କୋର୍ଟ ପରିସରରେ ପତ୍ନୀଙ୍କ ଗଳା କାଟି ହତ୍ୟା

ବେଙ୍ଗାଲୁରୁ: କର୍ଣ୍ଣାଟକର ଜଣେ ବ୍ୟକ୍ତି ଶନିବାର ହାସନ ଜିଲ୍ଲାର ଏକ ସ୍ଥାନୀୟ କୋର୍ଟ ପରିସରରେ ତାଙ୍କ ପତ୍ନୀଙ୍କ ଗଳା କାଟି ହତ୍ୟା କରିଛନ୍ତି। ପତ୍ନୀଙ୍କୁ ହତ୍ୟା କରିବା ପରେ ସେ ତାଙ୍କ ଶିଶୁକୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେଠାରେ ଉପସ୍ଥିତ ଲୋକମାନେ ଏଥିରେ ହସ୍ତକ୍ଷେପ କରି ଶିଶୁଟିକୁ ଉଦ୍ଧାର କରିଥିଲେ। ଏହି ଘଟଣା ଦମ୍ପତିଙ୍କ ଛାଡପତ୍ର ମାମଲାର ଶୁଣାଣି କରୁଥିବା ହୋଲେନାରସିପୁରା ଟାଉନ କୋର୍ଟ ପରିସରରେ ଘଟିଛି। ମୃତା ମହିଳା ଥାଟେକେର ଗାଁର ଚୈତ୍ରା ଏବଂ ଅଭିଯୁକ୍ତ ହୋଲେନାରସିପୁରା ତାଲୁକର ଶିବକୁମାର ବୋଲି ଜଣାପଡିଛି। ଘଟଣାରୁ ଜଣାପଡ଼ିଛି, ଉଭୟେ ସାତ ବର୍ଷ ପୂର୍ବେ ବିବାହ କରିଥିଲେ। ସେମାନଙ୍କର ଏକ ଶିଶୁ କନ୍ୟା ଅଛି। ଉଭୟେ ବିବାହ ବିଚ୍ଛେଦ ପାଇଁ କୋର୍ଟରେ ଆବେଦନ କରିଥିଲେ। ଶନିବାର ଲୋକ ଅଦାଲତ ଏହି ଦମ୍ପତିଙ୍କୁ ନିଜ ସନ୍ତାନର ଭବିଷ୍ୟତକୁ ଦୃଷ୍ଟିରେ ରଖି ସେମାନଙ୍କ ବିବାହ ବିଚ୍ଛେଦ ଆବେଦନ ପ୍ରତ୍ୟାହାର କରି ସମସ୍ୟାର ସମାଧାନ କରିବାକୁ କହିଥିଲେ। ପ୍ରାୟ ଏକ ଘଣ୍ଟା ଧରି କାଉନସେଲିଂ ଚାଲିଥିଲା। ଏହା ପରେ ଦୁହେଁ ଛାଡପତ୍ର ଆବେଦନ ପ୍ରତ୍ୟାହାର କରି ଶିଶୁଙ୍କ ପାଇଁ ଏକାଠି ରହିବାକୁ ରାଜି ହୋଇଥିଲେ। ଏହାର କିଛି ସମୟ ପରେ ଚୈତ୍ରା କୋର୍ଟ ପରିସରରେ ଥିବା ୱାଶରୁମକୁ ଯାଇଥିବାବେଳେ ଶିବକୁମାର ଛୁରୀରେ ତାଙ୍କ ଗଳା କାଟି ଦେଇଥିଲେ। ଏହା ପରେ ଶିଶୁ କନ୍ୟାକୁ ହତ୍ୟା କରିବାକୁ ଚେଷ୍ଟା କରୁଥିବାବେଳେ ସେଠାରେ ଉପସ୍ଥିତ ଲୋକମାନେ ତାକୁ କାବୁ କରି ପୁଲିସକୁ ହସ୍ତାନ୍ତର କରିଥିଲେ। ଗୁରୁତର ଚୈତ୍ରାଙ୍କୁ ହାସନ ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର