ଜାତିର ନେତାଙ୍କ ସମ୍ମାନାର୍ଥେ ଟ୍ରେନ୍‌ ଉପରେ ଚଢ଼ି ପତାକା ହଲାଉଥିବା ଯୁବକଙ୍କର ବିଜୁଳି ଆଘାତରେ ମୃତ୍ୟୁ

ରାମନାଥପୁରମ୍: ରବିବାର ଦିନ ୬୪ତମ ମୃତ୍ୟୁ ବାର୍ଷିକୀ ଅବସରରେ ପ୍ରସିଦ୍ଧ ଦଳିତ ନେତା ଇମ୍ମାନୁଏଲ୍‌ ସେକରନ୍‌ଙ୍କ ପ୍ରତି ସମ୍ମାନ ଜଣାଇବାକୁ ତାମିଲନାଡୁର ଜଣେ ତରୁଣ ଟ୍ରେନ୍‌ ଛାତରେ ଚଢ଼ି ପତାକା ହଲାଉଥିବା ବେଳେ ଉଚ୍ଚ ଶକ୍ତିସମ୍ପନ୍ନ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା କଥା ପୁଲିସ କହିଛି।

ମୃତ ତରୁଣଙ୍କର ନାମ ବିଜୟ। ସେ ଧରିଥିବା ପତାକାର ଛଡ଼ିଟି ଉପରେ ଟଣାଯାଇଥିବା ବିଜୁଳି ତାର ସଂସ୍ପର୍ଶରେ ଆସିବାରୁ ତାଙ୍କ ଦେହରେ ବିଜୁଳି ଆଘାତ ଲାଗିଥିଲା।

ସେପ୍ଟେମ୍ବର ୧୧ ତାରିଖ ଥିଲା ଦଳିତ ନେତା ସେକରନ୍‌ଙ୍କ ମୃତ୍ୟୁ ବାର୍ଷିକୀ। ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ଲାଗି ସବୁ ବର୍ଗର ଲୋକେ ପରମକୁଣ୍ଡିସ୍ଥିତ ତାଙ୍କ ସ୍ମାରକୀରେ ପହଞ୍ଚିଥିଲେ।

Image Courtesy of Times Now

ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ୍‌ଙ୍କ ପୁଅ ଏବଂ ‘ଡିଏମ୍‌କେ’ ଯୁବନେତା ଉଦୟନିଧି ଷ୍ଟାଲିନ୍‌ଙ୍କ ସମେତ ସମସ୍ତ ରାଜନୈତିକ ଦଳର ବରିଷ୍ଠ ରାଜନେତାମାନେ ରବିବାର ସକାଳେ ପରମକୁଣ୍ଡିରେ ପହଞ୍ଚିଥିଲେ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଉପସ୍ଥିତ ଜନତା ମନା କରିବା ସତ୍ତ୍ବେ ବିଜୟଙ୍କ ସହିତ ଅନ୍ୟ କେତେ ଜଣ ମଧ୍ୟ ଟ୍ରେନ୍‌ ଉପରକୁ ଚଢ଼ିଥିଲେ। ସେହି ସମୟରେ ବିଜୟଙ୍କ ପତାକା ଦଣ୍ଡ ବିଜୁଳି ତାରରେ ବାଜିବାରୁ ନିଆଁ ସ୍ଫୁଲିଙ୍ଗ ବାହାରିବା ସହିତ ବିଜୟଙ୍କୁ ଝଟକା ଦେଇ ଟ୍ରେନ୍‌ରୁ ତଳକୁ ଖସାଇ ଦେଇଥିଲା। ଏହି ଦୃଶ୍ୟର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି।

ଚିକିତ୍ସା ନିମନ୍ତେ ତୁରନ୍ତ ତାଙ୍କୁ ପରମକୁଣ୍ଡିସ୍ଥିତ ‘ଜେନେରାଲ୍‌ ହସ୍ପିଟାଲ୍‌’କୁ ନିଆଯାଇଥିଲା। କିନ୍ତୁ, ସେ ମୃତ ବୋଲି ଡାକ୍ତରମାନେ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର