ମିସନ୍‌ ଶକ୍ତି ସଫଳ:ଉପଗ୍ରହ ଧ୍ବଂସ କଲା ଏ-ସ୍ୟାଟ୍‌

ରାଜନୀତି ତେଜିଲା:ମୋଦୀଙ୍କୁ ଘେରିଲେ ବିରୋଧୀ:ପ୍ରଧାନମନ୍ତ୍ରୀଙ୍କ ଭାଷଣର ଯାଞ୍ଚ କରିବ ନିର୍ବାଚନ କମିସନ

ଉପଗ୍ରହ ବିଧ୍ବଂସୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ
୩୦୦ କିମି ଉଚ୍ଚରେ ଟାର୍ଗେଟ୍‌ ଭେଦ କଲା ଏ-ସ୍ୟାଟ୍‌
ଆମେରିକା, ରୁଷ, ଚୀନ୍‌ ପରେ ଭାରତ ଚତୁର୍ଥ ମହାଶକ୍ତି

ନୂଆଦିଲ୍ଲୀ: ଭାରତ ମହାକାଶରେ ଆଜି ନିଜର ଶକ୍ତି ପ୍ରଦର୍ଶନ କରିଛି। ‘ମିସନ୍‌ ଶକ୍ତି’ ମାଧ୍ୟମରେ ଅନ୍ତରୀକ୍ଷରେ ଏକ ଲାଇଭ୍‌ ଉପଗ୍ରହକୁ କ୍ଷେପଣାସ୍ତ୍ର ମାଡ଼ କରି ଧ୍ବଂସ କରିଛି ଭାରତ। ଉପଗ୍ରହ ବିଧ୍ବଂସୀ କ୍ଷେପଣାସ୍ତ୍ର (ଏ-ସ୍ୟାଟ୍‌)ର ସଫଳ ପରୀକ୍ଷଣ ସହ ଭାରତ ଏବେ ଆମେରିକା, ରୁଷିଆ ଏବଂ ଚୀନ୍‌ ପରେ ଚତୁର୍ଥ ଅନ୍ତରୀକ୍ଷ ମହାଶକ୍ତି ଭାବେ ନିଜକୁ ସାବ୍ୟସ୍ତ କରିଛି। ମହକାଶରେ ଚୀନ୍‌ ଲଗାତାର ନିଜର ଶକ୍ତି ବୃଦ୍ଧି ଘଟାଇ ଚାଲିଥିବା ବେଳେ ଭାରତର ଉପଗ୍ରହ ଧ୍ବଂସକାରୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷର ବିଶ୍ବ ସମୁଦାୟକୁ ଚମକାଇ ଦେଇଛି। ଏହି ସଫଳ ପରୀକ୍ଷଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ଭାରତ ଏବେ ବିଶ୍ବର ଚତୁର୍ଥ ଅନ୍ତରୀକ୍ଷ ମହାଶକ୍ତି ଭାବେ ନିଜକୁ ପ୍ରତିପାଦିତ କରିଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଉଦ୍‌ବୋଧନରେ କହିଥିଲେ, ଆମ ବୈଜ୍ଞାନିକମାନେ ୩୦୦ କିମି ଦୂରରେ ଥିବା ‘ଲୋ ଆର୍ଥ ଅର୍ବିଟ୍‌’ରେ ଏକ ଉପଗ୍ରହକୁ କ୍ଷେପଣାସ୍ତ୍ର ମାଡ଼ କରି ନଷ୍ଟ କରିଦେଇଛନ୍ତି। ଏହି ଅପରେସନ ମାତ୍ର ତିନି ମିନିଟ୍‌ରେ ସଂପୂର୍ଣ୍ଣ ହୋଇଥିଲା। ମିସନ୍‌ ଶକ୍ତି ନାମରେ ହୋଇଥିବା ଏହି ଅପରେସନ ଅତ୍ୟନ୍ତ ଜଟିଳ ଏବଂ ବିରଳ ଥିଲା। ଅତ୍ୟନ୍ତ ଉଚ୍ଚକୋଟୀର ବୈଷୟିକ ଜ୍ଞାନକୌଶଳରେ ତିଆରି ହୋଇଥିବା ଏହି କ୍ଷେପଣାସ୍ତ୍ର ସଂପୂର୍ଣ୍ଣ ସ୍ବଦେଶୀ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଉଦ୍‌ବୋଧନରେ କହିଥିଲେ। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ପ୍ରତିଷ୍ଠାନ (ଡିଆର୍‌ଡିଓ)ର ବୈଜ୍ଞାନିକମାନେ ନିର୍ଦ୍ଧାରିତ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସାଧନରେ ସଫଳ ହୋଇଛନ୍ତି ଏବଂ ଏହା ଦେଶବାସୀଙ୍କ ପାଇଁ ଗର୍ବର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ତେବେ ଏହି ଉପଗ୍ରହ ବିଧ୍ବଂସୀ କ୍ଷେପଣାସ୍ତ୍ର ପରୀକ୍ଷଣ କେବଳ ଭାରତ ନିଜର ସୁରକ୍ଷା ପାଇଁ କରିଛି ଏବଂ ଆମେ ସର୍ବଦା ଶାନ୍ତି ଚାହୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଆଜି ପୂର୍ବାହ୍ନ ୧୧ଟା ୧୬ ମିନିଟରେ ଉପଗ୍ରହ ବିଧ୍ବଂସୀ ଏ-ସ୍ୟାଟ୍‌ କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଥିଲା। ୩୦୦ କିମି ଉଚ୍ଚରେ ଥିବା ଏକ ପୁରୁଣା ଉପଗ୍ରହକୁ ଏହା ସଫଳତାର ସହ ନଷ୍ଟ କରିଥିଲା। ଏହି ଉପଗ୍ରହକୁ ପୂର୍ବରୁ ସେବାରୁ ହଟାଇ ଦିଆଯାଇଥିଲା। ପ୍ରତିରକ୍ଷା ସୂତ୍ରରୁ ଜଣାପଡ଼ିଛି ଯେ ଭାରତ ଏହି କ୍ଷେପଣାସ୍ତ୍ର ୨୦୧୨ରୁ ବିକାଶ କରିଥିଲେ ମଧ୍ୟ ବିଭିନ୍ନ କାରଣରୁ ଏହାର ପରୀକ୍ଷଣ ହୋଇପାରୁନଥିଲା। ପୂର୍ବରୁ ରହିଥିବା କେତେକ ଅନ୍ତର୍ଜାତୀୟ ମହକାଶ କଟକଣା ଯୋଗୁଁ ଏହି କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ୟୁପିଏ ସରକାର ଆଗଭର ହୋଇନଥିଲେ। ଆଜି ସବୁ ପ୍ରତିବନ୍ଧକକୁ ଏଡ଼ାଇ ଉପଗ୍ରହ ବିଧ୍ବଂସୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି । ତେବେ ଏହି କ୍ଷେପଣାସ୍ତ୍ର ପରୀକ୍ଷଣ ଦ୍ବାରା ଭାରତ କୌଣସି ଅନ୍ତର୍ଜାତୀୟ ଚୁକ୍ତିକୁ ଉଲ୍ଲଂଘନ କରିନାହିଁ ବୋଲି ଆଜି ସ୍ପଷ୍ଟ କରିଛି। ୨୦୦୭ରେ ଚୀନ୍‌ ଏଭଳି ପରୀକ୍ଷଣ କରିଥିଲା ଶୀତଳ ଯୁଦ୍ଧ ସମୟରେ ଆମେରିକା ୧୯୮୫ରେ ଶେଷ ଥର ପାଇଁ ନିଜର ଏକ ପି-୭୮୧ ସ୍ୟାଟେଲାଇଟ୍‌କୁ ଧ୍ବଂସ କରିବା ପାଇଁ କ୍ଷେପଣାସ୍ତ୍ର ପ୍ରୟୋଗ କରି ସଫଳ ହୋଇଥିଲା। ତେବେ ଏହି କ୍ଷେପଣାସ୍ତ୍ର ପ୍ରୟୋଗ ମହକାଶରେ ଅନ୍ୟ ଉପଗ୍ରହ ପାଇଁ ବପଜ୍ଜନକ ସାବ୍ୟସ୍ତ ହୋଇଥିବାରୁ ରୁଷ୍‌ ଏହାର ଜୋର୍‌ଦାର ବିରୋଧ କରିଥିଲା।

ନୂଆଦିଲ୍ଲୀ: ଡିଆର୍‌ଡିଓର ‘ମିସନ୍‌ ଶକ୍ତି’କୁ ନେଇ  ରାଜନୀତି ଜୋର୍‌ଦାର ହୋଇଛି। ଉପଗ୍ରହ ବିଧ୍ବଂସୀ ଅଭିଯାନ ‘ମିସନ୍‌ ଶକ୍ତି’କୁ କଂଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାର ଅନୁମତି ଦେଇନଥିଲେ। ଯଦି ୟୁପିଏ ସରକାର ୨୦୧୨-୧୩ରେ ଏହି ଅନୁମତି ଦେଇଥାନ୍ତେ ତା’ହେଲେ ୨୦୧୪-୧୫ ମଧ୍ୟରେ ଏହି ଅଭିଯାନ ପୂରା ହୋଇଥାନ୍ତା ବୋଲି ପୂର୍ବ ଇସ୍ରୋ ଅଧ୍ୟକ୍ଷ ମାଧବନ ନାୟର ବୟାନ ଦେବାପରେ ଏହାକୁ ନେଇ ରାଜନୈତି ଝଡ଼ ସୃଷ୍ଟି ହୋଇଛି। ଇସ୍ରୋ ପୂର୍ବ ଅଧ୍ୟକ୍ଷଙ୍କ ବୟାନକୁ ନେଇ ଏନ୍‌ଡିଏ ସରକାର କଂଗ୍ରେସକୁ ଘେରିବାକୁ କୌଣସି ସୁଯୋଗ ହାତଛଡ଼ା କରିନଥିବା ବେଳେ ବିରୋଧୀ ଦଳମାନେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଡିଆର୍‌ଡିଓ ସଫଳତାରୁ ରାଜନୈତିକ ଫାଇଦା ଉଠାଉଥିବା ଅଭିଯୋଗ କରିଛନ୍ତି।
ରାହୁଲ ଛିଗୁଲେଇଲେ
‘ହ୍ୟାପି ୱାର୍ଲଡ୍‌ ଥିଏଟର୍‌ ଡେ’
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପଗ୍ରହ ବିଧ୍ବଂସୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପାଇଁ ସବୁ ଶ୍ରେୟ ନେଉଛନ୍ତି ବୋଲି ଦର୍ଶାଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦୀଙ୍କୁ ‘ହେପି ୱାର୍ଲଡ୍‌ ଥିଏଟର୍‌ ଡେ’ ବୋଲି କହି ଉପହାସ କରିଛନ୍ତି। ଆଜି ମୋଦୀ ଟ୍ବିଟର୍‌ ମାଧ୍ୟମରେ ୧୧ଟା ୪୫ରୁ ୧୨ଟା ମଧ୍ୟରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବେ ବୋଲି ସୂଚନା ଦେବା ପରେ ଏହାକୁ ନେଇ ସବୁ ମହଲରେ ଉତ୍କଣ୍ଠା ବଢ଼ିଯାଇଥିଲା। ପ୍ରାୟ ୧୨ଟା ୧୫ ମିନିଟ୍‌ରେ ପ୍ରଧାନମନ୍ତ୍ରୀ ମିସନ୍‌ ଶକ୍ତିର ସଫଳତା ଘୋଷଣା କରିଥିଲେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ରାହୁଲଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ଗୋଟିଏ ପରିବାର ପାଇଁ ଦେଶକୁ ଅନେକ ଦୁର୍ଦ୍ଦିନର ସାମ୍ନା କରିବାକୁ ପଡ଼ୁଛି। କଂଗ୍ରେସ ପାଇଁ ବୈଜ୍ଞାନିକଙ୍କ ସଫଳତା ଏକ ଡ୍ରାମା ଏବଂ ସୈନିକଙ୍କ ବଳିଦାନ ମଧ୍ୟ ଏକ ଡ୍ରାମା। ଯେଉଁ ପରିବାର ଦେଶକୁ କେବଳ ଲୁଟିଛି ସେହି ପରିବାର ଆଜି ଦେଶର ସଫଳତାକୁ ନେଇ ଉପହାସ କରୁଛି। ଅନ୍ତରୀକ୍ଷରେ ଉପଗ୍ରହ ବିଧ୍ବଂସୀ କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଥିବା ବେଳେ ପୃଥିବୀରେ କିଛି ଲୋକ କ୍ଷତାକ୍ତ ହୋଇଛନ୍ତି ବୋଲି ଶାହ କହିଛନ୍ତି।
ମୋଦୀଙ୍କ ଡ୍ରାମାର ସୀମା ନାହିଁ: ମମତା
ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ମଧ୍ୟ ମିସନ୍‌ ଶକ୍ତିକୁ ନେଇ ଏନ୍‌ଡିଏ ସରକାର ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଭିମୁଖ୍ୟକୁ ବିରୋଧ କରିଛନ୍ତି I ନିର୍ବାଚନ ଆଗକୁ ଥିଲା ବେଳେ ମୋଦୀ ଏଭଳି ଡ୍ରାମା କରୁଛନ୍ତି ଯାହାର ସୀମା ନାହିଁ ବୋଲି ସେ କହିଛନ୍ତି। ସେ ଏହାକୁ ନିର୍ବାଚନ ଆଚରଣବିଧିର ଖୋଲା ଉଲଂଘନ ବୋଲି ଅଭିଯୋଗ କରିଛନ୍ତି I ମମତା ମିସନ ଶକ୍ତି ଘୋଷଣାକୁ ନେଇ ବିଜେପି ବିରୋଧରେ ନିର୍ବାଚନ କମିସନ ପାଖରେ ମାମଲା ରୁଜୁ କରିବେ ବୋଲି ସୂଚନା ଦେଇଛନ୍ତି I
ଦେଶବାସୀଙ୍କ ଧ୍ୟାନ ହଟାଉଛନ୍ତି ମୋଦୀ: ସମାଜବାଦୀ ପାର୍ଟି
ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଟିଭିରେ ଘଣ୍ଟାଏ ସମୟ ମାଗଣା ପାଇଗଲେ ଏବଂ ମୁଖ୍ୟ ସମସ୍ୟାଗୁଡିକ ଉପରୁ ଦେଶବାସୀଙ୍କ ଧ୍ୟାନ ହଟାଇବାକୁ ସେ ପ୍ରାୟାସ କରିଛନ୍ତି।
କମିଟି ଗଠନ କଲେ ନିର୍ବାଚନ କମିସନ
ମିସନ୍‌ ଶକ୍ତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଉଦ୍‌ବୋଧନର ଯାଞ୍ଚ କରିବା ପାଇଁ ନିର୍ବାଚନ କମିସନ ଆଜି ସନ୍ଧ୍ୟାରେ ଏକ କମିଟି ଗଠନ କରିଛନ୍ତି। ଅପରେସନ ମିସନ ଶକ୍ତି ସଂପର୍କରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ରାଜନୈତିକ ଫାଇଦା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ବିରୋଧୀ ଦଳମାନଙ୍କ ଅଭିଯୋଗ ପରେ କମିସନ ଏଭଳି ପଦକ୍ଷେପ ନେଇଛନ୍ତି।

ସମ୍ବନ୍ଧିତ ଖବର