ମାଓ ଉପଦ୍ରୁତ ଜିଲ୍ଲାମାନଙ୍କ ପାଇଁ ପ୍ରସ୍ତୁତ ହେବ ମାଓଦମନ ନୀତି

ନୂଆଦିଲ୍ଲୀ :ଛତିଶଗଡ଼ ବିଜାପୁର-ସୁକମା ସୀମାନ୍ତରେ ନକ୍ସଲ୍ ମାନଙ୍କର ଅତର୍କିତ ଆକ୍ରମଣ ଘଟଣାରେ କେନ୍ଦ୍ର ସରକାର ଓଡ଼ିଶା ସମେତ ୭ ରାଜ୍ୟରେ ମାଓଦମନ ରଣନୀତିକୁ ଜୋର୍‌ଦାର୍‌ କରିବେ। ଖୁବ୍‌ଶିଘ୍ର ଏନେଇ ଏକ ବିସ୍ତୃତ ରଣନୀତି ପ୍ରସ୍ତୁତ କରାଯିବାର ସମ୍ଭାବନା ରହିଛି ବୋଲି ସୂତ୍ରରୁ ଜଣାପଡ଼ିଛି। ଓଡ଼ିଶାର ଦୁଇଟି ଜିଲ୍ଲା କୋରାପୁଟ ଓ ମାଲକାନଗିରି ସମେତ ଆନ୍ଧ୍ର ପ୍ରଦେଶ, ବିହାର ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଓ ତେଲେଙ୍ଗାନାର ମୋଟ ୩୦ ଜିଲ୍ଲାରେ ବର୍ତ୍ତମାନ ମାଓଗତିବିଧି ଅଧିକ ରହିଛି। ଏ ସବୁ ଜିଲ୍ଲା ଗୁଡ଼ିକ ଅଧିକ ମାଓ ଉପଦ୍ରୁତ ଜିଲ୍ଲା ତାଲିକାରେ ସାମିଲ ଅଛି।

ସୂତ୍ର ଅନୁସାରେ ଓଡ଼ିଶାର ଦୁଇଟି ଜିଲ୍ଲା, ଛତିଶଗଡ଼ର ୮ଟି ବିଜାପୁର, ସୁକ୍‌ମା, ବସ୍ତର, ଦାନ୍ତେୱାଡ଼ା, କାନ୍‌କେର, ନାରାୟଣପୁର, ରାଜନନ୍ଦନଗାଁ ଏବଂ ତେଲେଙ୍ଗାନାର ଭାଦ୍ରାଦ୍ରି-କୋଠାଗୁଡ଼ମ୍‌ ତଥା ଆନ୍ଧ୍ର ପ୍ରଦେଶର ବିଶାଖାପାଟନମ୍‌ ଜିଲ୍ଲାରେ ମାଓଦମନ ନୀତି ଅନ୍ତର୍ଗତ ଅଧିକ ଫୋକସ୍‌ ରହିବା ପାଇଁ ବିଚାର ବିମର୍ଶ ଜାରି ରହିଛି। ଏଥିସହ ଓଡ଼ିଶା, ଛତିଶଗଡ଼-ଝାଡ଼ଖଣ୍ଡ ସୀମାବର୍ତ୍ତୀ ଇଲାକାରେ ମାଓ ବିରୋଧି ଅପରେସନ୍‌ ପର୍ଯ୍ୟାୟକ୍ରମେ କରାଯିବ ବୋଲି ଯୋଜନା ରହିଛି। ଖୁବ୍ ଶିଘ୍ର ପ୍ରଭାବିତ ସାତ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ ମାନଙ୍କର ବୈଠକ ଡକାଯିବାର ମଧ୍ୟ ସମ୍ଭାବନା ରହିଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ମାଓ ପ୍ରବଣ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କର ବୈଠକ ୨୦୧୫ ରୁ ୨୦୧୯ ମଧ୍ୟରେ ତିନିଥର କରାଯାଇଥିବା ବେଳେ ମାଓଦମନ ନୀତି ସଂପର୍କରେ ଆଲୋଚନା ପାଇଁ ଆଉ ଏକ ବୈଠକର ଆବଶ୍ୟକତା ରହିଛି ବୋଲି ସୁରକ୍ଷା ବିଶେଷଜ୍ଞ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର