ଶ୍ରୀଲଙ୍କା ଆତ୍ମଘାତୀ ବୋମା ଆକ୍ରମଣ ପରେ ସରକାର ବୁର୍ଖା ଉପରେ ଲଗାଇଲେ ପ୍ରତିବନ୍ଧକ , ଆଜିଠାରୁ ଲାଗୁ ହେଲା ନିୟମ

କଲମ୍ବୋ: ଶ୍ରୀଲଙ୍କା କଲମ୍ବୋ ଭଳି ଦେଶର ଅନେକ ସ୍ଥାନରେ ହୋଇଥିବା ସିରିଏଲ୍ ବୋମା ବିସ୍ଫୋରଣ ପରେ ଏବେ ସେଠାକାର ସରକାରଙ୍କୁ କଡ଼ା ନିୟମ ଆପଣାଇବାକୁ ପଡିଛି । ଶ୍ରୀଲଙ୍କା ସରକାର ବୁର୍ଖା ଏବଂ ମୁହଁ ଲୁଚାଇବା ଭଳି କପଡା ଉପରେ ରୋକ ଲଗାଇଛନ୍ତି । ଏହି ନିୟମ ସୋମବାର ଅର୍ଥାତ୍ ଆଜିଠାରୁ ଲାଗୁ ହେଲା । ଶ୍ରୀଲଙ୍କାରେ ହୋଇଥିବା ସିରିଏଲ୍ ଆତ୍ମଘାତୀ ବୋମା ବିସ୍ଫୋରଣ ପାଇଁ ଆଇଏସ୍ ନିଜକୁ ଦାୟୀ କରିଛି । ଯାହାପରେ ସେଠାକାର ସରକାର ଏହି ନିୟମ ଲାଗୁ କରିଛନ୍ତି ।

ଶ୍ରୀଲଙ୍କା ରାଷ୍ଟ୍ରପତି କହିଛନ୍ତି , ଏଭଳି କପଡା ଯାହା ପୁରା ମୁହଁକୁ ଲୁଚାଉଥିବ ସେଭଳି କପଡା ପିନ୍ଧିବା ଉପରେ ସୋମବାରଠାରୁ ରୋକ ଲଗାଯାଉଛି । ଶ୍ରୀଲଙ୍କା ସଂସଦରେ ଏହା ପୂର୍ବରୁ ସଂସଦ ସୁରକ୍ଷା କାରଣରୁ ବୁର୍ଖା ପିନ୍ଧିବା ଉପରେ ପ୍ରତିବନ୍ଧ ଲଗାଇବାକୁ ନେଇ ପ୍ରସ୍ତାବ ଦିଆଯାଇଥିଲା । ସେଠାକାର All Ceylon Jamiyyathul Ulama (ACJU) ନାମକ ସଂସ୍ଥାର ମୌଲବୀମାନେ ମଧ୍ୟ ସେଠାକାର ମହିଳାଙ୍କୁ ମୁହଁ ଲୁଚାଉଥିବା କପଡା ନ ପିନ୍ଧିବା ପାଇଁ କହିଥିଲେ । ଯାହାଦ୍ୱାରା ରାଷ୍ଟ୍ରୀୟ ସୁରକ୍ଷା ବାଧାପ୍ରାପ୍ତ ନ ହେବ ।

ଏପ୍ରିଲ୍ ୨୧ ତାରିଖରେ ଖ୍ରୀଷ୍ଟିୟାନ୍ ସମୁଦାୟର ଇଷ୍ଟର ପର୍ବ ସମୟରେ ଶ୍ରୀଲଙ୍କାର ଭିନ୍ନ ଭିନ୍ନ ସ୍ଥାନର ଚର୍ଚ୍ଚକୁ ଆକ୍ରମଣ କରିବା ପାଇଁ ଟାର୍ଗେଟ୍ କରାଯାଇଥିଲା । ଏଥିରେ ମୋଟ ୮ ଟି ବୋମା ବିସ୍ଫୋରଣ ହେଲା । ଯେଉଁଥିରେ ୨୫୩ ଜଣ ଲୋକ ଜୀବନ ହାରିଥିଲେ ଏବଂ ଶତାଧିକ ଲୋକ ଆହତ ହୋଇଥିଲେ । ଆତଙ୍କବାଦୀ ସଂଗଠନ ଆଇଏସଆଇଏସ୍ ଏଥିରେ ନିଜକୁ ଦାୟୀ କରିଛି । ଏହି ଆକ୍ରମଣ ପରେ ଶ୍ରୀଲଙ୍କାରେ କୁଢ କୁଢ ଅନ୍ତିମ ସଂସ୍କାରର ବହ୍ନି ଜଳିଥିଲା ଏବଂ ସବୁ ସ୍ଥାନକୁ ତନ୍ନତନ୍ନ କରି ସୁରକ୍ଷାକର୍ମୀ ଯାଞ୍ଚ୍ କରୁଥିଲେ ।

ସମ୍ବନ୍ଧିତ ଖବର