ନୂଆ ରେକର୍ଡ: ଦିନକରେ ୪ ହଜାରରୁ ଅଧିକ ଆକ୍ରାନ୍ତ

ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬୭ ହଜାର ଟପିଲା, ମୋଟ୍‌ ମୃତ୍ୟୁସଂଖ୍ୟା ୨୨୦୬

ନୂଆଦିଲ୍ଲୀ: ଦେଶରେ କୋଭିଡ୍‌-୧୯ ସ୍ଥିତିରେ ପୂର୍ବର ସବୁ ରେକର୍ଡ ଆଜି ଭାଙ୍ଗିଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୨୧୩ ଜଣ ନୂଆ କରୋନା ଭୂତାଣୁ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଥିବା ବେଳେ ୯୭ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରଥମ ଥର ପାଇଁ ଦିନକରେ ନୂଆ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ପାର୍ ହୋଇଯାଇଛି। ୯୭ ଜଣଙ୍କ ମୃତ୍ୟୁ ଫଳରେ ଦେଶରେ କରୋନା ଭୂତାଣୁ ଜନିତ ମୋଟ୍‌ ମୃତ୍ୟୁସଂଖ୍ୟା ୨୨୦୦ ଅତିକ୍ରମ କରି ୨୨୦୬ରେ ପହଞ୍ଚିଛି। ସେହିଭଳି ୪୨୧୩ ଜଣ ନୂଆ କରୋନା ଭୂତାଣୁ ଆକ୍ରାନ୍ତ ସାମିଲ ହେବା ଫଳରେ ଦେଶରେ ମୋଟ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ୬୭,୦୦୦ ଟପି ୬୭,୧୫୨ରେ ପହଞ୍ଚିଛି। ଦେଶରେ ଏବେ ବି ୪୪୦୨୯ ଜଣଙ୍କ ଠାରେ ଏହି ଭୂତାଣୁ ସକ୍ରିୟ ଅଛନ୍ତି। ଅନ୍ୟପକ୍ଷରେ ଏବେ ସୁଦ୍ଧା ୨୦୯୧୬ ଜଣ ଲୋକ ଆରୋଗ୍ୟ ଲାଭ କରି ଡାକ୍ତରଖାନାରୁ ଡିସଚାର୍ଜ ହୋଇସାରିଲେଣି।

ମହାରାଷ୍ଟ୍ରରେ ସ୍ଥିତି ବେକାକୁ ହେଲାଣି। ଏବେ ସୁଦ୍ଧା ଏହି ରାଜ୍ୟରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ୨୨,୧୭୧ରେ ପହଞ୍ଚିଛି। ମହାରାଷ୍ଟ୍ର ପଛକୁ ଗୁଜରାଟ ରହିଛି। ଗୁଜରାଟରେ ମୋଟ ୮୧୯୪ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଦେଶର କେତେକ ସ୍ଥାନରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ମାତ୍ରାରେ ଚିହ୍ନଟ ହେଉଥିବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏଥିପାଇଁ ଉଦ୍‌ବେଗ ପ୍ରକାଶ କରିଛି। ଧର୍ମ, ବର୍ଣ୍ଣ, ଲିଙ୍ଗ, ଅଞ୍ଚଳ ଦେଖି କରୋନା ଭୂତାଣୁ ବ୍ୟାପୁନାହିଁ। ବରଂ ସତର୍କତାମୂଳକ ପଦକ୍ଷେପର ଅଭାବ ଯୋଗୁଁ କରୋନା ବ୍ୟାପୁଛି ବୋଲି ମନ୍ତ୍ରାଳୟ କହିଛି। ଆରୋଗ୍ୟ ସେତୁ ଆପ୍ ମାଧ୍ୟମରେ ଦେଶରେ ସମ୍ଭାବ୍ୟ ୬୯୭ଟି କୋଭିଡ-୧୯ ହଟସ୍ପଟ ସମ୍ପର୍କରେ ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ୯.୮ କୋଟି ସ୍ମାର୍ଟଫୋନ୍‌ରେ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ ହୋଇଛି। ଆସନ୍ତାକାଲି ଏହି ସୂଚନା ଜିଓ ଫିଚରଫୋନରେ ଉପଲବ୍ଧ ହେବ।

ସଂଶୋଧିତ ନିୟମ ଅନୁଯାୟୀ, ଅଳ୍ପ/ଅତି ଅଳ୍ପ/ ପ୍ରାକ୍ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ ଲକ୍ଷଣ ଦେଖାଦେବାର ୧୦ ଦିନ ପରେ ଏବଂ ଯଦି ସେମାନଙ୍କ ଠାରେ ୩ ଦିନ ପାଇଁ ଜର ନଥିବ ତାହେଲେ କୋଭିଡ ସେବାଯତ୍ନ କେନ୍ଦ୍ରରୁ ସେମାନଙ୍କୁ ଡିସ୍‌ଚାର୍ଜ କରାଯାଇ ପାରିବ। ଡିସଚାର୍ଜ ପୂର୍ବରୁ ସେମାନଙ୍କର ପରୀକ୍ଷା କରାଯିବାର କୌଣସି ଆବଶ୍ୟକତା ନାହିଁ। ତେବେ ସେମାନଙ୍କୁ ଘରେ ଏକାନ୍ତବାସରେ ରହିବାକୁ ପରାମର୍ଶ ଦିଆଯାଇଛି। ଅନେକ ଦେଶ, ରୋଗୀଙ୍କୁ ଡିସ୍‌ଚାର୍ଜ ପାଇଁ ପରୀକ୍ଷା ଭିତ୍ତିକ ରଣନୀତି ବଦଳରେ ଲକ୍ଷଣ ଏବଂ ସମୟ ଭିତ୍ତିକ ରଣନୀତି ଆପଣେଇ ଥିବାରୁ ଭାରତରେ ମଧ୍ୟ ଏଥିରେ ପରିବର୍ତ୍ତନ କରାଯାଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର