ଆସନ୍ତାକାଲି ହେବାକୁ ଥିବା ରଫେଲ ସମୀକ୍ଷା ଶୁଣାଣି ଘୁଞ୍ଚାିଇବା ଲାଗି ସୁପ୍ରିମ କୋର୍ଟଙ୍କୁ ଅନୁରୋଧ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ରାଫେଲ ସମୀକ୍ଷାକୁ ନେଇ ଚାଲୁଥିବା ଶୁଣାଣି ପ୍ରକ୍ରିୟାରେ ନୂଆ ସତ୍ୟପାଠ ଦାଖଲ କରିବା ପାଇଁ ସୁପ୍ରିମ କୋର୍ଟକୁ ଅଧିକ ସମୟ ମାଗିଛନ୍ତି କେନ୍ଦ୍ର ସରକାର । ଆସନ୍ତାକାଲି ଏହି ମାମଲାକୁ ନେଇ ଶୁଣାଣି ହେବାକୁ ଥିବା ବେଳେ କେନ୍ଦ୍ର ସରକାର ଶୁଣାଣିର ତାରିଖ ଘୁଞ୍ଚାଇବାକୁ ଅନୁରୋଧ କରିଛନ୍ତି । କେନ୍ଦ୍ର ସରକାର ଏ ନେଇ ସୁପ୍ରିମ କୋର୍ଟଙ୍କୁ ଅନୁରୋଧ କରିବା ପରେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠନ କରାଯାଇଥିବା ଖଣ୍ଡପୀଠ ଏହି ଅନୁରୋଧକୁ ଗ୍ରହଣ କରି ନଥିବା ସହ ସତ୍ୟପାଠ ଦାଖଲ କରିବା ପାଇଁ କହିଛନ୍ତି ।

oneindia.com

ସୂଚନାଯୋଗ୍ୟ ଯେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୋବନ୍ତ ସିହ୍ନା, ଅରୁଣ ସୌରୀ ଓ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ରାଫେଲ ପ୍ରସଙ୍ଗକୁ ନେଇ ପୁନଃବିଚାର କରିବା ପାଇଁ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ଗତ ଡିସେମ୍ବର ୧୪ ତାରିଖ ଦିନ ଯୁଦ୍ଧ ବିମାନ ରାଫେଲ ପ୍ରସଙ୍ଗରେ ଦେଇଥିବା ରାୟର ପୁନଃବିଚାର କରିବାକୁ ଆବେଦନକାରୀମାନେ ସେମାନଙ୍କ ଆବେଦନରେ ଅନୁରୋଧ କରିଥିଲେ ।

ଆବେଦନକାରୀ ଶ୍ରୀ ସିହ୍ନା, ଶ୍ରୀ ସୌରୀ ଓ ଶ୍ରୀ ଭୂଷଣ ସୁପ୍ରିମ କୋର୍ଟରେ ଦାୟର କରିଥିବା ପୁନଃବିଚାର ଆବେଦନରେ ଅଭିଯୋଗ କରି, ଦେଶର ସର୍ବୋଚ୍ଚ ଅଦାଲତକୁ ସରକାରଙ୍କ ତରଫରୁ ପ୍ରଦାନ କରାଯାଇଥିବା  ଲଫାପାରେ ଯେଉଁ ତଥ୍ୟ ଦିଆଯାଇଥିଲା, ତାହା ଏକ ଦସ୍ତଖତ ନ ଥିବା ଚିଠି । ଏହି ଚିଠି ଆଧାରରେ ଦେଶର ସର୍ବୋଚ୍ଚ ଅଦାଲତ ତାଙ୍କ ରାୟ ଦେଇଥିଲେ। ତେଣୁ ଏହି ମାମଲାର ପୁନଃବିଚାର କରାଯିବା ସହିତ ଏହା ଖୋଲା କୋର୍ଟରେ ଶୁଣାଣି କରାଯାଉ ବୋଲି ଆବେଦନକାରୀମାନେ ଅନୁରୋଧ କରିଥିଲେ, ଯାହାର ଶୁଣାଣି କାଲିକୁ ରଖା ଯାଇଥିବା ବେଳେ କେନ୍ଦ୍ରକୁ ନୂଆ ସତ୍ୟପାଠ ଦାଖଲ କରିବା ପାଇଁ ଆଦେଶ ଦିଆ ଯାଇଥିଲା ।

ସମ୍ବନ୍ଧିତ ଖବର