ନୂଆ ରୂପରେ ମୋଦୀ ଟିମ୍‌; ଶପଥ ନେଲେ ୪୩ ମନ୍ତ୍ରୀ, ୩୬ ନୂଆ ମୁହଁ

ଓଡ଼ିଶାରୁ ଦୁଇ ନୂଆ ମନ୍ତ୍ରୀ

ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ବିଭାଗ
ରେଳ ମନ୍ତ୍ରୀ ହେଲେ ଅଶ୍ବିନୀ ବୈଷ୍ଣବ
ବିଶ୍ବେଶ୍ବରଙ୍କୁ ଆଦିବାସୀ ବ୍ୟାପାର, ଜଳଶକ୍ତି
ସ୍ବାସ୍ଥ୍ୟ ମନ୍ତ୍ରୀ ହେଲେ ମନ୍‌ସୁଖ ମାଣ୍ଡଭିୟା
ହରଦୀପ ସିଂହ ପୁରୀଙ୍କୁ ପେଟ୍ରୋଲିୟମ୍‌

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ତାଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଆସନ୍ତା ବର୍ଷ ୟୁପି ସମେତ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବ‌ାଚନ ଏବଂ ୨୦୨୪ରେ ହେବାକୁ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ତାଙ୍କ ମନ୍ତ୍ରିମଣ୍ଡଳକୁ ନୂଆ ରୂପ ଦେଇଛନ୍ତି। ମନ୍ତ୍ରିମଣ୍ଡଳରୁ ୧୨ ଜଣଙ୍କୁ ବାଦ୍ ଦେଇଛନ୍ତି। ୭ ଜଣଙ୍କୁ ପଦୋନ୍ନତି ଦେଇଛନ୍ତି ଏବଂ ୩୬ ଜଣଙ୍କୁ ତାଙ୍କ ଟିମରେ ସାମିଲ କରିଛନ୍ତି। ଏହାସହିତ ମନ୍ତ୍ରୀମାନଙ୍କ ବିଭାଗରେ ବଡ଼ ଧରଣର ଅଦଳବଦଳ ମଧ୍ୟ କରିଛନ୍ତି।

ଓଡ଼ିଶାରୁ ଜଣେ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ବାଦ ପଡ଼ିଥିବା ବେଳେ ଆଉ ଦୁଇ ଜଣଙ୍କୁ ସାମିଲ କରାଯାଇଛି। ସେମାନେ‌ ହେଲେ ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ ଏବଂ ମୟୂରଭଞ୍ଜ ସାଂସଦ ବିଶ୍ବେଶ୍ବର ଟୁଡ଼ୁ। ଓଡ଼ିଶାର ସମସ୍ତ ତିନି ଜଣ ମନ୍ତ୍ରୀଙ୍କୁ ଗୁରୁତ୍ବପୂର୍ଣ୍ଣ ବିଭାଗ ମଧ୍ୟ ମିଳିଛି। ଧର୍ମେନ୍ଦ୍ର ପ୍ରଧାନ ନୂଆ ଶିକ୍ଷା ମନ୍ତ୍ରୀ ହୋଇଥିବା ବେଳେ ଅଶ୍ବିନୀଙ୍କୁ ରେଳ ବିଭାଗ ମିଳିଛି। ସେହିଭଳି ବିଶ୍ବେଶ୍ବରଙ୍କୁ ଆଦିବାସୀ ବ୍ୟାପାର ଓ ଜଳଶକ୍ତି ବିଭାଗର ରାଷ୍ଟ୍ର ମନ୍ତ୍ରୀ କରାଯାଇଛି।

