କେରଳ ଛୁଇଁଲା ମୌସୁମୀ, ୧୬ରେ ଓଡ଼ିଶା ଆସିପାରେ

ସପ୍ତାହେ ବିଳମ୍ବରେ ଆସିଲା, ୧୦ରୁ ପୁଣି ତାତି ବଢ଼ିବ, ବର୍ଷା ଓ ବଜ୍ରପାତ ଆଶଙ୍କା

ନୂଆଦିଲ୍ଲୀ/ଭୁବନେଶ୍ବର : ପ୍ରାୟ ଏକ ସପ୍ତାହ ବିଳମ୍ବରେ ଆଜି ମୌସମୁୀ କେରଳରେ ପହଞ୍ଚିଛି। ଏହାର ପ୍ରଭାବରେ କେରଳର ତଟବର୍ତ୍ତୀ ଅଂଚଳରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି। ଆଗାମୀ ୨-୩ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ପ୍ରକାଶ କରିଛନ୍ତି।

ଆଗାମୀ ୪୮ ଘଣ୍ଟା ଭିତରେ ଉତ୍ତର ପଶ୍ଚିମ ନାଗାଲାଣ୍ଡ, ମିଜୋରାମ ଭଳି କିଛି ରାଜ୍ୟରେ ମୌସୁମୀ ପ୍ରବେଶ କରିବ। ତେବେ ରଜ ପରେ ଅର୍ଥାତ୍ ୧୬ ତାରିଖ ବେଳକୁ ଓଡ଼ିଶା ଆସିପାରେ ‌େବାଲି ଅନୁମାନ କରାଯାଉଛି।

ଓଡ଼ିଶାରେ ସାଧାରଣତଃ ଜୁନ୍‌ ୧୦ ତାରିଖରେ ମୌସୁମୀ ଆଗମନ କରିଥାଏ। ରଜ ପର୍ବ ପାଳନ ଚାଲିଥିବା ବେଳେ ଅଧିକାଂଶ ବର୍ଷରେ ମୌସୁମୀ ପଦାର୍ପଣ କରିବାର ନଜିର ରହିଛି। ଏଥିପାଇଁ ମୌସୁମୀକୁ ଅପେକ୍ଷା କରେ ଚାଷୀ। କିନ୍ତୁ ଏଥର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସାତ ଦିନ ବିଳମ୍ବରେ କେରଳରେ ପ୍ରବେଶ କରିଛି ମୌସୁମୀ। ଏଣୁ, ସ୍ବାଭାବିକ ଭାବେ ଓଡ଼ିଶାରେ ବିଳମ୍ବିତ ହେବ ମୌସୁମୀ। ପାଗ ଅନୁକୂଳ ଥିଲେ, ରଜ ପୂର୍ବରୁ ନୁହେଁ, ବରଂ ରଜ ପରେ ଅର୍ଥାତ୍‌ ୧୬ ତାରିଖ ବେଳକୁ ଆସିବ ମୌସୁମୀ। ଏଭଳି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଜ୍ଞାନ କେନ୍ଦ୍ର ଓ ପାଣିପାଗବିତ୍‌।
ଏ ସଂପର୍କରେ ସୂଚନା ଦେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର, ଭୁବନେଶ୍ବରର ଉପ ନିର୍ଦେଶକ ଶଶିକାନ୍ତ ମିଶ୍ର କହିଛନ୍ତି ଯେ ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜୁନ୍‌ ୧୦ରେ ପ୍ରବେଶ କରିବା କଥା। କିନ୍ତୁ ଏଥର ପ୍ରାୟ ୯ ଦିନ ବିଳମ୍ବରେ ଆସିବ ବୋଲି ପୂର୍ବାନୁମାନ କରାଯାଉଛି। ଅନୁକୂଳ ପାଗ ଥିଲେ ୭/୮ ଦିନରେ ଏହା ପ୍ରବେଶ କରିପାରେ। କିନ୍ତୁ ବର୍ତମାନ ପାଗ ଅନୁକୂଳ ନାହିଁ। ଗତ ୨/୩ ଦିନ ଧରି ଯେଉଁ ବର୍ଷା ହେଉଛି, ତାହା ପ୍ରାକ୍‌ ମୌସୁମୀ ନୁହେଁ। ବରଂ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ପ୍ରଭାବରେ ହେଉଛି। ସେହି ଘୂର୍ଣ୍ଣିଝଡ଼ ଓଡ଼ିଶା ଆଡ଼କୁ ଆସିବା ପରିବର୍ତେ ବାଂଲାଦେଶ ଆଡ଼କୁ ଚାଲିଯାଇଥିବା ସେ କହିଛନ୍ତିି। ସେହିପରି ଆଗାମୀ ୪୮ ଘଣ୍ଟା ମଧ୍ୟରେ ଅନ୍ୟ ଏକ ଲଘୁଚାପ ଆରବ ମହାସାଗରରେ ସୃଷ୍ଟି ହେବ। ଏହା ଘନୀଭୂତ ହେଲେ ବି ଏହା ମୌସୁମୀ ବାୟୁୁ ପ୍ରବାହକୁ ତ୍ବରାନ୍ବିତ କରିବା ସମ୍ଭାବନା କମ୍‌।

