ପେଶାୱାର୍ ବିସ୍ଫୋରଣ ପାଇଁ ପୂର୍ବତନ ‘ଆଇଏସ୍ଆଇ’ ମୁଖ୍ୟଙ୍କୁ ଦାୟୀ କଲେ ମରିୟମ୍ ନୱାଜ୍
ଲାହୋର୍: ପେଶାୱାର୍ର ‘ହାଇ-ସିକ୍ୟୁରିଟି ଜୋନ୍’ରେ ଅବସ୍ଥିତ ମସ୍ଜିଦ୍ରେ ଆତ୍ମଘାତୀ ଆକ୍ରମଣ ଘଟଣା ପାଇଁ ପାକିସ୍ତାନର ବହିଷ୍କୃତ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍ ଶରିଫ୍ଙ୍କ ଝିଅ ମରିୟମ୍ ନୱାଜ୍ ବୁଧବାର ଦିନ ପୂର୍ବତନ ଗୁପ୍ତଚର ମୁଖ୍ୟ ଜେନେରାଲ୍ ଫୟାଜ୍ ହମିଦ୍ଙ୍କୁ ଦାୟୀ କରିଛନ୍ତି।
ଏହି ଆତ୍ମଘାତୀ ବିସ୍ଫୋରଣ ଘଟଣାରେ ୯୭ଜଣ ପୁଲିସ କର୍ମଚାରୀଙ୍କ ସମେତ ସମୁଦାୟ ୧୦୧ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା।
ପଞ୍ଜାବର ବାହାୱାଲ୍ପୁର ନଗରୀରେ ଆୟୋଜିତ ଦଳୀୟ ସମାରୋହରେ ଶାସକ ‘ପାକିସ୍ତାନ ମୁସ୍ଲିମ୍ ଲିଗ୍-ନୱାଜ୍’ର ବରିଷ୍ଠ ଉପାଧ୍ୟକ୍ଷା ମରିୟମ୍ କହିଛନ୍ତି, ପେଶାୱାର ଆକ୍ରମଣ ଲାଗି ପେଶାୱାର୍ରେ ‘କପର୍ସ କମାଣ୍ଡର୍’ ଭାବେ ନିଯୁକ୍ତ ‘ପାକିସ୍ତାନ୍ ତେହରୀକ୍-ଏ-ଇନ୍ସାଫ୍’ର ଅଧ୍ୟକ୍ଷ ଇମ୍ରାନ୍ ଖାଁଙ୍କ ମୁଖ୍ୟ ଲୋକ ଜେନେରାଲ୍ ଫୟାଜ୍ ହମିଦ୍ ଦାୟୀ।

ସୂଚନାଯୋଗ୍ୟ, ପେଶାୱାର୍ ପୋଲିସ୍ ଲାଇନ୍ ଅଞ୍ଚଳରେ ଅବସ୍ଥିତ ଉକ୍ତ ମସ୍ଜିଦ୍ରେ ସୋମବାର ଅପରାହ୍ଣ ନମାଜ ସମୟରେ ଜଣେ ତାଲିବାନୀ ଆତ୍ମଘାତୀ ବୋମା ବିସ୍ଫୋରଣକାରୀ କରିଥିବା ଏହି ବୋମା ବିସ୍ଫୋରଣରେ ୧୦୧ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଆହତ ହୋଇଛନ୍ତି। ଏହି ଆକ୍ରମଣ ପାଇଁ ଦାୟୀ ବୋଲି ‘ତେହରିକ୍-ଇ-ତାଲିବାନ୍ ପାକିସ୍ତାନ୍’ ଦାବି କରିଛି।
ମରିୟମ୍ ପଚାରିଛନ୍ତି, ଇମ୍ରାନ୍ ଖାଁ ତାଙ୍କ ଆଖି, ହାତ ଓ କାନ କହୁଥିବା ବ୍ୟକ୍ତିଜଣକ ପେଶାୱାର୍ରେ ନିଯୁକ୍ତ ହୋଇଥିଲେ। ସେ ଆତଙ୍କବାଦୀମାନଙ୍କ ପ୍ରବେଶକୁ ଅନୁମତି ଦେଲେ କାହିଁକି? ଆତଙ୍କବାଦୀମାନଙ୍କୁ ଭାଇ କହି ପାକିସ୍ତାନକୁ ଆମନ୍ତ୍ରଣ କଲେ କାହିଁକି? ଦୁର୍ଦାନ୍ତ ଆତଙ୍କବାଦୀଙ୍କୁ ସେ ଜେଲ୍ରୁ ମୁକୁଳାଇଲେ କାହିଁକି?
ସେ ଆହୁରି ମଧ୍ୟ କହିଛନ୍ତି, ଯଦି ସେ ପାକିସ୍ତାନର ଆଖି, ହାତ ଓ କାନ ହୋଇଥାଆନ୍ତେ, ଏ ଭଳି ଅବସ୍ଥା ଘଟି ନ ଥାନ୍ତା।