କରୋନା ଯାଇନାହିଁ, ସମସ୍ତେ ଟିକା ନିଅନ୍ତୁ

ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବାର୍ତ୍ତା

ମୋର ପ୍ରିୟ ଦେଶବାସୀ, ନମସ୍କାର!

ଦେଶବିଦେଶରେ ରହୁଥିବା ସବୁ ଭାରତୀୟଙ୍କୁ ସ୍ୱାଧୀନତା ଦିବସର ହାର୍ଦ୍ଦିକ ଅଭିନନ୍ଦନ। ଚଳିତବର୍ଷ ଆମେ ୭୫ତମ ସ୍ୱାଧୀତନା ଦିବସ ପାଳନ କରୁଥିବାରୁ ଏହି ଦିନଟିର ଗୁରୁତ୍ୱ ଆମ ପାଇଁ ସ୍ୱତନ୍ତ୍ର। ଏଥିପାଇଁ ଦେଶରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳିତ ହେଉଛି। ଏହି ମହତ୍ତ୍ବପୂର୍ଣ୍ଣ ଅବସରରେ ମୁଁ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି।

ସ୍ୱାଧୀନତା ଦିବସ ଆମ ସମସ୍ତଙ୍କ ପାଇଁ ଏକ ମୁକ୍ତିର ଉତ୍ସବ। ପିଢି ପିଢିର ମୁକ୍ତି ସଂଗ୍ରାମୀଙ୍କ ଅଦମ୍ୟ ତ୍ୟାଗ ଓ ବଳିଦାନ ଦ୍ୱାରା ଏହା ସମ୍ଭବ ହୋଇଛି। ସେମାନଙ୍କ ମଧ୍ୟରୁ କେତେକ ଜ୍ଞାତ ଓ ଅନେକ ଅଜ୍ଞାତ। ସେମାନଙ୍କ ତ୍ୟାଗର ପଟାନ୍ତର ନାହିଁ। ସେମାନଙ୍କର ବୀରତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଆଜି ଆମେ ସମସ୍ତେ ମୁକ୍ତ ଆକାଶତଳେ ନିଃଶ୍ୱାସ ମାରୁଛୁ। ସେହି ବୀର ସହିଦମାନଙ୍କ ପବିତ୍ର ସ୍ମୃତିପ୍ରତି ସମ୍ମାନ ଜଣାଇ ମୁଁ ମୋର ମଥାନତ କରୁଛି।

ଆମ ଦେଶ ଅନ୍ୟାନ୍ୟ ବିଭିନ୍ନ ରାଷ୍ଟ୍ରଭଳି ଉପନିବେଶବାଦୀ ଶାସନ କାଳରେ ଅନେକ ଅନ୍ୟାୟ ଓ ଅତ୍ୟାଚାର ସହିଛି। ତେବେ ଭାରତ କ୍ଷେତ୍ରରେ ଏହାର ବ୍ୟତିକ୍ରମ ହେଲା ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ପରିଚାଳିତ ଆମର ଜାତୀୟ ସଂଗ୍ରାମର ଚରିତ୍ର ଭିନ୍ନ ଥିଲା। ଏହି ସଂଗ୍ରାମର ନୀତି ଥିଲା ସତ୍ୟ ଓ ଅହିଂସା। ଆମ ସାଧାରଣତନ୍ତ୍ରର ୭୪ ବର୍ଷର ଯାତ୍ରା ପରେ ଏବେ ଆମେ ପଛକୁ ଚାହିଁଲେ ଆମର ଉପଲବ୍ଧି ଓ ସଫଳତା ପାଇଁ ଗର୍ବ ଅନୁଭବ କରିବାର ଯଥେଷ୍ଟ କାରଣ ରହିଛି। ଆମେ ଏ କ୍ଷେତ୍ରରେ ଉଲ୍ଲେଖନୀୟ ପଥ ଅତିକ୍ରମ କରିଛୁ।

ନିକଟରେ ଶେଷ ହୋଇଥିବା ଟୋକିଓ ଅଲିମ୍ପିକ୍ସରେ ଆମର କ୍ରୀଡାବିତ୍‌ମାନେ ଉତ୍ତମ କ୍ରୀଡ଼ା ପ୍ରଦର୍ଶନ କରି ଦେଶ ପାଇଁ ଗୌରବ ଆଣିଛନ୍ତି। ଏହି କ୍ରୀଡାର ୧୨୧ ବର୍ଷର ଇତିହାସରେ ଭାରତ ଏଥର ସର୍ବାଧିକ ପଦକ ଅର୍ଜନ କରିଛି। ଆମ ଝିଅମାନେ କ୍ରୀଡାଙ୍ଗନରେ ଅନେକ ବାଧା ଓ ପ୍ରତିକୂଳ ସ୍ଥିତିକୁ ଅତିକ୍ରମ କରି ବିଶ୍ୱସ୍ତରୀୟ ଉତ୍କର୍ଷ ପ୍ରଦର୍ଶନ କରିଛନ୍ତି। ଖେଳକୁଦ ସହିତ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନେ ଅଂଶଗ୍ରହଣ କରି ସଫଳତାର ନୂଆ ନୂଆ କାହାଣୀ ରଚନା କରୁଛନ୍ତି। ଉଚ୍ଚଶିକ୍ଷାଠାରୁ ଆରମ୍ଭ କରି ପ୍ରତିରକ୍ଷାବାହିନୀ, ପରୀକ୍ଷାଗାରଠାରୁ ଖେଳପଡିଆ- ଆମ ଝିଅମାନେ ସବୁ କ୍ଷେତ୍ରରେ ତାଙ୍କର ଉପସ୍ଥିତି ଜାହିର କରି ସଫଳ ହେଉଛନ୍ତି। ଆମ କନ୍ୟାମାନଙ୍କର ଏହି ସଫଳତାରେ ମୁଁ ଭବିଷ୍ୟତର ବିକଶିତ ଭାରତର ଝଲକ ଦେଖିପାରୁଛି। ସବୁ ପିତାମାତା କନ୍ୟାମାନଙ୍କୁ ଆବଶ୍ୟକ ସୁବିଧା ଯୋଗାଇ ସେମାନଙ୍କର ଅଭିବୃଦ୍ଧିର ମାର୍ଗ ନିର୍ଦ୍ଧାରଣ କରିବାକୁ ମୁଁ ଆହ୍ୱାନ ଜଣାଉଛି।

