୧୨ବର୍ଷରେ ୧୬ଲକ୍ଷ ଲୋକ ଭାରତୀୟ ନାଗରିକତା ଛାଡ଼ିଛନ୍ତି: ଜୟଶଙ୍କର

ନୂଆଦିଲ୍ଲୀ: ବଜେଟ୍ ଅଧିବେଶନ ସମୟରେ କେନ୍ଦ୍ର ସରକାର ରାଜ୍ୟସଭାରେ ବଡ଼ ସୂଚନା ଦେଇଛନ୍ତି। କୁହାଯାଇଛି ଯେ ଗତ ୧୨ବର୍ଷ ମଧ୍ୟରେ ୧୬ଲକ୍ଷରୁ ଅଧିକ ଭାରତୀୟ ସେମାନଙ୍କ ଭାରତୀୟ ନାଗରିକତା ଛାଡି ଅନ୍ୟ ଦେଶର ନାଗରିକତା ନେଇଛନ୍ତି। ପ୍ରଶ୍ନକାଳ ସମୟରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏହା କହିଛନ୍ତି।

ଜୟଶଙ୍କର କହିଛନ୍ତି ଯେ ୨୦୧୧ପରଠାରୁ ୧୬ଲକ୍ଷରୁ ଅଧିକ ଭାରତୀୟ ନାଗରିକତା ଛାଡିଛନ୍ତି। ଏଥିମଧ୍ୟରୁ ଦୁଇ ଲକ୍ଷରୁ ଅଧିକ ଗତ ବର୍ଷ ନାଗରିକତା ଛାଡିଥିଲେ। ରାଜ୍ୟସଭାରେ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ୨୦୧୫ମସିହାରେ ୧,୩୧,୪୮୯ ଲୋକ, ୨୦୧୬ରେ ୧,୪୧,୬୦୩ ଏବଂ ୨୦୧୭ରେ ୧,୩୩,୦୪୯ ଲୋକ ଭାରତର ନାଗରିକତା ଛାଡି ଅନ୍ୟ ଦେଶର ନାଗରିକତା ଗ୍ରହଣ କରିଛନ୍ତି। ଏହା ସହ ୨୦୧୮ରେ ଏହି ସଂଖ୍ୟା ୧,୩୪,୫୬୧ ଥିବା ବେଳେ ୨୦୧୯ରେ ନାଗରିକତା ଛାଡିଥିବା ଲୋକଙ୍କ ସଂଖ୍ୟା ଥିଲା ୧,୪୪,୦୧୭। ୨୦୨୦ରେ, ନାଗରିକତା ଛାଡିଥିବା ଲୋକଙ୍କ ସଂଖ୍ୟାରେ ହ୍ରାସ ଘଟିଥିବା ବେଳେ ୮୫,୨୫୬ଜଣ ଲୋକ ଭାରତର ନାଗରିକତା  ଛାଡ଼ିଥିଲେ। ତା’ପରେ ୨୦୨୧ରେ ଏହି ସଂଖ୍ୟାରେ ପୁଣି ବୃଦ୍ଧି ଘଟିଥିବା ବେଳେ ୧,୬୩,୩୭୦ଜଣ ଲୋଗ ଭାରତର ନାଗରିକତା ଛାଡ଼ିଥିଲେ। ଏହା ସହ ୨୦୨୨ରେ, ୨,୨୫,୬୨୦ଜଣ ଲୋକ ଭାରତର ନାଗରିକତା ଛାଡିଥିଲେ।

ବିଜେପି ସରକାର ଆସିବା ପରେ ଏତିକି ଲୋକ ଭାରତ ଛାଡ଼ିଥିଲେ ବୋଲି ଜୟଶଙ୍କର କହିଛନ୍ତି। ଏହି ସୂଚନା ଦେବା ସହ ମନମୋହନ ସିଂ ସରକାର ସମୟରେ କେତେ ଲୋକ ଭାରତ ଛାଡ଼ିଥିଲେ, ତାହାର ତଥ୍ୟ ମଧ୍ୟ ଜୟଶଙ୍କର ଦେଇଛନ୍ତି। ସେ କହିଛନ୍ତି ଯେ ୨୦୧୧ରେ ଭାରତର ନାଗରିକତା ଛାଡ଼ିଥିବା ଲୋକଙ୍କ ସଂଖ୍ୟା ୧,୨୨,୮୧୯ ଥିବା ବେଳେ ୨୦୧୨ରେ ଏହି ସଂଖ୍ୟା ୧,୨୦,୯୨୩ ଥିଲା। ଏହା ସହ ୨୦୧୩ରେ ଏହି ସଂଖ୍ୟା ୧,୩୧,୪୦୫କୁ ବୃଦ୍ଧି ପାଇ ୨୦୧୪ରେ ୧,୨୯,୩୨୮କୁ ଖସି ଆସିଥିଲା।

ସମ୍ବନ୍ଧିତ ଖବର