ଓଡ଼ିଶାକୁ ବାତ୍ୟା ଭୟ ନାହିଁ, ୧୬ରୁ ପ୍ରବଳ ଗରମ

ଭୁବନେଶ୍ବର : ସମଗ୍ର ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଲାଗି ରହିବ। ସର୍ବାଧିକ ତାପମାତ୍ରା କମ୍‌ ବେଶି ରହିପାରେ। କିନ୍ତୁ ୧୬ ତାରିଖ ପରେ ରାଜ୍ୟର ତାପମାତ୍ରାରେ ବିରାଟ ପରିବର୍ତ୍ତନ ହେବ। ପାରଦ ବଢ଼ିବ ଓ ଅସହ୍ୟ ଗୁଳୁଗୁଳି ଲାଗି ରହିବ। ପାଗ ଶୁଖିଲା ଓ ଖରାଟିଆ ରହିବ। ୨ସପ୍ତାହ ଯାଏଁ ଏଭଳି ସ୍ଥିତି ଲାଗି ରହିବ। ପାଣିପାଗ ବିଶେଷଜ୍ଞମାନେ ଏପରି ପୂର୍ବାନୁମାନ କରିଛନ୍ତି।

ପାଣିପାଗ ବି‌ଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆଗାମୀ ୫ଦିନ ରାଜ୍ୟରେ କାଳବୈଶାଖୀ ବର୍ଷା ହେବ। ଏଣୁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖାଯିବ ନାହିଁ। ଏହି ସମୟ‌ରେ ଦକ୍ଷିଣ ଓଡ଼ିଶା ସମେତ କେନ୍ଦ୍ରୀୟ ଓଡ଼ିଶାରେ ତାପମାତ୍ରା ଅପେକ୍ଷାକୃତ ଅଧିକ ରହିବ। ଭୁବନେଶ୍ବର ଓ ଉପକୂଳ ଓଡ଼ିଶାରେ ତାପମାତ୍ରା ସବୁଠାରୁ କମ୍‌ ରହିବ ବୋଲି ଅନୁମାନ କରାଯାଉଛି। କିନ୍ତୁ ୧୬ ତାରିଖଠାରୁ ପବନର ଦିଗ ପରିବର୍ତ୍ତନ ହେବ। ରାଜ୍ୟକୁ ପଶ୍ଚିମା ଗରମ ପବନ ବହିବ। କାଳବୈଶାଖୀ ବର୍ଷା ସମ୍ଭାବନା କମିଯିବ। ପାଗ ଶୁଖିଲା ଓ ଖରାଟିଆ ରହିବ। ତାପମାତ୍ରା ମଧ୍ୟ ବଢ଼ିବ। ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ଗରମ ହେବ। ଦୁଇ ସପ୍ତାହ ପର୍ଯ୍ୟନ୍ତ ଏମିତି ସ୍ଥିତି ଲାଗି ରହିବ।

