଲକ୍‌ଡାଉନ୍‌ ସମୟରେ ଜଣେ ସହଯୋଗୀ ପଡ଼ୋଶୀ ଥିଲେ ଆଉ ବା କ’ଣ ଚିନ୍ତା! ତୁର୍କୀର ଜଣେ ଏମିତି ପଡ଼ୋଶୀଙ୍କୁ ଦେଖିବାକୁ ମିଳିଛି ଯିଏକି ସ୍ପାଇଡର୍‌ମ୍ୟାନ୍‌ ହୋଇ ସ୍ଥାନୀୟ ଲୋକଙ୍କ ଅନେକ ସମସ୍ୟାର ସମାଧାନ କରି ପକାଉଛନ୍ତି। ବିଶେଷ କରି ଘରେ ବନ୍ଦ ହୋଇଥିବା ଲୋକମାନଙ୍କୁ ବଜାରରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଣି ଯୋଗାଉଛନ୍ତି ଏହି ସ୍ପାଇଡର୍‌ମ୍ୟାନ୍‌ ବେଶଧାରୀ।

ସେ ସ୍ପାଇଡର୍‌ମ୍ୟାନ ପୋଷାକ ପିନ୍ଧି ଦୁଆର ଦୁଆର ବୁଲି ଲୋକଙ୍କୁ ସାମଗ୍ରୀ ‌ଯୋଗାଉଥିବା ଜାଣିବାକୁ ମିଳିଛି। ଗୁଡେବୁଲ୍‌ ଟ୍ବିଟର୍‌ ପେଜ୍‌ରେ ବ୍ୟକ୍ତିଙ୍କର କିଛି ଫଟୋ ପୋଷ୍ଟ୍‌ ହେବା ପରେ ଏହାକୁ ସମସ୍ତେ ଦେଖି ପାରିଛନ୍ତି।

 

ଟ୍ବିଟ୍‌ କରାଯାଇ ଲେଖା ହୋଇଛି ଯେ ତୁର୍କୀର ଏହି ବ୍ୟକ୍ତିଙ୍କ ନାମ ବୁରାକ୍‌ ଶୋୟୁଲୁ। ସେ ସ୍ପାଇଡର୍‌ମ୍ୟାନ୍‌ ପୋଷାକ ପିନ୍ଧି ଦୁଆର ଦୁଆର ବୁଲି ବୟସ୍କ ଲୋକମାନଙ୍କ ପାଇଁ କ୍ଷୀର ଓ ଅନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ‌ଯୋଗାଉଛନ୍ତି। ତାଙ୍କୁ ପଚରାଯିବାରୁ ସେ କହନ୍ତି କି ପଡ଼ୋଶୀମାନଙ୍କ ପାଇଁ ଭଲ କରିବା ହିଁ ତାଙ୍କର ସୁପର୍‌ ପାୱାର୍‌।

ପୋଷ୍ଟ୍‌ଟିକୁ ଏବେ ସୁଦ୍ଧା ୮,୭୦୦ ଲାଇକ୍‌ ମିଳି ସାରିଲାଣି। ବ୍ୟକ୍ତିଙ୍କର ଏପରି କାମକୁ ଅନେକ ଟ୍ବିଟର୍‌ ବ୍ୟବହାରକାରୀ ଭୂରି ଭୂରି ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର