ପୃଥିବୀର ୫୦ ଶ୍ରେଷ୍ଠ ଦର୍ଶନୀୟ ସ୍ଥାନ ଭିତରେ ମୟୂରଭଞ୍ଜ

ନୂଆଦିଲ୍ଲୀ : ଟାଇମ୍ ପତ୍ରିକାରେ ପ୍ରକାଶିତ ବିଶ୍ବର ୫୦ଟି ଅସାଧାରଣ ଶ୍ରେଷ୍ଠ ପର୍ଯ୍ୟଟନ ସ୍ଥାନ ଭିତରେ ଭାରତର ଦୁଇଟି ସ୍ଥାନ ସ୍ଥାନ ପାଇଛି। ସେଗୁଡ଼ିକ ହେଉଛି ଲଦାଖ ଓ ଓଡ଼ିଶାର ମୟୂରଭଞ୍ଜ। ଟାଇମ୍ ପତ୍ରିକାର କହିବା ଅନୁସାରେ ସାରା ବିଶ୍ବରେ ସେମାନଙ୍କର ପ୍ରତିନିଧି ଓ ଖବରଦାତା ଅଛନ୍ତି। ସେମାନେ ପ୍ରଦାନ କରିଥିବା ତଥ୍ୟଗୁଡ଼ିକର ବିଶ୍ଳେଷଣ କରି ଉକ୍ତ ୫୦ଟି ଶ୍ରେଷ୍ଠ ସ୍ଥାନ ମନୋନୀତ କରାଯାଇଛି।

ଅନ୍ୟ କେତୋଟି ଦର୍ଶନୀୟ ସ୍ଥାନ ଭିତରେ ଅଛି: ଫ୍ଲୋରିଡ଼ାର ତାମ୍ପା, ଓରେଗନର ୱିଲାମେଟ ଉପତ୍ୟକା, ଆରିଜୋନାର ଟକସନ, ଆମେରିକାର ୱାସିଂଟନ ଡିସି, ଫ୍ରାନ୍ସର ଡିଜନ, ବାର୍ସେଲୋନା, ଭିଏନା, ଅଷ୍ଟ୍ରେଲିଆର କଙ୍ଗାରୁ ଦ୍ବୀପ, ମେକ୍ସିକୋ ସିଟି, କ୍ୟୋଟୋ, ଜେରୁଜେଲମ ଇତ୍ୟାଦି।

ଟାଇମ୍ ପତ୍ରିକାର କହିବା ଅନୁସାରେ, ଭାରତର ଲଦାଖ ହେଉଛି ଆଲ୍‌ପ୍ସ ପର୍ବତମାଳାର ଭୂମିରୂପ ସହ ଏକ ତିବ୍ବତୀୟ ବୌଦ୍ଧ ସଂସ୍କୃତିର ସ୍ଥଳ। ଏଠାରେ ପର୍ଯ୍ୟଟକଙ୍କ ପାଇଁ ଅନେକ ଆଶ୍ଚର୍ଯ୍ୟଜନକ ଜିନିଷ ଦେଖିବାର ଅଛି। ୨୦୨୩ ମସିହାରେ ଲଦାଖର ରାଜଧାନୀ ଲେହଠାରୁ ୧୬୮ ମାଇଲ ଦୂରରେ ଥିବା ହାନଲେ ଗ୍ରାମରେ ଭାରତ ସରକାର ଏହାର ପ୍ରଥମ ‘ଡାର୍କ ସ୍କାଇ ରିଜର୍ଭ’ ପ୍ରତିଷ୍ଠା କରିଛନ୍ତି। ଏଠାରୁ ବର୍ଷକୁ ପ୍ରାୟ ୨୭୦ ରାତିରେ ତାରକାମୟ ନିର୍ମଳ ସ୍ବଚ୍ଛ ଆକାଶକୁ ଦେଖିହୁଏ। ଜ୍ୟୋତିର୍ବିଜ୍ଞାନୀମାନଙ୍କ ଆକାଶ ପର୍ଯ୍ୟବେକ୍ଷଣ ପାଇଁ ଏହା ଏକ ଉପଯୁକ୍ତ ସ୍ଥାନ।

ସେହିପରି ଓଡ଼ିଶାର ମୟୂରଭଞ୍ଜ ବିଷୟରେ ଟାଇମ୍ ପତ୍ରିକାରେ ଲେଖାଯାଇଛି ଯେ, ଏହା ହେଉଛି ବିଶ୍ବର ଏକମାତ୍ର ସ୍ଥାନ ଯେଉଁଠି ବିରଳତମ କଳାବାଘ (ବ୍ଲାକ୍ ଟାଇଗର)ଙ୍କୁ ଦେଖିବାକୁ ମିଳେ। ମୟୂରଭଞ୍ଜର ଶିମିଳିପାଳ ଜାତୀୟ ଅଭୟାରଣ୍ୟ କିଛି କଟକଣା ସହ ଗତ ନଭେମ୍ବର ମାସରୁ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲାଯାଇଛି। ଏସୀୟ ହାତୀ, ମହାବଳ ବାଘ ସମେତ ୪୦ ପ୍ରକାର ସ୍ତନ୍ୟପାୟୀ ପ୍ରାଣୀ ରହୁଥିବା ଏହି ଅଭୟାରଣ୍ୟର ପରିବେଶକୁ ସୁସ୍ଥ ଓ ସ୍ବଚ୍ଛ ରଖିବା ଲାଗି ପର୍ଯ୍ୟଟକଙ୍କ ସଂଖ୍ୟା ଉପରେ କଟକଣା କରାଯାଇଛି। ଦିନକୁ ୬୦ରୁ ଅଧିକ ଗାଡ଼ିକୁ ଭିତରକୁ ଯିବାକୁ ଅନୁମତି ମିଳୁନାହିଁ ବୋଲି ଟାଇମ୍ ପତ୍ରିକାରେ ଲେଖାଯାଇଛି।

ସମ୍ବନ୍ଧିତ ଖବର