‘ଆଟ୍‌ଲାସ୍ ଅନ୍‌ ଜେନେରାଲ ଇଲେକ୍ସନ୍-୨୦୧୯’ ଇ-ପୁସ୍ତିକା ପ୍ରକାଶିତ: ସାଂସଦ ଚନ୍ଦ୍ରଶେଖର ସାହୁ ନିର୍ବାଚନରେ ଖର୍ଚ୍ଚ କରିଥିଲେ ୬୮ ଲକ୍ଷ

ନୂଆଦିଲ୍ଲୀ : ବିଜୁ ଜନତା ଦଳ (ବିଜେଡି)ର ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ୨୦୧୯ ସାଧାରଣ ନିର୍ବାଚନରେ ମୋଟ ୬୮,୩୪,୧୮୧ ଟଙ୍କା ଖର୍ଚ୍ଚ କରିଛନ୍ତି। ୨୦୧୯ ସାଧାରଣ ନିର୍ବାଚନରରେ ଯେଉଁ ୧୫ ଜଣ ପ୍ରାର୍ଥୀ ସର୍ବାଧିକ ଖର୍ଚ୍ଚ କରିଥିଲେ, ସେମାନଙ୍କ ମଧ୍ୟରେ ଓଡିଶାର ଏକମାତ୍ର ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁ ରହିଥିଲେ। ଅପରପକ୍ଷେ, ୨୦୧୯ ସାଧାରଣ ନିର୍ବାଚନରେ ସବୁଠାରୁ ଅଧିକ ୬୯,୯୪,୪୨୯ ଟଙ୍କା ଖର୍ଚ୍ଚ କରିଥିଲେ କଂଗ୍ରେସର କେରଳର ଥିରୁଅନନ୍ତପୁରମ୍ ସଂସଦୀୟ କ୍ଷେତ୍ରର ପ୍ରାର୍ଥୀ ଡ. ଶଶି ଥରୁର। ଗତକାଲି ଭାରତୀୟ ନିର୍ବାଚନ ଆୟୋଗ ଉନ୍ମୋଚନ କରିଥିବା ଆଟ୍‌ଲାସ୍ ଅନ୍ ଜେନେରାଲ ଇଲେକ୍ସନ-୨୦୧୯ ଇ- ପୁସ୍ତିକାରେ ଏହି ତଥ୍ୟ ଉଲ୍ଲେଖ ଅଛି। ସୂଚନାଯୋଗ୍ୟ, ନିର୍ବାଚନ ଆୟୋଗଙ୍କ ୨୦୧୪ର ସଂ‌ଶୋଧିତ ନିୟମ ଅନୁସାରେ ଅରୁଣାଚଳ ପ୍ରଦେଶ, ଗୋଆ ଓ ସିକିମ୍‌ ରାଜ୍ୟକୁ ବାଦ ଦେଇ ଅନ୍ୟ ରାଜ୍ୟମାନଙ୍କର ଲୋକସଭା ନିର୍ବାଚନ ଲଢୁଥିବା ପ୍ରାର୍ଥୀମାନଙ୍କ ଖର୍ଚ୍ଚର ସୀମା ୭୦ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି।

