ଦୀପାବଳିରେ ସାମ୍ବାଦିକଙ୍କୁ ଟଙ୍କା ଉପହାର ଖବର ମିଛ : ବୋମାଇ

ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇଙ୍କ ଅଫିସ୍‌ ପକ୍ଷରୁ କିଛି ସାମ୍ବାଦିକଙ୍କୁ ଦୀପାବଳିରେ ମିଠା ପ୍ୟାକେଟ୍‌ ସହ ୧ ଲକ୍ଷ ନଗଦ ଟଙ୍କା ଉପହାର ଦିଆଯାଇଛି ବୋଲି ଅଭିଯୋଗ ହୋଇଛି। କିନ୍ତୁ ମୁଖ୍ୟମନ୍ତ୍ରୀ ବୋମାଇ ଏହାକୁ ଖଣ୍ଡନ କରିଛନ୍ତି । କର୍ଣ୍ଣାଟକ ସିଏମ୍‌ଓ ପକ୍ଷରୁ ସାମ୍ବାଦିକଙ୍କୁ ଲାଞ୍ଚ ଦିଆଯାଇଛି ବୋଲି ଅଭିଯୋଗ ହେବାପରେ ବୋମାଇ କହିଛନ୍ତି, କେହି ଜଣେ ଏହି ପ୍ରସଙ୍ଗରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଛନ୍ତି। ତେବେ ଏହି ଘଟଣାର ତଦନ୍ତ ହେବାପରେ ସତ ପଦାକୁ ଆସିବ।

ଉଲ୍ଲେଖଯୋଗ୍ୟ, କଂଗ୍ରେସ ଶନିବାର ଦିନ ଅଭିଯୋଗ କରିଥିଲା ଯେ ବୋମାଇ ଦୀପାବଳିରେ ସାମ୍ବାଦିକଙ୍କୁ ୧ ଲକ୍ଷ ନଗଦ ଟଙ୍କା ଉପହାର ଦେଇ ସେମାନଙ୍କୁ ଲାଞ୍ଚ ଦେବାକୁ ଚେଷ୍ଟା କରିଛନ୍ତି। କଂଗ୍ରେସ ପକ୍ଷରୁ ଏନେଇ ଦୁର୍ନୀତି ମାମଲା ରୁଜୁ ପାଇଁ ଦାବି ହୋଇଛି ଏବଂ ବୋମାଇଙ୍କ ଇସ୍ତଫା ଦାବି ହୋଇଛି। କିନ୍ତୁ ବୋମାଇ କହିଛନ୍ତି, ଏହା କଂଗ୍ରେସ ଷଡ଼ଯନ୍ତ୍ରର ଏକ ଅଂଶ। ସେମାନେ ମିଛର ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ବୋମାଇ କହିଛନ୍ତି, ମୁଁ ଦୀପାବଳିରେ ସାମ୍ବାଦିକଙ୍କୁ ଟଙ୍କା ଦେବାପାଇଁ କାହାକୁ କହିନି। ସାମ୍ବାଦିକମାନଙ୍କୁ ସୂଚନା ଦେଇ ବୋମାଇ କହିଛନ୍ତି, କଂଗ୍ରେସ ଯେତେବେଳେ କ୍ଷମତାରେ ଥିଲା ବିଭିନ୍ନ ଲୋକଙ୍କୁ କେଉଁ ପ୍ରକାର ଉପହାର ଦେଉଥିଲା ତାହା ସମସ୍ତେ ଜାଣନ୍ତି। ଗଣମାଧ୍ୟମରେ ମଧ୍ୟ ପୂର୍ବରୁ ଏହି ଖବର ରିପୋର୍ଟ କରାଯାଇଛି।

ସମ୍ବନ୍ଧିତ ଖବର