‘ଏରଡୋଗାନଙ୍କୁ ନା ଇତିହାସ ଜଣାଅଛି, ନା କୂଟନୀତି’ : ତୁର୍କୀକୁ କଠୋର ଶବ୍ଦରେ ପ୍ରତିବାଦ ଜଣାଇଲା ଭାରତ

ନୂଆଦିଲ୍ଲୀ : ତୁର୍କୀ ରାଷ୍ଟ୍ରପତି ରିକାପ ଟୋୟେବ୍‌ ଏରଡୋଗାନ ବାରମ୍ବାର ଭାରତ ବିରୋଧୀ ମନ୍ତବ୍ୟ ଦେବା ଓ ଭାରତର ଆଭ୍ୟନ୍ତରୀଣ ମାମଲାରେ ମୁଣ୍ଡ ଖେଳାଇବାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇଛି ଭାରତ । ଏ ସଂପର୍କରେ କୂଟନୈତିକ ସ୍ତରରେ ଏକ ଅତ୍ୟନ୍ତ କଠୋର ଶବ୍ଦରେ ତୁର୍କୀକୁ ନିଜର ପ୍ରତିବାଦ ଜଣାଇଛି ଭାରତ ।
ଭାରତର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି ଯେ ଏରଡୋଗାନଙ୍କ ମନ୍ତବ୍ୟରୁ ଜଣାପଡୁଛି ଯେ ତାଙ୍କୁ ନା ଇତିହାସ ଜଣାଅଛି, ନା କୂଟନୀତି । ତାଙ୍କର ଏହି ମନ୍ତବ୍ୟ ଭାରତ-ତୁର୍କୀ ସଂପର୍କକୁ ଖରାପ କରିବ । ସେ କହିଛନ୍ତି ଯେ ଏସବୁ ଦର୍ଶାଉଛି ଯେ ତୁର୍କୀ ଅନ୍ୟ ଦେଶମାନଙ୍କ ଆଭ୍ୟନ୍ତରୀଣ ମାମଲାରେ ମୁଣ୍ଡ ପୁରାଉଛି । ଭାରତ ପାଇଁ ଏହି ଗ୍ରହଣୀୟ ନୁହେଁ ।
ଗତ ୧୪ ତାରିଖ ଦିନ ପାକିସ୍ତାନ ସଂସଦରେ ଭାଷଣ ଦେଇ ଏରଡୋଗାନ କଶ୍ମୀର ପ୍ରସଙ୍ଗକୁ ପ୍ରଥମ ବିଶ୍ୱଯୁଦ୍ଧ ବେଳେ ତୁର୍କୀ ଉପରେ ହୋଇଥିବା ବିଦେଶୀ ଆକ୍ରମଣ ସହ ତୁଳନା କରିଥିଲେ । ସେ କହିଥିଲେ ଯେ ତୁର୍କୀ କଶ୍ମୀର ପ୍ରସଙ୍ଗରେ ସବୁବେଳେ ପାକିସ୍ତାନକୁ ସମର୍ଥନ କରିବ । କାରଣ ଏହି ପ୍ରସଙ୍ଗ ଉଭୟ ପାକିସ୍ତାନ ଓ ତୁର୍କୀ ପାଇଁ ଚିନ୍ତାର ବିଷୟ । ସେ କହିଥିଲେ ଯେ କଶ୍ମୀର ଉପରେ ଭାରତର ଏକପାଖିଆ ନିଷ୍ପତ୍ତି ଦ୍ୱାରା କଶ୍ମୀରବାସୀଙ୍କ ସମସ୍ୟା ଆହୁରି ବଢିଯାଇଛି ।

ସମ୍ବନ୍ଧିତ ଖବର