ଜୁଲାଇ ୧୭ରେ ନିଟ୍‌: ଆବେଦନ ଆରମ୍ଭ, ୧୩ଟି ଭାଷାରେ ପରୀକ୍ଷା, ଦେଶର ୫୪୩ ସହରରେ ହେବ ପରୀକ୍ଷା କେନ୍ଦ୍ର

ଭୁବନେଶ୍ବର: ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଆସନ୍ତା ଜୁଲାଇ ୧୭ରେ ନିଟ୍‌(ୟୁଜି) ପରୀକ୍ଷା ଅନୁଷ୍ଠିତ ହେବ। ଗୋଟିଏ ସିଟିଂରେ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଏହି ପରୀକ୍ଷା କରାଯିବ। ପରୀକ୍ଷା ଲାଗି ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଛାତ୍ରଛାତ୍ରୀ https://neet.nta.nic.in/ ମାଧ୍ୟମରେ ଆବେଦନ କରିପାରିବେ। ଯାହାକି ମେ’ ୬ ପର୍ଯ୍ୟନ୍ତ ଚାଲିବ। ମେ’ ୭ ତାରିଖ ରାତି ୧୧ଟା ୫୦ ସୁଦ୍ଧା ଆବେଦନକାରୀ ଅନ୍‌ଲାଇନ୍‌ରେ ଫି’ ଦାଖଲ କରିପାରିବେ। ଅନ୍ୟ କୌଣସି ମାଧ୍ୟମରେ ଆବେଦନପତ୍ର ଗ୍ରହଣ କରାଯିବ ନାହିଁ। ଜଣେ ଆବେଦନକାରୀ କେବଳ ଗୋଟିଏ ଆବେଦନ କରିପାରିବେ। ତେଣୁ ଆବେଦନ କରିବା ସମୟରେ ପ୍ରାର୍ଥୀମାନେ ଏନ୍‌ଟିଏ ୱେବସାଇଟ୍‌ରେ ଥିବା ଇନ୍‌ଫରମେସନ ବୁଲେଟିନ୍‌କୁ ଭଲ ଭାବେ ପଢ଼ିବାକୁ ପରାମର୍ଶ ଦିଆଯାଇଛି।

ଆବେଦନପତ୍ରରେ ପ୍ରାର୍ଥୀମାନେ ନିଜ କିମ୍ବା ଅଭିଭାବକଙ୍କ ଇ-ମେଲ୍‌ ଆଇଡି ଓ ମୋବାଇଲ୍‌ ନମ୍ବର ଲେଖିବା ନିହାତି ଆବଶ୍ୟକ। ଦେଶର ୫୪୩ ସିଟ୍‌ ସମେତ ବିଦେଶର ୧୪ଟି ସହରରେ ପରୀକ୍ଷା କରିବାକୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆବୁଧାବି, ବ୍ୟାଙ୍କଙ୍କ୍‌, କଲମ୍ବୋ, ଦୋହା, ଦୁବାଇ, କାଠମାଣ୍ଡୁ, କ୍ବୁଲାଲମ୍ବପୁର, କ୍ବଏତ୍‌ ସହର, ଲା ଗୋସ୍‌, ମାନାମା, ମାସ୍କର୍ଟ, ରିୟାଦ, ସାରଜା, ସିଙ୍ଗାପୁର ସହରରେ ପରୀକ୍ଷା କେନ୍ଦ୍ର ହୋଇଛି। ଗତବର୍ଷ ପରି ଏଥର ମଧ୍ୟ ଓଡ଼ିଆ ସମେତ ଇଂରାଜୀ, ହିନ୍ଦୀ, ବେଙ୍ଗଲି, ଗୁଜୁରାଟି, କନ୍ନଡ, ମାଲାୟଲମ୍‌, ମରାଠି, ପଞ୍ଜାବୀ, ତାମିଲ, ତେଲଗୁ ଓ ଉର୍ଦ୍ଦୁ ପରି ୧୩ଟି ଭାଷାରେ ଏହି ପରୀକ୍ଷା ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର