ଲୋକସଭାରେ ବଜେଟ୍ ଆଲୋଚନା : ଓଡ଼ିଶାକୁ ସ୍ବତନ୍ତ୍ର ଫୋକସ୍ ମାନ୍ୟତା ଦାବି

ନୂଆଦିଲ୍ଲୀ : ଲୋକସଭାରେ ଆଜିଠାରୁ ବଜେଟ୍ ଉପରେ ଆଲୋଚନା ହୋଇଛି। ବିଜେଡି ପକ୍ଷରୁ ଏହି ଆଲୋଚନାରେ ଭାଗ ନେଇଥିଲେ ସାଂସଦ ଭର୍ତୃହରି ମହତାବ। ଓଡ଼ିଶା ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବାରୁ ଏହାକୁ ସ୍ବତନ୍ତ୍ର ଫୋକସ୍ ରାଜ୍ୟ ମାନ୍ୟତା ଦେବା ପାଇଁ ସେ ଦାବି କରିଥିଲେ। ସେ ପୁଣି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦାବି କରିଆସୁଛନ୍ତି । ଯେଉଁ ରାଜ୍ୟ ଗୁଡ଼ିକ ନିୟମିତ ବ୍ୟବଧାନରେ ପ୍ରକୃତିକ ବିପର୍ଯ୍ୟୟ ସାମ୍ନା କରୁଛନ୍ତି ସେମାନଙ୍କ ପାଇଁ କେନ୍ଦ୍ର ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକତା ରହିଛି। ଏକ ନିଦ୍ଧିଷ୍ଟ ଅବଧି ପାଇଁ ପ୍ରାକୃତିକ ବିପର୍ଯ୍ୟୟ ସମ୍ମୁଖୀନ ରାଜ୍ୟମାନଙ୍କ ପାଇଁ ସହାୟତା ପ୍ରଦାନ କରାଯାଉ। ଗତ ୪ ବର୍ଷରେ ଓଡ଼ିଶା ୪ଟି ବାତ୍ୟା ଦ୍ବାରା ପ୍ରଭାବିତ ହୋଇଥିବାର ଶ୍ରୀ ମହତାବ ବଜେଟ୍ ଆଲୋଚନା ଭାଷଣରେ ଉଲ୍ଲେଖ କହିଥିଲେ। କେନ୍ଦ୍ର ସରକାରଙ୍କୁ ଏନେଇ ରାଜ୍ୟମାନଙ୍କ ପ୍ରତି ବିଶେଷ ଦୃଷ୍ଟି ଦେବାକୁ ପଡ଼ିବ। ଏହି ଅବସରରେ ଶ୍ରୀ ମହତାବ ଓଡ଼ିଶାରେ ଦାରିଦ୍ର୍ୟତା କମିଥିବା ସମ୍ପର୍କରେ ଗୃହରେ ତଥ୍ୟ ଉପସ୍ଥାପନ କରିଥିଲେ। ସେ କହିଥିଲେ ୨୦୦୪-୫ରେ ଓଡ଼ିଶାରେ ଦାରିଦ୍ର୍ୟତାର ହାର ୫୭ ପ୍ରତିଶତ ଥିବାବେଳେ ତାହା ବର୍ତ୍ତମାନ ବହୁତ କମିଆସିଛି। ହେଲେ ପ୍ରାକୃତିକ ବିପର୍ଯ୍ୟୟ ସମ୍ମୁଖୀନ ହେବା ଯୋଗୁଁ ପୁଣି ରାଜ୍ୟ ଦାରିଦ୍ର୍ୟତା ଆଡ଼କୁ ଠେଲି ହୋଇଯାଉଛି। ବଜେଟ୍ ଆଲୋଚନାରେ ଶ୍ରୀ ମହତାବ କେନ୍ଦ୍ର ସରକାରଙ୍କ ଦ୍ବାରା କୋଇଲା ରୟାଲିଟି ସଂଶୋଧନ କରାଯାଇନଥିବା ସମ୍ପର୍କରେ ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ । ୨୦୧୫ରୁ କୋଇଲା ରୟାଲିଟି ସଂଶୋଧନ ହୋଇନାହିଁ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର