ପୁଅକୁ ଭଲ ବିଦ୍ୟାଳୟରେ ପାଠ ପଢ଼ାଇବା ପାଇଁ ମା ଗଲା ଜେଲ

ଡେରାଡୁନ: ନିଜ ପୁଅକୁ ଭଲ ସ୍କୁଲରେ ପାଠ ପଢ଼ାଇବାକୁ ମା ଗଲା ଜେଲ | କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ଏକଦମ ସତ | ବାସ୍ତବରେ, ଉତ୍ତରାଖଣ୍ଡର ଡେରାଡୁନ ସ୍ଥିତ ଆରଆଇଏମ୍ସି(ରାଷ୍ଟ୍ରିୟ ଇଣ୍ଡିଆନ୍ ମିଲିଟାରୀ କଲେଜ୍) ରେ ଜଣେ ମହିଳା ପୁଅକୁ ଅଷ୍ଟମ ଶ୍ରେଣୀରେ ଭର୍ତ୍ତି କରିବା ପାଇଁ ଡକ୍ୟୁମେଣ୍ଟ୍ ଜାଲିଆତି କରିଥିଲେ। ଯେତେବେଳେ କଲେଜ ଅନୁସନ୍ଧାନ କଲା, ସେତେବେଳେ ସମଗ୍ର ଘଟଣା ସାମ୍ନାକୁ ଆସିଲା | ପରେ ଆରଆଇଏମ୍ସି ଅଧିକାରୀ ସନ୍ଦୀପ ଶଙ୍କର ଏନେଇ ଥାନାରେ ଅଭିଯୋଗ କରିଥିଲେ। ତଦନ୍ତ ପରେ ପୁଲିସ ଅଭିଯୁକ୍ତ ମହିଳା ମାଲବିକାଙ୍କୁ ଗିରଫ କରି ଜେଲକୁ ପଠାଇ ଦେଇଛି। ଅଭିଯୋଗକାରୀଙ୍କ କହିବାନୁସାରେ, ମହିଳା ଜଣକ ତାଙ୍କ ପୁଅର ଅଷ୍ଟମ ଶ୍ରେଣୀରେ ଆଡମିଶନ ପାଇଁ ଏକ ନକଲି ଜନ୍ମ ପ୍ରମାଣପତ୍ର ପ୍ରସ୍ତୁତ କରିଥିଲେ।

ଏଭଳି ପରିସ୍ଥିତିରେ ପିଲାଟିକୁ ଏଠାରୁ ବହିଷ୍କାର କରାଯାଇଥିଲା, ଏବଂ ତାଙ୍କ ମାଙ୍କୁ ମଧ୍ୟ ଜାଲିଆତି ପାଇଁ ଜେଲକୁ ଯିବାକୁ ପଡ଼ିଲା। ପୁଲିସ ଅଧିକାରୀ ସରିତା ଡୋଭାଲ ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଆରଆଇଏମ୍ସି ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ ଜଣେ ଛାତ୍ରଙ୍କୁ ଅଷ୍ଟମ ଶ୍ରେଣୀରେ ଆଡମିଶନ କରାଯାଇଥିଲା, ତାଙ୍କ ଡକ୍ୟୁମେଣ୍ଟ ଯାଞ୍ଚ ସମୟରେ ଫର୍ମ ଦୁଇଥର ପୂରଣ ହୋଇଥିବା ଜଣାପଡିଛି। ଉଭୟ ଥର ଏଥିରେ ଭିନ୍ନ ଭିନ୍ନ ଜନ୍ମ ପ୍ରମାଣପତ୍ର ଦିଆଯାଇଥିଲା | ଏ ସମ୍ପର୍କରେ ଛାତ୍ରଙ୍କ ମା ମାଲବିକାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ଏବଂ ତାଙ୍କୁ ଗିରଫ କରାଯାଇଛି |

ସମ୍ବନ୍ଧିତ ଖବର