ସାବରିମାଳାରେ ମହିଳା ଯାତ୍ରୀଙ୍କୁ ଆକ୍ରମଣ କରି ଜଣେ ଗିରଫ

ତିରୁବନନ୍ତପୁରମ୍‌: ସାବରିମାଳାସ୍ଥିତ ପ୍ରଭୁ ଆୟାପ୍ପାଙ୍କ ମନ୍ଦିରରେ ଜଣେ ମହିଳା ଯାତ୍ରୀଙ୍କୁ ଆକ୍ରମଣ ଅଭିଯୋଗ ଘଟଣାରେ ସମ୍ପୃକ୍ତ ଜଣେ ୨୯ ବର୍ଷିୟ ବ୍ୟକ୍ତିଙ୍କୁ ବୁଧବାର ଦିନ ଗିରଫ କରାଯାଇଛି। ମହିଳାଜଣକ ଋତୁମତୀ ବସୟ ଅନ୍ତର୍ଭୁକ୍ତ ସେମାନଙ୍କର ସନ୍ଦେହ ହୋଇଥିଲା।

ମଙ୍ଗଳବାର ଦିନ ଘଟିଥିବା ଏହି ଘଟଣାରେ ପାତନାମତିତ୍ତା ଜିଲ୍ଲା ଅନ୍ତର୍ଗତ ଏଲାନ୍ତୁର ନିବାସୀ ସୂରଜ ହେଉଛନ୍ତି ଅନ୍ୟତମ ମୁଖ୍ୟ ଅଭିଯୁକ୍ତ। ସ୍ୱତନ୍ତ୍ର ପୂଜା ‘ଚିତିରା ଆଟ୍ଟା ତିରୁନାଲ୍‌’ ଅବକାଶରେ ଏହି ପାର୍ବତ୍ୟ ଦୈବପୀଠ ଦୁଇ ଦିନ ସକାଶ ଖୋଲିଥିଲା।

ମନ୍ଦିରରେ ପୂଜା ନ କରାଇ ଦେବା ନିମନ୍ତେ ୫୨ ବର୍ଷୀୟ ଲଳିତା ରବିଙ୍କୁ ଶହ ଶହ ବାତୁଳ ପ୍ରାୟ ଭକ୍ତ ଅଟକାଇବା ସହ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ନାତି ନିମନ୍ତେ ‘ଚୂରୁନୁ’ (ଚାଉଳ ନୈବେଦ୍ୟ) ଉତ୍ସବ ପାଇଁ ଲଳିତା ଆସିଥିଲେ।

‘ଆୟାପ୍ପା ଶରଣମ୍‌’ ବୋଲି କହି ଓ ତାଳିମାରି ବହୁ ସଂଖ୍ୟକ ଭକ୍ତ ଲଳିତାଙ୍କୁ ଘେରି ଯାଇଥିଲେ, କିନ୍ତୁ ପୁଲିସ ହସ୍ତକ୍ଷେପ କରି ତାଙ୍କୁ ଉଦ୍ଧାର କରିଥିଲା।

ବୟସ ପ୍ରମାଣ କରିବାକୁ ମହିଳାଜଣକ ତାଙ୍କ ଆଧାର କାର୍ଡ ଦେଖାଇ ଥିଲେ। ପରେ ପୁଲିସ ତାଙ୍କ ପରିବାରର ଅନ୍ୟାନ୍ୟ ମହିଳା ସଦସ୍ୟଙ୍କ ସହ ତାଙ୍କୁ ନେଇ ମନ୍ଦିରକୁ ଯାଇଥିଲେ।

ଗିରଫ ହୋଇଥିବା ବ୍ୟକ୍ତିଙ୍କ ନାଁ’ରେ ଆଇପିସି ୩୦୮ ଏବଂ ୩୫୪ ଧାରା ଲାଗୁ କରାଯାଇଥିବା କଥା ପୁଲିସ କହିଛି।

ବାକି ଅଭିଯୁକ୍ତଙ୍କୁ ଧରିବା ନିମନ୍ତେ ତଦନ୍ତ ଚାଲିଛି ବୋଲି ପତାନମତିଟ୍ଟା ଏସ୍‌ପି ଟି ନାରାୟଣନ୍‌ କହିଛନ୍ତି।

ଡିଜିଟାଲ୍‌ ପ୍ରମାଣ ଏବଂ ଫଟୋଗ୍ରାଫ୍‌ ଆଧାରରେ ସେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର