ମସ୍କୋର ଧମକ: ୟୁକ୍ରେନ୍‌ ରୁଷୀୟ ଅଞ୍ଚଳରେ ଆକ୍ରମଣ ଚାଲୁ ରଖିଲେ ‘କିବ୍ କମାଣ୍ଡ୍‌’ ସେଣ୍ଟର୍‌ ଉପରେ ଆକ୍ରମଣ ହେବ

ମସ୍କୋ: ୟୁକ୍ରେନୀୟ ସୈନିକମାନେ ରୁଷୀୟ ଅଞ୍ଚଳରେ ଆକ୍ରମଣ ଜାରି ରଖିଲେ ରାଜଧାନୀ କିବ୍‌ରେ ଥିବା ୟୁକ୍ରେନ୍‌ର ‘କମାଣ୍ଡ୍‌ ସେଣ୍ଟର୍‌’ଗୁଡ଼ିକ ଉପରେ ଆକ୍ରମଣ କରାଯିବ ବୋଲି ରୁଷୀୟ ସେନା ବୁଧବାର ଦିନ ଧମକ ଦେଇଛି।

ଏ ସଂକ୍ରାନ୍ତରେ ବିବୃତି ଦେଇ ରୁଷୀୟ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି, ଆମେ ଦେଖୁଛୁ ୟୁକ୍ରେନୀୟ ସୈନିକମାନେ ରୁଷୀୟ ଅଞ୍ଚଳରେ ଭଙ୍ଗାରୁଜା ଏବଂ ଆକ୍ରମଣ କରୁଛନ୍ତି। ଯଦି ଏସବୁ ଚାଲୁ ରହେ, ତେବେ ରୁଷୀୟ ସଶସ୍ତ୍ରବାହିନୀ କିବ୍‌ ସମେତ ଆକ୍ରମଣ ପାଇଁ ନିଷ୍ପତ୍ତି ନେଉଥିବା ୟୁକ୍ରେନୀୟ କେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣ କରିବ।

Image Courtesy of Daily Post Nigeria

ସୂଚନାଯୋଗ୍ୟ, ଫେବ୍ରୁଆରି ୨୪ରେ ରାଷ୍ଟ୍ରପତି ପୁଟିନ୍‌ ୟୁକ୍ରେନ୍‌କୁ ସୈନ୍ୟ ପଠାଇବା ପରଠାରୁ ମସ୍କୋ ଅଭିଯୋଗ କରି ଆସୁଛି ଯେ, କିବ୍‌ ସେନା ଦକ୍ଷିଣ ରୁଷୀୟ ଅଞ୍ଚଳରେ ଆକ୍ରମଣ କରୁଛି।

ଚଳିତ ମାସରେ ରୁଷୀୟ ସୈନିକମାନେ କିବ୍‌ର ଉତ୍ତରାଞ୍ଚଳରୁ ଅପସରି ଆସି ପୂର୍ବ ୟୁକ୍ରେନ୍‌ରେ ଅଧିକ ଅଞ୍ଚଳ ଅକ୍ତିଆର କରିବା ଲାଗି ଉଦ୍ୟମ କରୁଛନ୍ତି।

ରୁଷୀୟ ପ୍ରତିରକ୍ଷା ମନ୍ତ୍ରାଳୟ ସୁନିଶ୍ଚିତ କରି କହିଛି ଯେ, ଅଧିକୃତ ନଗରୀ ମାରିଉପୋଲ୍‌ରେ ଥିବା ବନ୍ଦରକୁ ତା’ର ସୈନିକମାନେ ସମ୍ପୂର୍ଣ୍ଣ ଅକ୍ତିଆର କରି ନେଇଛନ୍ତି। ରୁଷ୍‌ ସେନା ଘେରରେ ଥିବା ୟୁକ୍ରେନୀୟ ସୈନିକ ଓ ‘ଆଜୋଭ୍‌ ବାଟାଲିୟନ୍’ ଖସିଯିବାକୁ ବାଟ ପାଉନାହାନ୍ତି।

ସୂଚନାଯୋଗ୍ୟ, ‘ଆଜୋଭ୍‌ ବାଟାଲିୟନ୍’ର ସଦସ୍ୟମାନେ ମାରିଉପୋଲ୍‌ରେ ରୁଷୀୟମାନଙ୍କ ସହ ଭୀଷଣ ଯୁଦ୍ଧ କରୁଛନ୍ତି।

ସମ୍ବନ୍ଧିତ ଖବର