‘ଆଟ୍‌ଲାସ୍ ଅନ୍ ଜେନେରାଲ ଇଲେକ୍ସନ-୨୦୧୯’ ଇ-ପୁସ୍ତିକା’ରେ ୨୦୧୯ ସାଧାରଣ ନିର୍ବାଚନରେ ସମସ୍ତ ପ୍ରାର୍ଥୀଙ୍କ ଖର୍ଚ୍ଚ ରାଶିର ପରିମାଣ ୩୨,୬୨,୨୫,୫୫୪ ଟଙ୍କା ଦର୍ଶାଯାଇଛି। ପ୍ରାର୍ଥୀମାନଙ୍କ ଦ୍ବା‌ରା ଘୋଷିତ ନିର୍ବାଚନୀ ଖର୍ଚ୍ଚର ବିବରଣୀ ଅନୁସାରେ ପୁସ୍ତିକାରେ ଏହି ତଥ୍ୟ ଦିଆଯାଇଛି। ସେହିଭଳି ପୁସ୍ତିକାରେ ଓଡ଼ିଶାରେ ୨୦୧୯ ସାଧାରଣ ନିର୍ବାଚନରେ ପ୍ରତ୍ୟେକ ବିଜୟୀ ପ୍ରାର୍ଥୀ ହାରାହାରି ୫୩,୪୮,୯୮୭ ଟଙ୍କା ଖର୍ଚ୍ଚ କରିଥିବା କୁହାଯାଇଛି। ୨୦୧୪ ସାଧାରଣ ନିର୍ବାଚନ ତୁଳନାରେ ୨୦୧୯ ନିର୍ବାଚନରେ ଅମାନତ ହରାଇଥିବା ପ୍ରାର୍ଥୀମାନଙ୍କ ସଂଖ୍ୟା କମିଛି। ୨୦୧୪ରେ ୧୪୨ ଜଣ ପ୍ରାର୍ଥୀ ଅମାନତ ହରାଇଥିବାବେଳେ ୨୦୧୯ରେ ଏହି ସଂଖ୍ୟା ୧୨୫କୁ ଖସି ଆସିଛି। ଓଡିଶାରେ ୨୦୧୯ ନିର୍ବାଚନରେ ବୁଥ୍ ସଂଖ୍ୟା ମଧ୍ୟ ବଢିଥିଲା। ୨୦୧୪ ତୁଳନାରେ ୨୦୧୯ରେ ୧୮୨୫ଟି ଅଧିକ ବୁଥ୍ ପ୍ରତିଷ୍ଠା କରାଯାଇଥିଲା। ବୁଥ୍‌ଗୁଡିକର ସମୁଦାୟ ସଂଖ୍ୟା ୩୭,୭୫୪ ରହିଥିଲା। ଇ-ପୁସ୍ତିକାରେ ୨୦୧୯ ସାଧାରଣ ନିର୍ବାଚନରେ ସମଗ୍ର ଦେଶର ୩୦ଟି ତଥା ଓଡିଶାର ଦୁଇଟି ନବରଙ୍ଗପୁର ଓ କୋରାପୁଟ ସଂସଦୀୟ କ୍ଷେତ୍ରର ନୋଟା ଭୋଟ୍‌ ବିବରଣୀ ଦିଆଯାଇଛି। ନବରଙ୍ଗପୁରରେ ୪୪,୫୮୨ଟି ନୋଟା ଭୋଟ୍‌ ମଳିଥିବାବେଳେ କୋରାପୁଟରେ ୩୬,୫୬୧ଟି ନୋଟା ଭୋଟ୍‌ ମିଳିଥିଲା, ଯାହା ମୋଟ ଭୋଟ୍‌ର ଯଥାକ୍ରମେ ୩.୮୩୭ ଓ ୩.୩୮୩ ପ୍ରତିଶତ।

୨୦୧୯ ସାଧାରଣ ନିର୍ବାଚନରେ ଓଡିଶା ସମେତ ୨୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ‌ରେ ପୁରୁଷ ଭୋଟରଙ୍କ ଅପେକ୍ଷା ମହିଳା ଭୋଟର ଅଧିକ ରହିଥିବା ଇ-ପୁସ୍ତିକାରେ ଉଲ୍ଲେଖ ଅଛି। ଓଡିଶାରେ ମହିଳା ଭୋଟର ୭୪.୨୦୧ ପ୍ରତିଶତ ଥିବାବେଳେ ପୁରୁଷ ଭୋଟର ଥିଲେ ୭୧.୮୫୫ ପ୍ରତିଶତ। ଦେଶର ୫୦ଟି ସଂସଦୀୟ କ୍ଷେତ୍ରରେ ପ୍ରାର୍ଥୀଙ୍କ ବିଜୟ ବ୍ୟବଧାନ କମ୍ ରହିଥିଲା। ସେଥିମଧ୍ୟରେ ରହିଛି ଓଡିଶାର ୫ଟି ସଂସଦୀୟ କ୍ଷେତ୍ର: ବଲାଙ୍ଗୀର, ବାଲେଶ୍ବର, ପୁରୀ, ସମ୍ବଲପୁର ଓ କୋରାପୁଟ। ଇ-ପୁସ୍ତିକାରେ ୨୦୧୯ ସାଧାରଣ ନିର୍ବାଚନରେ ୨୦୧୪ ତୁଳନାରେ ପ୍ରତିଦ୍ବନ୍ଦ୍ବୀମାନଙ୍କର ନିର୍ବାଚନ ଲଢିବା ସଂଖ୍ୟାରେ ହ୍ରାସ ଘଟିଥିବା ଉଲ୍ଲେଖ ରହିଛି। ୨୦୧୪ରେ ପ୍ରତିଦ୍ବନ୍ଦ୍ବୀମାନଙ୍କ ସଂଖ୍ୟା ୧୯୬ ଥିବାବେଳେ ୨୦୧୯ରେ ଏହି ସଂଖ୍ୟା ୧୭୪କୁ ହ୍ରାସ ପାଇଛି। ଗତକାଲି ‘ଆଟ୍‌ଲାସ୍‌ ଅନ୍ ଜେନେରାଲ ଇଲେକ୍ସନ-୨୦୧୯’ ଇ-ପୁସ୍ତିକା ଉନ୍ମୋଚନ ହେବା ପରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ବାରା ପୁସ୍ତିକାର ସମୀକ୍ଷା କରାଯାଇଥିଲା।

ସମ୍ବନ୍ଧିତ ଖବର