ପ୍ରବାସୀ ଶ୍ରମିକମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ହରାଇଛନ୍ତି ରୋଜଗାର

ନୂଆଦିଲ୍ଲୀ : ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକମାନେ ରୋଜଗାର ଓ ଜୀବିକା ହରାଇବା ପ୍ରସଂଗରେ କରାଯାଇଥିବା ଏକ ସର୍ଭେରେ ଦୁଇ ତୃତୀୟାଂଶ ଶ୍ରମିକ ରୋଜଗାର ହରାଇଥିବାର ଜଣାପଡ଼ିଛି।

ଅଜିମ ପ୍ରେମଜୀ ବିଶ୍ବବିଦ୍ୟାଳୟ ଓ ସିଭିଲ୍‌ ସୋସାଇଟି ଅର୍ଗାନାଇଜେସନ୍‌ ପକ୍ଷରୁ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ବିହାର, ଦିଲ୍ଲୀ, ଗୁଜରାଟ, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତେଲେଙ୍ଗାନା, ପଶ୍ଚିମବଂଗର ୪୦୦୦ ଶ୍ରମିକମାନଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ସର୍ଭେରେ ୧୨ଟି ରାଜ୍ୟର ଶ୍ରମିକମାନଙ୍କୁ ଫେବ୍ରୁଆରି ମାସରୁ ଆଜି ପର୍ଯ୍ୟନ୍ତ ସେମାନଙ୍କର ଆୟ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ସର୍ଭେରେ ଯେଉଁ ଶ୍ରମିକମାନଙ୍କର ଚାକିରି ରହିଯାଇଛି, ସେମାନଙ୍କର ଆୟ ହ୍ରାସ ପାଇଛି ବୋଲି ଜଣାପଡିଛି। ସହରାଞ୍ଚଳରେ ରୋଜଗାର ହରାଇବାର ସ୍ଥିତି ସବୁଠାରୁ ଖରାପ ରହିଛି। ଏଠାରେ ପ୍ରତ୍ୟେକ ୧୦ ଜଣଙ୍କ ମଧ୍ୟରୁ ୮ ଜଣ ରୋଜଗାର ହରାଇଥିବାର ସର୍ଭେରୁ ଜଣାପଡ଼ିଛି। ଅପରପକ୍ଷେ, ଗ୍ରାମାଞ୍ଚଳରେ ରୋଜଗାରର ସ୍ଥିତି କିଛି ମାତ୍ରାରେ ଠିକ୍‌ ରହିଥିବା କୁହାଯାଇଛି। ଗ୍ରାମାଞ୍ଚଳରେ ୧୦ ଜଣଙ୍କ ମଧ୍ୟରୁ ୬ ଜଣ ପ୍ରଭାବିତ ହୋଇଛନ୍ତି। ସର୍ଭେରେ ଅଣକୃଷି କ୍ଷେତ୍ରରେ ଆ‌ୟ ୯୦ ପ୍ରତିଶତ ହ୍ରାସ ପାଇଥିବାର କୁହାଯାଇଛି। ଅଣ କୃଷିକ୍ଷେତ୍ରରେ ଯେଉଁ ଦାଦନ ଶ୍ରମିକ ସପ୍ତାହରେ ହାରାହାରି ୯୪୦ ଟଙ୍କା ଉପାର୍ଜନ କରୁଥିଲେ, ସେମାନଙ୍କର ଆ‌ୟ ଅଧା ହୋଇଯାଇଛି।

ଶ୍ରମିକମାନଙ୍କୁ ଅତି କମ୍‌ରେ ଛଅ ମାସ ପର୍ଯ୍ୟନ୍ତ ମାଗଣା ରାସନ ଯୋଗାଣ, ଗ୍ରାମୀଣ କ୍ଷେତ୍ରରେ ମନରେଗା କାର୍ଯ୍ୟକ୍ଷେତ୍ରକୁ ବୃଦ୍ଧି କରିବା ଆଦି ସର୍ଭେରେ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର