ତହସିଲଦାରଙ୍କୁ ଗାଳି କରି ଅଡୁଆରେ ପଡିଲେ ବିଧାୟକ, ୩ ମାସର ଜେଲ ଦଣ୍ଡ ଶୁଣାଇଲେ କୋର୍ଟ

ଅମରାବତୀ: ମହାରାଷ୍ଟ୍ରର ଏକ କୋର୍ଟ ମୋର୍ସି ବିଧାୟକ ଦେବେନ୍ଦ୍ର ଭୁୟାରଙ୍କୁ ଜଣେ ତହସିଲଦାରଙ୍କୁ ଗାଳି କରିବା ଓ ତାଙ୍କ ଉପରେ ମାଇକ ଫୋଫାଡ଼ିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି | ଆଉ କୋର୍ଟ ଆଜି ବିଧାୟକଙ୍କୁ ତିନିମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅମରାବତୀ ଜିଲ୍ଲା କୋର୍ଟର ବିଚାରପତି ଏସ୍ ଏସ ଆଡକର ବିଧାୟକଙ୍କୁ ୧୫,୦୦୦ ଟଙ୍କା ଜରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଏବଂ ତହସିଲଦାରଙ୍କୁ କ୍ଷତିପୂରଣ ଭାବରେ ୧୦,୦୦୦ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଦେବାରେ ବିଫଳ ହେଲେ ବିଧାୟକଙ୍କୁ ଅତିରିକ୍ତ ଏକ ମାସ ଜେଲଦଣ୍ଡ ଭୋଗିବାକୁ ହେବ ବୋଲି ବିଚାରପତି କହିଛନ୍ତି।

ସୂଚନା ଅନୁଯାୟୀ, ଫେବୃଆରୀ ୨୭, ୨୦୧୩ ରେ ବିଧାୟକ ଦେବେନ୍ଦ୍ର ଭୁୟାର ଏବଂ ତାଙ୍କ ସମର୍ଥକମାନେ ୱାରୁଦ ତହସିଲଦାର ରାମ ଲଙ୍କେଙ୍କ କାର୍ଯ୍ୟାଳୟରେ ପ୍ରବେଶ କରିଥିଲେ | ସେଠାରେ ସେମାନେ ତହସିଲଦାରଙ୍କୁ ଏକ ମଣ୍ଡି ସମସ୍ୟାକୁ ନେଇ ଗାଳିଗୁଲଜ କରିବା ସହ ତାଙ୍କ ଉପରକୁ ମାଇକ ଫୋଫାଡ଼ିଥିଲେ | ଏହା ପରେ ଲଙ୍କେ ପୁଲିସ ପାଖରେ ଏନେଇ ଅଭିଯୋଗ କରିଥିଲେ |

ପୁଲିସ, ଜଣେ ସରକାରୀ କର୍ମଚାରୀଙ୍କୁ ତାଙ୍କ କର୍ତ୍ତବ୍ୟ ପାଳନ କରିବାରେ ବାଧା ଦେବା ସହିତ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ର ବିଭିନ୍ନ ଧାରା ଅଧୀନରେ ବିଧାୟକ ନାମରେ ମାମଲା ରୁଜୁ କରିଥିଲା। ଆଉ କୋର୍ଟ ମାମଲାର ଶୁଣାଣି କରି ଅଭିଯୁକ୍ତ ବିଧାୟକଙ୍କୁ ତିନିମାସ ଜେଲଦଣ୍ଡ ସହ ୧୫ ହଜାର ଟଙ୍କା ଜରିମାନା ଦେବାକୁ ରାୟ ଦେଇଛନ୍ତି |

ସମ୍ବନ୍ଧିତ ଖବର