‌ସେ ଆହୁରି କହିଛନ୍ତି, ଉତ୍ତର ସୁମାତ୍ରା ନିକଟରେ ୮ ତାରିଖ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ନିକୋବର ଦ୍ବୀପ ଉପରେ ରହିଥିଲା। ଏନ୍‌ସିଇପି ମଡେଲରୁ ଜଣାପଡ଼ୁଛି ଯେ ବର୍ତ୍ତମାନ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ୧୩ ତାରିଖ ଦିନ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ୧୪ ତାରିଖ ଦିନ ଏହା ଏକ ସଂଗଠିତ କ୍ଷେତ୍ରରେ ପରିଣତ ହେବ। ଏହାପରେ ଏହା ପ୍ରାୟତଃ ଉତ୍ତର ଦିଗକୁ ଗତି କରିବ ଓ ଘନୀଭୂତ ହେବ। ଆକଳନ କରାଯାଉଛି ଯେ ୧୫ତାରିଖ ଦିନ ଏହା ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ଅଛି। ଏହାପରେ ସେ ଦିଗ ପରିବର୍ତ୍ତନ କରି ଉତ୍ତର-ଉତ୍ତର ପୂର୍ବ ଆଡ଼କୁ ୨୪ ଘଣ୍ଟା ଗତି କରିବ ଓ ୧୬ ବାତ୍ୟାରେ ରୂପାନ୍ତର ହେବାର ସମ୍ଭାବନା ଅଛି। ତା’ପରେ ଏହା ଉତ୍ତରପୂର୍ବ ଆଡ଼େ ମିଆଁମାର ଓ ସଂଲଗ୍ନ ବାଂଲାଦେଶ ଉପକୂଳକୁ ମୁହାଁଇବ। ସେତେବେଳକୁ ଏହା ଦୁର୍ବଳ ହୋଇଯାଇଥିବ। ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ମତ ରଖୁଛି। ତେବେ ୧୩ରୁ ୧୬ତାରିଖ ପର୍ଯ୍ୟନ୍ତ ବାତ୍ୟା ସୃଷ୍ଟି ପାଇଁ ଅନୁକୂଳ ପରିବେଶ ରହିଛି ବୋଲି ଅଧିକାଂଶ ମଡେଲରୁ ଜଣାପଡ଼ୁଛି। କିନ୍ତୁ କୌଣସି ମଡେଲ ଓଡ଼ିଶା ପ୍ରତି ଏହାର କୌଣସି ପ୍ରଭାବର ସୂଚନା ଦେଇନାହିଁ। ଅର୍ଥାତ୍‌ ଓଡ଼ିଶାରେ ବାତ୍ୟାଜନିତ ପବନ କିମ୍ବା ବର୍ଷାର ବି ସମ୍ଭାବନା ନାହିଁ।

ମେଡେନ୍‌ ଜୁଲିଆନ୍‌ ଓ‌ସିଲେସନ୍‌ (ଏମ୍‌ଜେଓ) ଏବଂ ଭାରତ ମହାସାଗରରୁ ବଙ୍ଗୋପସାଗରକୁ ସମ୍ଭାବ୍ୟ ବାୟୁ ପ୍ରବାହିତରୁ ଜଣାପଡ଼ୁଛି ଯେ ଆଣ୍ଡାମାନରେ ୧୩ ତାରିଖଠାରୁ ୧୮ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ସ୍ବାଭବିକ ଭାବେ ଆଣ୍ଡାମାନରେ ମେ’ ୨୦ରେ ମୌସୁମୀ ବର୍ଷା ଆରମ୍ଭ ହୋଇଥାଏ। ହେଲେ ଚଳିତ ବର୍ଷ ସେଠି ଦୁଇ ତିନି ଦିନ ଆଗରୁ ମୌସୁମୀ ବର୍ଷା ହେବାର ସମ୍ଭାବନା ଅଛି। ତେବେ ଶ୍ରୀଲଙ୍କାରେ ମୌସୁମୀ ବର୍ଷ‌ା ଆରମ୍ଭ ହେବାରେ କିଛି ବିଳମ୍ବ ହୋଇପାରେ। ସ୍ବାଭାବିକ ଭାବେ ସେଠି ୨୪ରୁ ୨୫ ମେ’ ଭିତରେ ମୌସୁମୀ ବର୍ଷା ହୋଇଥାଏ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୪/୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। ରାଜ୍ୟରେ ଏବେ କାଳବୈଶାଖୀ ଜାରି ରହିଥିଲେ ମଧ୍ୟ ଗ୍ରୀଷ୍ମ ପ୍ରବାହ ବି ଜାରି ରହିଛି। ଆଜି ରାଜ୍ୟର ୫ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିବା ବେଳେ ଗତକାଲି ଅପେକ୍ଷା ଅପେକ୍ଷାକୃତ କମ୍‌ ରହିଛି। ଆଜି ତାଳଚେର ଓ ଟିଟିଲାଗଡ଼ରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୧ ଡିଗ୍ରି ରେକର୍ଡ କରାଯାଇଛି। ଏହାସହ ମାଲକାନଗିରି, ଭବାନୀପାଟଣା ଓ ପାରଳାଖେମୁଣ୍ଡିର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା।

ସମ୍ବନ୍ଧିତ ଖବର