କୃଷି ବିଲ୍‌ ପ୍ରସଙ୍ଗରେ ବିରୋଧୀଙ୍କ ଉପରେ ବର୍ଷିଲେ ମୋଦୀ, କଳା ଟଙ୍କାର ଉତ୍ସ ବନ୍ଦ ହୋଇଗଲା

ନୂଆଦିଲ୍ଲୀ ବିବାଦୀୟ କୃଷି ବିଲ୍‌କୁ ବିରୋଧ କରି ଏବେ ବିଭିନ୍ନ ରାଜ୍ୟରେ ଆନ୍ଦୋଳନ ଜାରି ରହିଛି। ଗତକାଲି ବିଲ୍‌କୁ ବିରୋଧ କରି ଯୁବ କଂଗ୍ରେସ କର୍ମୀଙ୍କ ଦ୍ବାରା ହୋଇଥିବା ଆନ୍ଦୋଳନ ହିଂସାତ୍ମକ ମୋଡ଼ ନେଇଥିଲା। ଇଣ୍ଡିଆ ଗେଟ୍‌ ନିକଟରେ ଏକ ଟ୍ରାକ୍ଟର ଜାଳି ଦିଆଯାଇଥିଲା। ତେବେ ବିରୋଧୀ ଦଳମାନେ ଆନ୍ଦୋଳନକୁ ଉତ୍ସାହିତ କରୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରସଙ୍ଗରେ ଆଜି ବିରୋଧୀ ଦଳଙ୍କ ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି। ମୋଦୀ କହିଛନ୍ତି, ‌ଯେଉଁମାନେ କୃଷି ବିଲ୍‌କୁ ବିରୋଧ କରୁଛନ୍ତି ସେମାନେ କୃଷକଙ୍କୁ ଅପମାନିତ କରୁଛନ୍ତି। ଉତ୍ତରାଖଣ୍ଡରେ ଏକ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ କରି ମୋଦୀ କହିଛନ୍ତି, ନିକଟରେ ସରିଥିବା ସଂସଦ ଅଧିବେଶନରେ, କୃଷକ, ଶ୍ରମିକ ଏବଂ ସ୍ବାସ୍ଥ୍ୟ ପାଇଁ ବିଭିନ୍ନ ସଂସ୍କାର ଅଣାଯାଇଛି।

ଏହି ସଂସ୍କାର ଶ୍ରମିକ, ଯୁବକ, ମହିଳା ଏବଂ ଦେଶର କୃଷକମାନଙ୍କୁ ଅଧିକ ସଶକ୍ତ କରିବ। କିନ୍ତୁ କିଛି ଲୋକ କିଭଳି ନିଜ ସ୍ବାର୍ଥ ପାଇଁ ଏହାକୁ ବିରୋଧ କରୁଛନ୍ତି ତାହାକୁ ସାରା ଦେଶ ଦେଖୁଛି। ସେମାନେ କୃଷକ ପୂଜା କରୁଥିବା ଉପକରଣରେ ନିଆଁ ଲଗାଇ କୃଷକଙ୍କୁ ଅପମାନିତ କରିଛନ୍ତି। ଯେଉଁମାନେ ଏମ୍‌ଏସ୍‌ପିକୁ ବିରୋଧ କରୁଛନ୍ତି ସେମାନେ କୃଷକମାନଙ୍କୁ ଏମ୍‌ଏସ୍‌ପି (ସର୍ବନିମ୍ନ ସହାୟକ ମୂଲ୍ୟ) ପ୍ରସଙ୍ଗରେ ବିଭ୍ରାନ୍ତି କରୁଛନ୍ତି। ନୂଆ ବିଲ୍‌ ଦ୍ବାରା କୃଷକମାନଙ୍କୁ କେବଳ ଏମ୍‌ଏସ୍‌ପି ସୁବିଧା ମିଳିବନି ଏଥିସହ ଜଣେ କୃଷକକୁ ଦେଶର ଯେକୌଣସି ସ୍ଥାନରେ ତା’ର ଉତ୍ପାଦିତ ସାମଗ୍ରୀ ବିକିବାର ସ୍ବାଧୀନତା ମିଳିବ। କିନ୍ତୁ କିଛି ଲୋକ ଏହି ସ୍ବାଧୀନତାକୁ ସହ୍ୟ କରିପାରୁନାହାନ୍ତି। ସେମାନଙ୍କ ପାଇଁ କଳା ଟଙ୍କା ଆସିବାର ଅନ୍ୟ ଏକ ମାଧ୍ୟମ ବନ୍ଦ ହୋଇଯାଇଛି ବୋଲି ସେ କହିଛନ୍ତି। କଂଗ୍ରେସର ନାମ ନନେଇ ମୋଦୀ କହିଥିଲେ ଯେ, ଦୀର୍ଘ ୪ ଦଶନ୍ଧି ଧରି ଦେଶକୁ ଶାସନ କରିଥିବା ଏକ ଦଳର ନିରାଶା‌ ହିଁ ବିରୋଧୀ ଦଳଙ୍କ ଏଭଳି ରାଜନୀତିର ମୂଳ କାରଣ।

ସମ୍ବନ୍ଧିତ ଖବର