ମହାମାରୀ ଯୋଗୁଁ ସ୍ୱାଧୀନତା ଦିବସ ପାଳନର ପରିସର ସୀମିତ ହୋଇଛି। ତଥାପି ଆମର ହୃଦୟ ଏହି ପବିତ୍ର ଦିବସ ପାଇଁ ସଦାସର୍ବଦା ଉତ୍ସାହରେ ଭରି ରହିଛି। ଏବେ ଦେଶରେ ମହାମାରୀର ପ୍ରକୋପ ହ୍ରାସ ପାଇଛି; ହେଲେ କରୋନା ଭୂତାଣୁ ଏଯାଏଁ ଯାଇନାହିଁ। ଗତବର୍ଷ ସମସ୍ତଙ୍କ ସହଯୋଗ ଫଳରେ ଆମେ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିପାରିଥିଲୁ। ଆମ ବୈଜ୍ଞାନିକମାନେ ଖୁବ୍‌ କମ୍‌ ସମୟରେ ଟିକା ତିଆରି କରିବାରେ ସଫଳ ହୋଇଥିଲେ। ତେଣୁ ଚଳିତବର୍ଷର ପ୍ରାରମ୍ଭରେ ଆମେ ବିଶେଷ ଆଶାବାଦୀ ହୋଇ ବିଶ୍ୱର ସର୍ବବୃହତ୍‌ ଟିକାକରଣ ଅଭିଯାନ ଆରମ୍ଭ କରିଥିଲୁ। ତଥାପି ନୂଆ ପ୍ରକାରର ଭୂତାଣୁଙ୍କ ଆବିର୍ଭାବ ଏବଂ ଅନ୍ୟ କେତେକ ଅନିଚ୍ଛାକୃତ କାରଣ ଯୋଗୁଁ ଭାରତ ଏକ ଭୟାନକ ଦ୍ୱିତୀୟ ଲହରର ସମ୍ମୁଖୀନ ହୋଇଥିଲା। ଆଶ୍ୱାସନାର ବିଷୟ ଯେ ଏହି ଲଢେଇରେ ଆମେ ଯେତେ ଜୀବନ ହରାଇଛୁ ତାହାଠାରୁ ବହୁ ଅଧିକ ଜୀବନ ରକ୍ଷା କରିବାରେ ସଫଳ ହୋଇଛୁ। ଦ୍ୱିତୀୟ ଲହର ଫଳରେ ଆମ ଦେଶର ସରକାରୀ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ବିଶେଷ ଚାପଗ୍ରସ୍ତ ହୋଇଥିଲା। ଆମ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଯେଉଁ ଅଭାବ ଥିଲା ତାହାକୁ ଆମେ ଯୁଦ୍ଧକାଳୀନଭିତ୍ତିରେ ପୂରଣ କରିବାରେ ସଫଳ ହୋଇଛୁ। କରୋନା ମହାମାରୀରୁ ସୁରକ୍ଷିତ ରହିବା ପାଇଁ ବିଜ୍ଞାନ ଆମକୁ ସମ୍ଭାବ୍ୟ ସର୍ବଶ୍ରେଷ୍ଠ ଉପାୟ ଟିକା ଆକାରରେ ଯୋଗାଇଛି। ବିଶ୍ୱର ସର୍ବବୃହତ୍‌ ଟିକାକରଣ ଅଭିଯାନ ଏବେ ସାରା ଭାରତରେ ଚାଲିଛି। ଏ ପର୍ଯ୍ୟନ୍ତ ୫୦ କୋଟିରୁ ଅଧିକ ଭାରତୀୟ ଟିକା ନେଇସାରିଲେଣି। ଯେଉଁମାନେ ଟିକା ନ ନେଇଛନ୍ତି ସେମାନେ ଯଥାଶୀଘ୍ର ନେଇ ଅନ୍ୟମାନଙ୍କୁ ଉତ୍ସାହିତ କରିବାକୁ ମୁଁ ଆହ୍ୱାନ ଜଣାଉଛି।

ମହାମାରୀର ଅର୍ଥନୈତିକ ପ୍ରଭାବ ସ୍ୱାସ୍ଥ୍ୟଗତ ପ୍ରଭାବ ଭଳି ଅତ୍ୟନ୍ତ ଭୟଙ୍କର। ଏହାକୁ ଦୃଷ୍ଟିରେ ରଖି ସରକାର ନିମ୍ନମଧ୍ୟବିତ୍ତ, ଗରିବବର୍ଗର ଲୋକ ତଥା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡିକର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି। ସେହିଭଳି ଲକ୍‌ଡାଉନ ଓ କଟକଣା ଯୋଗୁଁ ଯେଉଁ ଶ୍ରମିକ, କର୍ମଚାରୀ ଓ ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ସେମାନଙ୍କ ପ୍ରତି ମଧ୍ୟ ସରକାର ସମ୍ବେଦନଶୀଳ ହୋଇ ସେମାନଙ୍କ ଆବଶ୍ୟକତା ପୂରଣ କରିଛନ୍ତି। ଗତବର୍ଷ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ରିଲିଫ ଓ ସହାୟତା ଯୋଗାଣ ହୋଇଥିଲା। ଏ ବର୍ଷ ମଧ୍ୟ ସରକାର ପ୍ରାୟ ୮୦ କୋଟି ଲୋକଙ୍କୁ ଗତ ମେ ଓ ଜୁନ୍‌ ମାସରେ ଖାଦ୍ୟଶସ୍ୟ ଯୋଗାଇ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ଆସନ୍ତା ଦୀପାବଳି ପର୍ଯ୍ୟନ୍ତ ଚାଲିବ। ଆହୁରି ମଧ୍ୟ କୋଭିଡ୍‌ ପ୍ରଭାବିତ କେତେକ ବଛା ବଛା ଉଦ୍ୟୋଗ ପାଇଁ ସରକାର ୬ ଲକ୍ଷ ୨୮ ହଜାର କୋଟି ଟଙ୍କାର ଏକ ପ୍ୟାକେଜ ଘୋଷଣା କରିଛନ୍ତି। ଏହା ସେହି ଉଦ୍ୟୋଗକୁ ପ୍ରୋତ୍ସାହିତ କରିବାରେ ସହାୟକ ହେବ।

ଜମ୍ମୁ-କାଶ୍ମୀରରେ ଏକ ନୂଆ ସୂର୍ଯ୍ୟୋଦୟ ଆସିଛି। ସେଠାରେ ଯେଉଁମାନଙ୍କର ଗଣତନ୍ତ୍ର ଓ ଆଇନର ଶାସନ ଉପରେ ବିଶ୍ୱାସ ରହିଛି ସେମାନଙ୍କ ସହ ପରାମର୍ଶ ପ୍ରକ୍ରିୟା ସରକାର ଆରମ୍ଭ କରିଛନ୍ତି। ଗଣତାନ୍ତ୍ରିକ ସଂସ୍ଥା ଓ ଅନୁଷ୍ଠାନ ମାଧ୍ୟମରେ ନିଜ ନିଜର ଆଶା ଆକାଂକ୍ଷା ପୂରଣ କରିବା ପାଇଁ କାଶ୍ମୀରବାସୀ ଏହି ସୁଯୋଗକୁ ଉପଯୋଗ କରିବା ପାଇଁ ମୁଁ ଆହ୍ୱାନ ଜଣାଉଛି। ଏହି ସ୍ୱତନ୍ତ୍ର ବର୍ଷଟିକୁ ସ୍ମରଣୀୟ କରିବା ପାଇଁ ସରକାର ଅନେକ ଯୋଜନା ଆରମ୍ଭ କରିଛନ୍ତି। ସେଥିମଧ୍ୟରୁ ଅନ୍ୟତମ ଉତ୍ସାହଜନକ ବିଷୟ ହେଲା ଗଗନଯାନ ମିସନ। ଭାରତୀୟ ବାୟୁସେନାର ପାଇଲଟମାନେ ଏଥିପାଇଁ ବିଦେଶରେ ତାଲିମ ନେଉଛନ୍ତି। ସେମାନେ ଯେତେବେଳେ ମହାକାଶକୁ ଉଡାଣ ଆରମ୍ଭ କରିବେ ତାହା ସହିତ ଭାରତ ବିଶ୍ୱର ଚତୁର୍ଥ ରାଷ୍ଟ୍ରଭାବେ ମାନବବାହୀ ମହାକାଶ ଅଭିଯାନକାରୀ ରାଷ୍ଟ୍ରର ମର୍ଯ୍ୟାଦା ପାଇବ। ଆମେ ଯେତେବେଳେ ଏ କ୍ଷେତ୍ରରେ ଆମ ଉଚ୍ଚାଭିଳାଷକୁ ଡେଣା ଲଗାଉଛୁ ଠିକ୍‌ ସେତେବେଳେ ଆମେ କୌଣସି ସୀମିତତା ଓ ଅଭାବ ଭିତରେ ନିଜକୁ ସଂକୁଚିତ କରିବାକୁ ଚାହୁଁନାହୁଁ।

ମୁଁ ୭୫ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ପୁନର୍ବାର ଆପଣଙ୍କୁ ଅଭିନନ୍ଦନ ଜ୍ଞାପନ କରୁଛି। ଏହି ଉତ୍ସବ ପାଳନ ଅବସରରେ ମୁଁ କଳ୍ପନା-ନେତ୍ରରେ ୨୦୪୭ ସ୍ୱାଧୀନତା ଦିବସ ଉତ୍ସବ ପାଳନକୁ ଦେଖିପାରୁଛି; ଯେତେବେଳେ ଆମେ ଆମ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବା। ଆମ ଦେଶବାସୀ କୋଭିଡ୍‌ ମହାମାରୀ ଅସୁବିଧା ଭିତରୁ ବାହାରି ଖୁସି ଓ ସମୃଦ୍ଧିର ପଥରେ ଶୀଘ୍ର ଆଗେଇ ଯାଆନ୍ତୁ; ମୁଁ ଏହା କାମନା କରୁଛି। ଜୟହିନ୍ଦ୍‌।

ସମ୍ବନ୍ଧିତ ଖବର