ଅନୁପ ସାଏଙ୍କୁ ନେଇ ଓଡ଼ିଶାରେ ଛତିଶଗଡ଼ ପୁଲିସର ଛାନଭିନ୍, ଅନୁପଙ୍କ ପୁତୁରା ଓ କଳ୍ପନାଙ୍କ ସଂପର୍କୀୟଙ୍କୁ ନୋଟିସ କଲା ପୁଲିସ

ବ୍ରଜରାଜନଗର: ବହୁଚର୍ଚ୍ଚିତ କଳ୍ପନା ଓ ବବଲି ଡବଲ ମର୍ଡର ଘଟଣାରେ ଆଜି ଛତିଶଗଡ଼ ପୁଲିସ ବ୍ରଜରାଜନଗର ଆସି ଛାନଭିନ କରିଛି | ଏଠାରେ ମୁଖ୍ୟ ଅଭିଯୁକ୍ତ ତଥା ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଆକାଉଣ୍ଟ ଥିବା ଏସବିଆଇ ଓ ୟୁକୋ ବ୍ୟାଙ୍କରେ ପୁଲିସ ଛାନଭିନ୍ କରିଛି | ସେହିପରି ଅନୁପ ସାଏଙ୍କ ପୁତୁରାକୁ ଛତିଶଗଡ଼ ପୁଲିସ ନୋଟିସ ଦେଇଥିବା ବେଳେ ଆସନ୍ତାକାଲି ଚକ୍ରଧରନଗର ଥାନାରେ ହାଜର ହେବାକୁ ନୋଟିସରେ କୁହାଯାଇଛି | ମୃତ କଳ୍ପନାଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ପୁଲିସ ଛାନଭିନ କରିଛି | ଏଥିସହ ମୃତ କଳ୍ପନାଙ୍କ ସଂପର୍କୀୟଙ୍କୁ ମଧ୍ୟ ନୋଟିସ୍ ଜାରି କରିଛି ପୁଲିସ୍। ଏଠାରେ ସୂଚନା ଥାଉ କି ଏହି ହତ୍ୟାକାଣ୍ଡ ଦିନକୁ ଦିନ ଚାଞ୍ଚଲ୍ୟକର ମୋଡ ନେଉଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ପୂର୍ବତନ ବିଧାୟକ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ମନ ଟପ୍ପୋଙ୍କ ସମେତ ଆଉ ଜଣଙ୍କ ସଂପୃକ୍ତି ଥିବା ସୂଚନା ଦେଇଛନ୍ତି ରାୟଗଡ ଏସପି ସନ୍ତୋଷ ସିଂ ।

ଏହାସହ ଏହି ଡବଲ ମର୍ଡର ଘଟଣାରେ କେବଳ ବୋଲେରୋ ଗାଡି ନୁହେଁ, ତାହା ସହ ଏକ ଇନୋଭା ଗାଡି ବ୍ୟବହାର ହୋଇଥିବା‌ ସନ୍ଦେହ କରାଯାଉଛି ବୋଲି କହିଛନ୍ତି ରାୟଗଡ ଏସପି। କଳ୍ପନା ଓ ବବଲିଙ୍କୁ ହତ୍ୟା ପରେ ତାଙ୍କ ପରିଚୟ ନଷ୍ଟ କରିବା ଲାଗି ଶବ ଉପରେ ବାରମ୍ବାର ଗାଡ଼ି ଚଢ଼ା ଯାଇଥିଲା।  ପୁରା ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଅଭିଯୁକ୍ତ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ମନ ଟପ୍ପୋ ତଦନ୍ତରେ ସହଯୋଗ କରୁନାହାନ୍ତି । ସେମାନଙ୍କୁ ରିମାଣ୍ଡରେ ଆଣି ଜେରା କରିବ ପୁଲିସ । ଆବଶ୍ୟକ ପଡିଲେ ଉଭୟଙ୍କୁ ଓଡ଼ିଶା ନିଆଯିବ ବୋଲି ଏସପି ସନ୍ତୋଷ ସିଂ କହିଛନ୍ତି । ତେବେ ଗତକାଲି ହତ୍ୟାକାଣ୍ଡର ଡେମୋ ଦେଖାଇବା ପାଇଁ ଘଟଣାସ୍ଥଳରେ ଡ୍ରାଇଭରକୁ ନେଇଥିଲା ପୁଲିସ ।

ସେଠାରେ ଡେମୋ ଦେଖାଇବା ବେଳେ ଇନୋଭା ଗାଡି ସାମ୍ନାକୁ ଆସିଥିଲା । ତେବେ ପ୍ରଥମରୁ ହତ୍ୟାକାଣ୍ଡରେ ବୋଲେରୋ ଗାଡି ବ୍ୟବହାର କରାଯାଇଥିବା କଥା କୁହାଯାଉଥିବା ବେଳେ ପୁଲିସ କାହିଁକି ଇନୋଭା ଗାଡିକୁ ନେଇ ଡେମୋ ଦେଖାଇଲା ବୋଲି ଚର୍ଚ୍ଚା ଜୋର ଧରିଥିଲା । ଏହାସହ ଏହି ଇନୋଭା ଗାଡି କାହାର ଓ ତା ଭିତରେ କିଏ ଥିଲେ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା ।

ସମ୍ବନ୍ଧିତ ଖବର