ନାଗାଲାଣ୍ଡ୍‌ ଗୁଳିକାଣ୍ଡ: ମୃତ ନାଗରିକମାନଙ୍କ ପୋଷାକ ପରିବର୍ତ୍ତନ ପାଇଁ ଉଦ୍ୟମ କରାଯାଇଥିବା ଦାବି କରୁଛନ୍ତି ପ୍ରତ୍ୟକ୍ଷଦର୍ଶୀ

କୋହିମା: ଗୁଳି ଫୁଟିବା ଶବ୍ଦ ଶୁଣି ଲୋଙ୍ଗ୍‌ଖାଓ ନଦୀ ନିକଟ ଘଟଣାସ୍ଥଳରେ ପହଞ୍ଚିଥିବା ଓଟିଙ୍ଗ୍‌ ଗ୍ରାମର ତଲାସକାରୀ ଦଳମାନଙ୍କର ମନେହେଉଛି ଯେ, ମୃତ ନାଗରିକମାନଙ୍କର ପୋଷାକପରିଚ୍ଛଦ ପରିବର୍ତ୍ତନ ପାଇଁ ଉଦ୍ୟମ ହୋଇଥିଲା। ଅନ୍ୟତମ ମୃତ ବ୍ୟକ୍ତି ଶୋମୱାଙ୍ଗ୍‌ଙ୍କ ପରିବାର ଲୋକେ କହୁଛନ୍ତି କି, ତାଙ୍କୁ ଅର୍ଦ୍ଧନଗ୍ନ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। କେତେକ ଶବକୁ ସାମରିକ ପୋଷାକ ମଧ୍ୟ ପିନ୍ଧାଇ ଦିଆଯାଇଥିଲା।

ଗଣମାଧ୍ୟମକୁ ଅନ୍ୟତମ ପ୍ରତ୍ୟକ୍ଷଦର୍ଶୀ  କିପ୍‌ୱାଙ୍ଗ୍‌ କୋନିୟାକ୍‌ କହିଛନ୍ତି, ଗୁଳିକାଣ୍ଡସ୍ଥଳରେ ପହଞ୍ଚିଲା ବେଳକୁ ଦ୍ରୁତ ବେଗରେ ପିକ୍‌-ଅପ୍‌ ଭ୍ୟାନ୍‌ଟିଏ ପଳାଇଯିବାର ସେ ଦେଖିଛନ୍ତି। ସେ ଗାଡ଼ି ପଛରେ ଗୋଡ଼ାଇ ଯାଇଥିବା ସ୍ଥାନୀୟ ବାସିନ୍ଦାମାନେ ଦେଖିଲେ ଯେ, ଘଟଣାସ୍ଥଳରେ ସେନାବାହିନୀ ଲୋକେ ବସିଥିବା ଆଉ ୩ଟି ଗାଡ଼ି ମଧ୍ୟ ଥିଲା।

ଅନ୍ୟ ପ୍ରତ୍ୟକ୍ଷଦର୍ଶୀଙ୍କ ପରି କୋନିୟାକ୍‌ ମଧ୍ୟ କହୁଛନ୍ତି କି, ଯବାନମାନେ ମୃତ ବ୍ୟକ୍ତିମାନଙ୍କ ପ‌ୋଷାକ ବଦଳାଇବାକୁ ଉଦ୍ୟମ କରିଥିଲେ। ସେ ପଚାରିଛନ୍ତି, ଯଦି ଭୁଲ୍‌କ୍ରମେ ଏମିତି ଘଟିଲା, ତେବେ ସେମାନେ କାହିଁକି ମୃତବ୍ୟକ୍ତିମାନଙ୍କର ପୋଷାକ ବଦଳାଇବାକୁ ଚେଷ୍ଟା କରୁଥିଲେ।

Image Courtesy of India Today

ଶୋମୱାଙ୍ଗ୍‌ଙ୍କ କାର୍‌ରେ ଗୁଳିମାଡ଼ ଚିହ୍ନ ଏବଂ ରକ୍ତ ଛିଟା ଲାଗିଥିବା ସ୍ଥାନୀୟ ଲୋକେ ଦେଖିଛନ୍ତି। ଏହି କାରଣରୁ ସନ୍ଦେହ ହେବାରୁ ସେମାନେ ଗାଡ଼ିଗୁଡ଼ିକୁ ତଲାସ କରିବାକୁ ସ୍ଥିର କରିଥିଲେ। ତା’ପରେ ଯାଇ ଅନ୍ୟ ଏକ ପିକ୍‌-ଅପ୍‌ ଭ୍ୟାନ୍‌ରେ ପାଲ ଘୋଡ଼ାଯାଇ ଶବ ରଖାଯାଇଥିବା କଥା ସେମାନେ ଦେଖିଥିଲେ।

ଶବ ଭର୍ତ୍ତି ଟ୍ରକ୍‌ର ଭିଡିଓ ଉତ୍ତୋଳନ କରିଥିବା ମାନ୍‌ପେଇ କହନ୍ତି, ସେଠାରେ ପହଞ୍ଚି ଆମେ ଦେଖିଲୁ ସେନାର ଗୋଟାଏ ପିକ୍‌-ଅପ୍‌ ଭ୍ୟାନ୍‌ରେ ଶବ ବୋଝେଇ ହୋଇଛି। ତାହା ଦେଖି ମୁଁ କ୍ରୋଧ ଜର୍ଜରିତ ହୋଇଗଲି।

ଘଟଣା ସଂକ୍ରାନ୍ତରେ ରିପୋର୍ଟ ଦେଇଥିବା ନାଗାଲାଣ୍ଡ୍‌ ପୁଲିସ ମଧ୍ୟ କହିଛି ଯେ, ପାଲରେ ଗୁଡ଼ାଇ ପିକ୍‌-ଅପ୍‌ ଟ୍ରକ୍‌ରେ ଲଦି ନିରାପତ୍ତା ବଳ ଶବଗୁଡ଼ିକୁ ଲୁଚାଇବାକୁ ଉଦ୍ୟମ କରୁଥିଲେ।

ସମ୍ବନ୍ଧିତ ଖବର