ହର୍ଷ ବର୍ଧନଙ୍କୁ ହଟାଯାଇ ତାଙ୍କ ସ୍ଥାନରେ ମନସୁଖ୍ ମଣ୍ଡାଭିୟାଙ୍କୁ ନୂଆ ସ୍ବାସ୍ଥ୍ୟ ମନ୍ତ୍ରୀ କରାଯାଇଛି। ହରଦୀପ ପୁରୀଙ୍କୁ ପେଟ୍ରୋଲିୟମ ବିଭାଗ ଦିଆଯାଇଥିବା ବେଳେ କିରନ ରିଜ୍ଜୁଙ୍କୁ ଆଇନ ବିଭାଗ ଦିଆଯାଇଛି। କଂଗ୍ରେସ ଛାଡ଼ି ବିଜେପି‌େର ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମିଳିଛି ବେସାମରିକ ବିମାନ ଚଳାଚଳ ବିଭାଗ। କ୍ୟାବିନେଟ ମନ୍ତ୍ରୀ ଭାବେ ପଦୋନ୍ନତି ପାଇଥିବା ଅନୁରାଗ ଠାକୁରଙ୍କୁ ସୂଚନା ଓ ପ୍ରସାରଣ ବିଭାଗ, ପୀୟୂଷ ଗୋଏଲଙ୍କୁ ବାଣିଜ୍ୟ ଏବଂ ସ୍ମୃତି ଇରନୀଙ୍କୁ ମିଳିଛି ମହିଳା ଓ ଶିଶୁ କଲ୍ୟାଣ ବିଭାଗ।

ଏହାପୂର୍ବରୁ ବୁୁଧବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ୪୩ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୩୬ ନୂଆ ମନ୍ତ୍ରୀ ସାମିଲ ଅଛନ୍ତି। ଶିବ ସେନାର ପୂର୍ବତନ ମନ୍ତ୍ରୀ ନାରାୟଣ ରାଣେ, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦନ ସୋନୋୱାଲ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ପଶୁପତି ପାରସଙ୍କ ସମେତ ୧୫ ଜଣ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ୨୮ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ୭ ଜଣଙ୍କୁ ପଦୋନ୍ନତି ମିଳିଛି। ୭ ଜଣ କ୍ୟାବିନେଟ୍‌ରୁ ବାଦ ପଡ଼ିଛନ୍ତି ଏବଂ ସେମାନଙ୍କ ମଧ୍ୟରେ ୪ ଜଣ ହାଇ ପ୍ରୋଫାଇଲ୍‌ ମନ୍ତ୍ରୀ ଅଛନ୍ତି। ସଂପ୍ରସାରଣ ପୂର୍ବରୁ ଆଇଟି ଏବଂ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ, ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ, ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କ ଇସ୍ତଫା ଆଜି ଚର୍ଚ୍ଚାରେ ରହିଥିଲା। ସେମାନଙ୍କର ଇସ୍ତଫା ବିଜେପିର କୌଣସି ନୂଆ ରଣନୀତିକୁ ସୂଚନା ଦେଉଛି। ଆଜି ଶପଥ ଗ୍ରହଣ ଉତ୍ସବରେ ଏହି ତିନି ଜଣ ଉପସ୍ଥିତ ଥିଲେ।

ମୋଦୀ ସରକାରଙ୍କ ଦ୍ବିତୀୟ ପାଳିରେ ପ୍ରଥମ ଥର ପାଇଁ ମନ୍ତ୍ରିମଣ୍ଡଳରେ ଏଭଳି ବଡ଼ ଧରଣର ଅଦଳବଦଳ ହୋଇଛି। ୭ ଜଣ ନୂଆ ମନ୍ତ୍ରୀ ଉତ୍ତରପ୍ରଦେଶରୁ ଅଛନ୍ତି।

ବିଦାହେଲେ ହେଭିୱେଟ୍
ଆଜି ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ କେତେ ଜଣ ଯୋଗଦେଲେ ତାହାକୁ ନେଇ ଯେତିକି ଚର୍ଚା ହେଉଛି, ତାହାଠାରୁ ବେଶି ଚର୍ଚା ହେଉଛି କିଛି ବରିଷ୍ଠ ମନ୍ତ୍ରୀଙ୍କ ସମେତ ୧୨ ଜଣଙ୍କୁ ବିଦା କରିବା ଘଟଣା। ସରକାରଙ୍କ ପକ୍ଷରୁ କୁହାଯାଇଛି ‌ଯେ ମନ୍ତ୍ରିମଣ୍ଡଳରୁ ୨୦ ପ୍ରତିଶତ ମନ୍ତ୍ରୀଙ୍କୁ ବାଦ୍ ଦିଆଯାଇଛି। କାର୍ଯ୍ୟଦକ୍ଷତାରେ ବିଫଳତା ଯୋଗୁଁ ସେମାନଙ୍କୁ ବିଦା କରାଯାଇଛି ବୋଲି ସୂଚାଇ ଦିଆଯାଇଛି। ତେବେ ଅପ୍ରତ୍ୟାଶିତ ଭାବେ ଯେଉଁମାନଙ୍କୁ ବାଦ୍ ଦିଆଯାଇଛି ସେମାନଙ୍କ ମଧ୍ୟରେ ସବୁଠାରୁ ଚର୍ଚିତ ଚେ‌ହେରା ହେଉଛନ୍ତି ଦୁଇ ବରିଷ୍ଠ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏବଂ ପ୍ରକାଶ ଜାଭଡେକର। ରବି ଶଙ୍କର ଆଇନ ଏବଂ ଆଇଟି ବିଭାଗ ଦାୟିତ୍ବରେ ଥିବା ବେଳେ ଜାଭଡେକରଙ୍କ ହାତରେ ଥିଲା ସୂଚନା-ପ୍ରସ‌ାରଣ ଏବଂ ପରିବେଶ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ। ଜାଭଡେକର ସରକାରଙ୍କର ମୁଖପାତ୍ର ମଧ୍ୟ ଥିଲେ। ଏହି ଦୁଇ ଜଣ ମୋଦୀଙ୍କ ପ୍ରଥମ ଇନିଂସ ସରକାରରେ ମଧ୍ୟ ଥିଲେ। କେବଳ ଏତିକି ନୁହେଁ, ବାଜପେୟୀ ସରକାରରେ ମଧ୍ୟ ସେମାନେ ମନ୍ତ୍ରୀ ଥିଲେ। ଫେସବୁକ୍ ଏବଂ ଟ୍ବିଟରକୁ ନେଇ ସୃଷ୍ଟି ହୋଇଥିବା ବିବାଦରେ ରବି ଶଙ୍କର ପ୍ରସାଦଙ୍କ ଭୂମିକାକୁ ନେଇ ପ୍ରଧାନମନ୍ତ୍ରୀ ଅସନ୍ତୁଷ୍ଟ ଥିବା କୁହାଯାଉଛି। ଏଭଳି ବିବାଦ ମଧ୍ୟ ବିଶ୍ବ ଦରବାରରେ ଭାରତର ଭାବମୂର୍ତିକୁ କ୍ଷୁଣ୍ଣ କରିଛି।

ସେହିଭଳି କୋଭିଡର ଦ୍ବିତୀୟ ଲହରର ମୁକାବିଲାରେ ବିଫଳତା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଧନଙ୍କୁ ବିଦା କରାଯାଇଥିବା କୁହାଯାଉଛି। ଏଥର କୋଭିଡ୍ ସଙ୍କଟ ଯୋଗୁଁ ଆନ୍ତର୍ଜାତିକ ସ୍ତରରେ ଭାରତକୁ ବଦନାମ ହେବାକୁ ପଡ଼ିଛି। ଭାରତରେ ଏଥର ସଂକ୍ରମଣ ଏବଂ ମୃତ୍ୟୁ ବିଶ୍ବର ସବୁ ଅଲୋଡ଼ା ରେକର୍ଡକୁ ଭାଙ୍ଗିଥିଲା। ମେଡିକାଲରେ ଅକ୍ସିଜେନର ଅଭାବ, ଶ୍ମଶାନର କରୁଣ ଦୃଶ୍ୟ ଏବଂ ଗଙ୍ଗା ନଦୀରେ ମୃତଦେହ ଭାସିବା ଘଟଣା ମଧ୍ୟ ଦେଶ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲା। ଏହାସହିତ ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଏବଂ ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କୁ ମଧ୍ୟ ବିଦା କରି ଦିଆଯାଇଛି।

ନୂଆ ମନ୍ତ୍ରୀ
୧. ଅଜୟ କୁମାର
୨. ଅଜୟ ଭଟ୍ଟ
୩. ଅନୁପ୍ରିୟା ସିଂହ ପଟେଲ
୪. ଅନୁରାଗ ସିଂହ ଠାକୁର
୫. ଅନ୍ନପୂ୍ର୍ଣା ଦେବୀ
୬. ଅଶ୍ୱିନୀ ବୈଷ୍ଣବ
୭. ଇଂ. ବିଶ୍ୱେଶ୍ୱର ଟୁଡୁ
୮. କପିଲ ମୋରେଶ୍ୱର ପାଟିଲ
୯. କିରେନ ରିଜିଜୁ
୧୦. କୌଶଲ କିଶୋର
୧୧. ଗଙ୍ଗାପୁରମ୍‌ କିଷନ ରେଡ୍ଡୀ
୧୨. ଚୌହାନ ଦେବୁସିଂହ
୧୩. ଜନ୍‌ ବାର୍ଲା
୧୪. ଜ୍ୟୋତିରାଦିତ୍ୟ ସିନ୍ଧିଆ
୧୫. ଡ. ବୀରେନ୍ଦ୍ର କୁମାର
୧୬. ଡ. ଭଗୱତ କିଶନରାଓ କରଡ
୧୭. ଡ. ଭାରତୀ ପ୍ରବୀଣ ପାୱାର
୧୮. ଡ. ମୁଂଜାପରା ମହେନ୍ଦ୍ରଭାଇ
୧୯. ଡ. ରାଜକୁମାର ରଂଜନ ସିଂହ
୨୦. ଡ. ଲୋକନାଥନ୍‌ ମୁରୁଗାନ୍‌
୨୧. ଡ. ସତ୍ୟପାଲ ସିଂହ ବଘେଲ
୨୨. ଡ. ସୁଭାଷ ସରକାର
୨୩. ଦର୍ଶନ ବିକ୍ରମ ଜାରଦୋସ
୨୪. ନାରାୟଣ ରାଣେ
୨୫. ନିଶୀଥ ପରମାଣିକ
୨୬. ପଙ୍କଜ ଚୌଧୁରୀ
୨୭. ପଶୁପତି କୁମାର ପାରସ
୨୮. ପୁରୁଷୋତ୍ତମ ରୁପାଲା
୨୯. ପ୍ରତିମା ଭୌମିକ୍‌
୩୦. ବି.ଏଲ୍‌. ବର୍ମା
୩୧. ଭଗୱନ୍ତ ଖୁବା
୩୨. ଭାନୁପ୍ରତାପ ସିଂହ ବର୍ମା
୩୩. ଭୂପେନ୍ଦର ୟାଦବ
୩୪. ମନ୍‌ସୁଖ୍‌ ମାଣ୍ଡଭିୟା
୩୫. ମୀନାକ୍ଷୀ ଲେଖି
୩୬. ରାଜକୁମାର ସିଂହ
୩୭. ରାଜୀବ ଚନ୍ଦ୍ରଶେଖର
୩୮. ରାମଚନ୍ଦ୍ର ପ୍ରସାଦ ସିଂହ
୩୯. ୱାଇ. ଆଦିନାରାୟଣପ୍ପା ନାରାୟଣସ୍ୱାମୀ
୪୦. ଶାନ୍ତନୁ ଠାକୁର
୪୧. ଶୋଭା କାରଣ୍ଡଲାଜେ
୪୨. ସର୍ବାନନ୍ଦ ସନୋୱାଲ
୪୩. ହରଦୀପ ସିଂହ ପୁରୀ

ବାଦ୍‌ ପଡ଼ିଲେ
୧. ଡାକ୍ତର ହର୍ଷବର୍ଦ୍ଧନ
୨. ପ୍ରକାଶ ଜାଭଡେକର
୩. ରବିଶଙ୍କର ପ୍ରସାଦ
୪. ସନ୍ତୋଷ ଗଙ୍ଗୱର
୫. ସଦା‌ନନ୍ଦ ଗୌଡା
୬. ବାବୁଲ ସୁପ୍ରିୟୋ
୭. ସଂଜୟ ଧୋତ୍ରୋ
୮. ରାଓସାହେବ ପାଟିଲ୍‌
୯. ପ୍ରତାପ ଷଡ଼ଙ୍ଗୀ
୧୦. ଦେବଶ୍ରୀ ଚୌଧୁରୀ
୧୧. ଥାୱରଚାନ୍ଦ ଗେହଲଟ
୧୨. ରତନଲାଲ କଟାରିଆ

ସମ୍ବନ୍ଧିତ ଖବର