ରୁଷ୍‌ରେ ସଂକ୍ରମିତ ୩ ଲକ୍ଷ ଟପିଲେ, ବ୍ରିଟେନ୍‌କୁ ଟପିଲା ବ୍ରାଜିଲ୍‌

ବ୍ରିଟେନ୍‌ରେ ମୃତ୍ୟୁସଂଖ୍ୟା ୪୩ ହଜାର

ନୂଆଦିଲ୍ଲୀ: ବିଶ୍ବବ୍ୟାପୀ କରୋନା ମହାମାରୀରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି । ରୁଷ୍‌ରେ ଆଜି ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ଟପିଯାଇଛି । ଗତ ୨୪ ଘଣ୍ଟା‌ ମଧ୍ୟରେ ରୁଷ୍‌ରେ ପୁଣି ୯,୨୬୩ ମାମଲା ଚିହ୍ନଟ ହୋଇଛି। ଆମେରିକା ପରେ ରୁଷ୍‌ରେ ସର୍ବାଧିକ ସଂକ୍ରମଣ ମାମଲା ରହିଛି ଏବଂ ରୁଷ୍‌ ବିଶ୍ବରେ ସର୍ବାଧିକ ସଂକ୍ରମଣ ମାମଲା ଥିବା ରାଷ୍ଟ୍ରସୂଚିରେ ଦ୍ବିତୀୟ ସ୍ଥାନରେ ରହିଛି। କରୋନା ସଂକ୍ରମିତ ରୁଷ୍‌ ପ୍ରଧାନମନ୍ତ୍ରୀ ମିଖାଇଲ ମୁସୁସ୍ତିନ କହିଛନ୍ତି, ଦେଶରେ ଏବେ ନୂଆ ସଂକ୍ରମଣ କମୁଛି। କିନ୍ତୁ ସ୍ଥିତି ଏବେ ବି ଖୁବ୍‌ ଜଟିଳ ରହିଛି। ରୁଷ୍‌ରେ ୨,୮୩୭ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ବ୍ରିଟେନ୍‌ ଏବେ ୟୁରୋପ୍‌ରେ ସବୁଠୁ କ୍ଷତିଗ୍ରସ୍ତ ରାଷ୍ଟ୍ର ପାଲଟିଛି।

