ନୂଆ ଡିଜିଟାଲ୍ ପେମେଣ୍ଟ୍ ବ୍ୟବସ୍ଥା ‘ଇ-ରୁପି’
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ନୂଆ ଡିଜିଟାଲ୍ ପେମେଣ୍ଟ୍ ବ୍ୟବସ୍ଥା ‘ଇ-ରୁପି’ର ଉନ୍ମୋଚନ କରିଛନ୍ତି। ହିତାଧିକାରୀମାନଙ୍କ ନିକଟରେ ସରକାରୀ ସ୍କିମ୍ର ଲାଭ ପହଞ୍ଚାଇବା କ୍ଷେତ୍ରରେ ଏହା ବିପ୍ଳବ ଆଣିବ ବୋଲି କୁହାଯାଉଛି। ଏହାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ସ୍ବାସ୍ଥ୍ୟ କ୍ଷେତ୍ର ଲାଗି ଆରମ୍ଭ କରାଯାଇଛି। ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ କ୍ଷେତ୍ରରେ ଇ-ରୁପିକୁ ବ୍ୟବହାର କରାଯିବ। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି)କୁ ଏହା ଆହୁରି ପାରଦର୍ଶୀ କରିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଇ-ରୁପି ହେଉଛି ଏକ ଇ-ଭାଉଚର୍। ଏହାକୁ କ୍ୟୁଆର୍ କୋଡ୍ କିମ୍ବା ଏସ୍ଏମ୍ଏସ୍ ଭାବେ ହିତାଧିକାରୀଙ୍କ ମୋବାଇଲ୍କୁ ପଠାଯିବ। ଇ-ରୁପିକୁ ବ୍ୟବହାର କରିବା ଲାଗି କାର୍ଡ, ପେମେଣ୍ଟ୍ ଆପ୍ କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଦରକାର ପଡ଼ିବ ନାହିଁ।
ଯାହାଙ୍କ ମୋବାଇଲ୍କୁ ଇ-ରୁପି ପଠାଯିବ ସେ ତାହାକୁ ଇଣ୍ଟରନେଟ୍ ନଥିବା ସ୍ଥାନରେ ମଧ୍ୟ ପେମେଣ୍ଟ୍ ଲାଗି ବ୍ୟବହାର କରିପାରିବେ। ଇ-ରୁପି ଦେଉଥିବା ସବୁଠୁ ବଡ଼ ସୁବିଧା ହେଉଛି ଏହାକୁ ବ୍ୟବହାର କରିବା ଲାଗି ବ୍ୟାଙ୍କ ଆକାଉଣ୍ଟ୍ ଥିବା ଜରୁରୀ ନୁହେଁ। ବ୍ୟାଙ୍କରେ ଖାତା ଖୋଲିନଥିବା ଲୋକମାନେ ମଧ୍ୟ ଏହାକୁ ଅତି ସହଜରେ ବ୍ୟବହାର କରିପାରିବେ। ଯାହାଙ୍କ ପାଖରେ ମୋବାଇଲ୍ ଅଛି ସେ ଏହି ଇ-ଭାଉଚର୍କୁ ବ୍ୟବହାର କରିପାରିବେ।
ଏହି ସମାଧାନକୁ ନ୍ୟାସନାଲ୍ ପେମେଣ୍ଟ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍ପିସିଆଇ) ପକ୍ଷରୁ ଆର୍ଥିକ ସେବା ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ ଜାତୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ପ୍ରସ୍ତୁତ କରାଯାଇଛି। ଇ-ରୁପି ହେଉଛି ଏକ ପ୍ରିପେଡ୍ ଭାଉଚର୍, ତେଣୁ ଏହାକୁ ଯେକୌଣସି ସ୍ଥାନରେ ସୁବିଧାରେ ବ୍ୟବହାର କରିହେବ। ଇ-ରୁପିକୁ ମାତୃ ଓ ଶିଶୁ କଲ୍ୟାଣ ସ୍କିମ୍, ଟିବି ଦୂରୀକରଣ କାର୍ଯ୍ୟକ୍ରମ ଆଦିର ଲାଭ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଲାଗି ବ୍ୟବହାର କରାଯାଇପାରିବ। ଯେହେତୁ ଏହାକୁ ହିତାଧିକାରୀଙ୍କ ମୋବାଇଲ୍ ନମ୍ବରକୁ ସିଧାସଳଖ ପଠାଯିବ ତେଣୁ ତାହାର କେହି ଅପବ୍ୟବହାର କରିପାରିବେ ନାହିଁ। ଏହା ଦ୍ବାରା ସରକାରୀ ସ୍କିମ୍ରେ ହେଉଥିବା ବାଟମାରଣା ଦୂର ହୋଇପାରିବ ବୋଲି କୁହାଯାଉଛି।
ଇ-ରୁପି କାହିଁକି ଭିନ୍ନ
ବର୍ତ୍ତମାନ ଦେଶରେ ଯେଉଁ ସବୁ ଡିଜିଟାଲ୍ ପେମେଣ୍ଟ୍ ବ୍ୟବସ୍ଥା ରହିଛି ତାହାକୁ ବ୍ୟବହାର କରିବା ଲାଗି ଇଣ୍ଟରନେଟ୍ ଓ ବ୍ୟାଙ୍କ ଖାତା ଦରକାର ପଡ଼ୁଛି। ୟୁପିଆଇ ଆସିବା ପରେ ଡିଜିଟାଲ୍ ପେମେଣ୍ଟ୍ ବେଶ ସହଜ ହୋଇପାରିଛି। କିନ୍ତୁ ୟୁପିଆଇକୁ ବ୍ୟବହାର କରିବା ଲାଗି ସ୍ମାର୍ଟଫୋନ୍, ଇଣ୍ଟରନେଟ୍ ଓ ପେମେଣ୍ଟ୍ ଆପ୍ ଦରକାର ହେଉଛି। ଇଣ୍ଟରନେଟ୍ ସଂଯୋଗ ଥିବା ସ୍ମାର୍ଟଫୋନ୍ରେ ୟୁପିଆଇ ପେମେଣ୍ଟ୍ ଆପ୍ ଡାଉନ୍ଲୋଡ୍ କରି ସେଥିରେ ନିଜର ବ୍ୟାଙ୍କ ଖାତାକୁ ଯୋଡ଼ିବା ପରେ ହିଁ ପେମେଣ୍ଟ୍ ହୋଇପାରୁଛି। ଏହା ଇଣ୍ଟରନେଟ୍ ସେବା ପହଞ୍ଚିନଥିବା କିମ୍ବା ଦୁର୍ବଳ ସେବା ମିଳୁଥିବା ସ୍ଥାନଗୁଡ଼ିକରେ ଏତେଟା ପ୍ରଭାବଶାଳୀ ସାବ୍ୟସ୍ତ ହୋଇପାରୁନାହିଁ। ସେହି ଅଭାବକୁ ଇ-ରୁପି ଦୂର କରିବ। ସ୍ମାର୍ଟଫୋନ୍ ଓ ଫିଚର୍ ଫୋନ୍ ଉଭୟ ଫୋନ୍ରେ ଇ-ରୁପିକୁ ବ୍ୟବହାର କରିହେବ। ଯେଉଁମାନଙ୍କ ସ୍ମାର୍ଟଫୋନ୍ ଅଛି ସେମାନଙ୍କ ପାଖକୁ କ୍ୟୁଆର୍ କୋଡ୍ ଭାବେ ଇ-ରୁପି ଭାଉଚର୍ ପଠାଇହେବ। ଯେଉଁମାନେ ଫିଚର୍ ଫୋନ୍ ବ୍ୟବହାର କରୁଛନ୍ତି ସେମାନଙ୍କ ପାଖକୁ ଏସ୍ଏମ୍ଏସ୍ ଆକାରରେ ଏହାକୁ ପଠାଇହେବ। ଯେହେତୁ ଇଣ୍ଟରନେଟ୍ ଦରକାର ନାହିଁ ତେଣୁ ଯେକୌଣସି ସ୍ଥାନରେ ଏହାକୁ ନଗଦ ଅର୍ଥର ବିକଳ୍ପ ଭାବେ ବ୍ୟବହାର କରିହେବ।