ପୁଣେରେ ପ୍ରଧାନମନ୍ତ୍ରୀ ମୋଦୀ

ପୁଣେ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ମହାରାଷ୍ଟ୍ରର ପୁଣେଠାରେ ମହାନ ମରାଠା ଯୋଦ୍ଧା ଛତ୍ରପତି ଶିବାଜୀଙ୍କର ଏକ ୯.୫ ଫୁଟ୍ ଉଚ୍ଚ ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି। ଏଥି ସହ ୩୨.୨ କିମି ଦୀର୍ଘ ମେଟ୍ରୋ ରେଳ ପ୍ରକଳ୍ପର ୧୨ କିମି ବ୍ୟାପ୍ତି (ଷ୍ଟ୍ରେଚ୍‌)ର ଉଦ୍‌ଘାଟନ କରିଛନ୍ତି।

ମୋଦୀ ଗରୱାରେ କଲେଜରୁ ମେଟ୍ରୋ ଟ୍ରେନ୍‌ରେ ବସି ଆନନ୍ଦ ନଗର ମେଟ୍ରୋ ଷ୍ଟେସନରେ ପହଞ୍ଚି ସେଠାରେ ଏମ୍‌ଆଇଟି ପଡ଼ିଆରେ ସମବେତ ଜନତାକୁ ଉଦ୍‌ବୋଧନ ଦେଇଥିଲେ। ସେ ମଧ୍ୟ ସ୍କୁଲ ପିଲାଙ୍କ ସହ ମେଟ୍ରୋରେ ଚଢ଼ିବାର ଫଟୋ ସେୟାର କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ୨୦୧୬ ଡିସେମ୍ବର ୨୪ରେ ପୁଣେବାସୀଙ୍କ ସ୍ବଚ୍ଛନ୍ଦ ଗମନାଗମନ ନିମନ୍ତେ ବିଶ୍ବମାନର ଭିତ୍ତିଭୂମି ଯୋଗାଇଦେବା ଲାଗି ମେଟ୍ରୋ ଟ୍ରେନ୍‌ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ପ୍ରାୟ ୧୧,୪୦୦ କୋଟି ଟଙ୍କାରେ ଏହି ପ୍ରକଳ୍ପଟି ନିର୍ମିତ ହୋଇଛି। ପୁଣେ ମେଟ୍ରୋ ହେଉଛି ଦେଶର ପ୍ରଥମ ପ୍ରକଳ୍ପ ଯେଉଁଥିରେ ସ୍ବଦେଶ-ନିର୍ମିତ ଆଲୁମିନିୟମ୍-ବଡି କୋଚ୍ ରହିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ପୁଣେର ମୁଲାମୁଥା ନଦୀକୁ ପ୍ରଦୂଷଣମୁକ୍ତ କରି ଏହାକୁ ପୁନରୁଜ୍ଜୀବିତ କରିବା ଲାଗି ୧୦୮୦ କୋଟି ଟଙ୍କାର ଏକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ଏବଂ ଯଥାସମୟରେ ପ୍ରକଳ୍ପ ସାରିବା ଉପରେ ଗୁରୁତ୍ବାରୋପ କରିଥିଲେ।

ସମ୍ବନ୍ଧିତ ଖବର