ମୁମ୍ବାଇ ଆକାଶରେ ସାମ୍ନାସାମ୍ନି ଧକ୍କା ଖାଇବାରୁ ବର୍ତ୍ତିଗଲେ ଦୁଇଟି ବିମାନ

ମୁମ୍ବାଇ: ଶୁକ୍ରବାର ଅପରାହ୍ଣରେ ମୁମ୍ବାଇ ଆକାଶରେ ଦୁଇଟି ଆନ୍ତର୍ଜାତିକ ବିମାନ ବିପଜ୍ଜନକଭାବେ ପରସ୍ପର ନିକଟକୁ ପାଖେଇ ଆସିଥିଲେ। ପରସ୍ପର ସହ ଧକ୍କା ଖାଇବା ମାତ୍ର କେଇ ସେକେଣ୍ଡ୍‌ ପୂର୍ବରୁ କୋଲିସନ୍‌ ଆଭଏଡାନ୍‌ସ୍‌ ସିଷ୍ଟମ୍‌ ସକ୍ରିୟ ହୋଇ ଉଠି ଦୁଇ ବିମାନକୁ ପରସ୍ପର ଠାରୁ ଦୂରେଇ ନେଇଥିଲା।

ଫେବ୍ରୁଆରି ୨୭ ତାରିଖ ଠାରୁ ପାକିସ୍ତାନୀ ଆକାଶ ପଥ ବନ୍ଦ ଥିବାରୁ ଉଭୟ ବିମାନ ଏହି ପଥ ଦେଇ ଅତିକ୍ରମ କରୁଥିଲେ।

ଶୁକ୍ରବାର ଦିନ ୧: ୪୦ରେ ଏୟାର୍‌ ଫ୍ରାନ୍‌ସ୍‌ର ବୋଇଙ୍ଗ୍‌ ୭୭୭ ଏଫ୍‌ ୨୫୩ ଭାବେ ହୋ ଚି ମିନ୍‌ ସହରରୁ ପ୍ୟାରିସ୍‌ ଅଭିମୁଖେ ୩୨ ହଜାର ଫୁଟ୍‌ ଉଚ୍ଚତାରେ କ୍ରୁଇଜ୍‌ କରୁଥିଲା। ଏହି ସମୟରେ ଏତିହାଦ୍‌ ଏୟାର୍‌ବସ୍‌ ୩୨୦ ଇଓ୍ଵାଇ ୨୯୦ ଭାବେ ୩୧ ହଜାର ଫୁଟ୍‌ ଉଚ୍ଚରେ ଆବୁ ଧାବିରୁ କାଠମଣ୍ଡୁ ଯାଉଥିଲା।

ମୁମ୍ବାଇ ଏୟାର୍‌ ଟ୍ରାଫିକ୍‌ କଣ୍ଟ୍ରୋଲ୍‌ ଏତିହାଦ୍‌ ବିମାନକୁ ୩୩୦୦୦ ଫୁଟ୍‌ ଉପରକୁ ଉଠିବାକୁ କହିଲା। ଉଠାଣ ସମୟରେ ବିପରୀତ ଦିଗରୁ ଆସୁଥିବା ଏଫ୍‌ ୨୫୩ ବିମାନ ସାମ୍ନାମାମ୍ନି ହୋଇଥିଲା। ଏତିକିବେଳେ ଦୁଇ ବିମାନରେ ଥିବା ଟ୍ରାଫିକ୍‌ କୋଲିସନ୍‌ ଆଭଏଡାନ୍‌ସ୍‌ ସିଷ୍ଟମ୍‌ ସକ୍ରିୟ ହୋଇ ଉଠିବାରୁ ପାଇଲଟ୍‌ମାନେ ବିମାନ ଦୁଇଟିକୁ ପରସ୍ପର ଠାରୁ ଦୂରେଇ ନେଇ ଥିଲେ।

ସମ୍ବନ୍ଧିତ ଖବର