ପାଣିପାଗବିତ୍‌ ଡ. ଶରତ କୁମାର ସାହୁ କହିଛନ୍ତିି ଯେ ଦିନକ ପରେ ଗରମ ଫେରିବ। ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ପୁଣି ବଢ଼ିବ। ଆସନ୍ତାକାଲି ଆରବ ମହାସାଗରରେ ଲଘୁଚାପ ସୃଷ୍ଟି ହେବ। ଏହାର ପ୍ରଭାବରେ ମୌସୁମୀ ବାୟୁ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକୁ ମୁହାଁଇବାରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ବରଂ ମୌସୁମୀ ବାୟୁକୁ ଏହା ଆନ୍ଧ୍ର ପ୍ରଦେଶ, ଓଡ଼ିଶା ଆଡ଼କୁ ଠେଲିବାରେ ଅନୁକୂଳ ପାଗ ସୃଷ୍ଟି କରିବ। ୧୬/୧୭ ତାରିଖ ଆଡ଼କୁ ମୌସୁମୀ ପ୍ରଥମେ ଦକ୍ଷିଣ ଓଡ଼ିଶା ଓ ୨୧ ତାରିଖ ବେଳକୁ ସାରା ଓଡ଼ିଶାରେ ଛାଇଯିବ। ସେ କହିବାନୁଯାୟୀ ରଜ ପରେ ହିଁ ଆସିବ ମୌସୁମୀ। ପାଣିପାଗ କେନ୍ଦ୍ର ସୂଚନାନୁସାରେ ତାପମାତ୍ରା ବଢ଼ୁଥିବା ସାଙ୍ଗକୁ ବାୟୁମଣ୍ଡଳରେ ଆଦ୍ରତା ଅଧିକ ରହୁଛି। ଏହା ପ୍ରଭାବରେ ସ୍ଥାନେ ସ୍ଥାନେ ବିଜୁଳି, ବଜ୍ରପାତ, ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ।

ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ସୂଚନା ଅନୁଯାୟୀ ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ଲାକ୍ଷାଦ୍ବୀପର ଅନେକ ଭାଗ, କେରଳ ଓ ତାମିଲନାଡ଼ୁର କିଛି ଅଂଶରେ ପ୍ରବେଶ କରିଛି। ଫଳରେ ସେସବୁ ଅଞ୍ଚଳରେ ଭଲ ବର୍ଷା ହୋଇଛି। ଏଥର ମୌସୁମୀ ଦୁର୍ବଳ ହେବ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ ପୂର୍ବାନୁମାନ କରିଥିବା ବେଳେ ଏହାକୁ ଖଣ୍ଡନ କରିଛି ଆଇଏମ୍‌ଡି। ମୌସୁମୀ ବର୍ଷା ସ୍ବାଭାବିକ ହେବ ବୋଲି ଦର୍ଶାଇଛି ଆଇଏମ୍‌ଡି।

ସମ୍ବନ୍ଧିତ ଖବର