ବ୍ରିଟେନ୍‌ରେ କରୋନା ମୃତ୍ୟୁ ସଂଖ୍ୟା ୪୩ ହଜାରରେ ପହଞ୍ଚିବା ପରେ ଆତଙ୍କ ଖେଳିଯାଇଛି।‌ ତେବେ ଜାତୀୟ ପରିସଂଖ୍ୟାନ ସଂସ୍ଥାନ ପକ୍ଷରୁ ଦିଆଯାଇଥିବା ଏହି ତଥ୍ୟ ବ୍ରିଟେନ୍‌ରେ କେୟାର ହୋମ୍‌ଗୁଡ଼ିକର ଦୟନୀୟ ସ୍ଥିତିକୁ ପଦାରେ ପକାଇ ଦେଇଛି। ତଥ୍ୟ ଅନୁଯାୟୀ ମେ ୮ ସୁଦ୍ଧା ବ୍ରିଟେନ୍‌ କେୟାର ହୋମ୍‌ ଗୁଡ଼ିକରେ ମୃତ୍ୟୁସଂଖ୍ୟା ୧୦ ହଜାର ଟପିଯାଇଛି। ତେବେ ବ୍ରିଟେନ୍‌ରେ ମୃତ୍ୟୁସଂଖ୍ୟା ଦ୍ରୁତ ଗତିରେ ବଢ଼ିବା ଫଳରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଉପରେ ଚାପ ବଢ଼ିଛି। ବିରୋଧୀ ଦଳଗୁଡ଼ିକ କହିଛନ୍ତି ଯେ, ଜନ୍‌ସନ୍‌ ବହୁ ବିଳମ୍ବରେ ଲକଡାଉନ୍‌ ଜାରି କରିବାର ଏହା କୁପରିଣତି। ବ୍ରିଟେନ୍‌ରେ ଟେଷ୍ଟିଂ ବହୁତ କମ୍‌ ରହିଛି ଏବଂ ହସ୍ପିଟାଲ୍‌ ଗୁଡ଼ିକୁ ମଧ୍ୟ ଖୁବ୍‌ କମ୍‌ ପିପିଇ ଉପକରଣ ଦିଆଯାଉଛି। ବ୍ରିଟେନ୍‌ରେ ଅଧିକାଂଶ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ସଠିକ୍‌ ପରିମାଣରେ ପିପିଇ କିଟ୍‌ ମିଳୁନଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ବ୍ରାଜିଲ୍‌ ସଂକ୍ରମଣ ମାମଲାରେ ବ୍ରିଟେନ୍‌କୁ ଟପିଯାଇଛି। ବ୍ରାଜିଲ୍‌ ଏବେ ବିଶ୍ବରେ ଚତୁର୍ଥ ସ୍ଥାନରେ ରହିଛି। ବ୍ରାଜିଲ୍‌ରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୨ଲକ୍ଷ ୫୬ ହଜାର ରହିଛି। ତେବେ ବ୍ରାଜିଲ୍‌ରେ ମୃତ୍ୟୁସଂଖ୍ୟା ବ୍ରିଟେନ୍‌, ଇଟାଲି, ସ୍ପେନ୍‌ ଏବଂ ଫ୍ରାନ୍ସଠାରୁ କମ୍‌ ରହିଛି। ଆମେରିକାରେ ପୁଣି ଗତ ୨୪ ଘଣ୍ଟା ମଧ୍ୟରେ ୨୧ ହଜାର ୫୦୦ ନୂଆ ମାମଲା ଚିହ୍ନଟ ହୋଇଛି। ଆମେରିକାରେ ମୃତ୍ୟୁସଂଖ୍ୟା ୯୨ ହଜାର ଛୁଇଁବାକୁ ଯାଉଛି । ସେ‌ପଟେ ଚୀନ୍‌ରେ ପୁଣି ୬ଟି ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ସଂକ୍ରମଣର କୌଣସି ଲକ୍ଷଣ ନଥିବା ୧୭ ଟି ମାମଲା ଚିହ୍ନଟ ହୋଇଛି। ଉତ୍ତରପୂର୍ବ ଚୀନ୍‌ରେ ଲକ୍‌ଡାଉନ୍‌ କଟକଣାକୁ ଅଧିକ କଠୋର କରାଯାଇଛି।

ପ୍ରତି ୧ ଲକ୍ଷରେ ୭.୧ ମାମଲା, ବିଶ୍ବରେ ୬୦
ନୂଆଦିଲ୍ଲୀ: ଭାରତରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ କରୋନା ଭୂତାଣୁ ସଂକ୍ରମଣ ମାମଲା ୭.୧ ଥିବା ବେଳେ ବିଶ୍ବସ୍ତରରେ ଏହି ହାର ପ୍ରତି ୧ ଲକ୍ଷରେ ୬୦ ରହିଛି। ବିଶ୍ବର ଅନ୍ୟ ରାଷ୍ଟ୍ରମାନଙ୍କ ତୁଳନାରେ ଭାରତର ସ୍ଥିତି ବହୁତ ଭଲ ରହିଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କହାଯାଇଛି। ଡବ୍ଲୁଏଚ୍‌ଓର ତଥ୍ୟ ମୁତାବକ ଗତ ୧୭ ତୁଦ୍ଧା ଆମେରିକାରେ ମୋଟ ମାମଲା ୧୪,୦୯,୪୫୨ ଥିବା ବେଳେ ସଂକ୍ରମଣ ହାର ପ୍ରତି ଲକ୍ଷରେ ୪୩୧ ରହିଥିଲା। ରୁଷ୍‌ରେ କୋଭିଡ ୧୯ର ମୋଟ ମାମଲା ୨,୮୧,୭୫୨ ରହିଥିବା ବେଳେ ଏଠାରେ ପ୍ରତି ଲକ୍ଷରେ ୧୯୫ ସଂକ୍ରମଣ ମାମଲା ଥିଲା।

ସମ୍ବନ୍ଧିତ ଖବର