ଓ୍ଵାସିଂଟନ୍: ଭାରତୀୟ ବଂଶୋଦ୍ଭବ ପ୍ରଥମ ଆମେରିକୀୟ କ୍ୟାବିନେଟ୍ ସଦସ୍ୟ ନିକ୍କି ହେଲି ଓରଫ୍ ନିମ୍ରତା ରାନ୍ଧଓ୍ଵା ମଙ୍ଗଳବାର ଦିନ ହଠାତ୍ ଟ୍ରମ୍ପ୍ ପ୍ରଶାସନରୁ ଇସ୍ତଫା ଦେଇଛନ୍ତି। ସେ ଜାତିସଂଘରେ ଆମେରିକୀୟ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରୁଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ସହ ମିଳିତ ଭାବେ ହ୍ଵାଇଟ୍ ହାଉସ୍ରେ ଦେଖା ଦେଇ ହେଲି କହିଲେ କି, ଯିବାର ସମୟ ଆସିଯାଇଥିବାରୁ ସେ ପଦତ୍ୟାଗ କରୁଛନ୍ତି। କେତେବେଳେ ଆଡ଼େଇ ଯିବା ଆବଶ୍ୟକ ତାହା ସରକାରୀ ଅଧିକାରୀମାନେ ଜାଣିବା ଉଚିତ। ରାଷ୍ଟ୍ରପତି ଟ୍ରମ୍ପ୍ ତାଙ୍କୁ ବ୍ୟକ୍ତିଗତ ଏବଂ ଆନୁଷ୍ଠାନିକ ଭାବେ ପ୍ରଶଂସା କରିଛନ୍ତି।
କୌଣସି ଅପ୍ରୀତିକର ପରସ୍ଥିତି ଯୋଗୁଁ ସେ ଇସ୍ତଫା ଦେଉଛନ୍ତି ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇବାରୁ ସେ କହିଲେ କି, ୨୦୨୦ରେ ସେ ଟ୍ରମ୍ପ୍ଙ୍କ ପାଇଁ ପ୍ରଚାର ଅଭିଯାନରେ ସାମିଲ ହେବେ। ରାଷ୍ଟ୍ରପତି କହିଲେ ଯେ, ଜାତିସଂଘରେ ତାଙ୍କ କାର୍ଯ୍ୟରେ ସେ ଏତେ ମୁଗ୍ଧ ହୋଇଛନ୍ତି ଯେ, ଯେ କୌଣସି ସମୟରେ ତାଙ୍କୁ ଭିନ୍ନ ଏକ କ୍ଷମତା ଦେଇ ଫେରାଇ ଆଣି ପାରନ୍ତି। ସେ ଜାତିସଂଘରେ ଏ ବର୍ଷ ଶେଷ ଯାଏଁ କାର୍ଯ୍ୟ କରିବେ ବୋଲି ସେ ଓ ରାଷ୍ଟ୍ରପତି କହିଛନ୍ତି। ଏହି ସମୟ ମଧ୍ୟରେ ରାଷ୍ଟ୍ରପତି ଜାତିସଂଘ ନିମନ୍ତେ ତାଙ୍କର ବିକଳ୍ପ ଚୟନ କରିବେ।
ହେଲି କହିଛନ୍ତି ତାଙ୍କର ବିଦାୟ କ୍ଳାନ୍ତି ଛଡ଼ା ଅନ୍ୟ କିଛି ନୁହେଁ। ସେ ଦକ୍ଷିଣ କାରୋଲିନାର ଗଭର୍ଣ୍ଣନର୍ ଭାବେ ୬ ବର୍ଷ କାମ କରିବା ପରେ ସିଧା ଜାତିସଂଘ କାର୍ଯ୍ୟରେ ଯୋଗ ଦେଇଥିଲେ। ସେଠାରେ ସେ ୨ ବର୍ଷ କାର୍ଯ୍ୟ କଲେଣି। ଅବ୍ୟାହତି ନେବା ପଛରେ କୌଣସି ବ୍ୟକ୍ତିଗତ କାରଣ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ତାଙ୍କ ପରିବାର ପାଇଁ ଅଧିକ ସମୟ ଦେବାର ସମୟ ଆସିଯାଇଛି। ଦୁଇ ଛୋଟ ପିଲା ରେନା ଓ ନଳିନୀଙ୍କ କଥା ବୁଝିବାକୁ ପଡୁଛି। ଛଅ ମାସ ତଳୁ ସେ ଅବ୍ୟାହତି ନେବାକୁ ଟ୍ରମ୍ପ୍ଙ୍କୁ କହି ସାରିଥିଲେ। ଏ ନିଷ୍ପତ୍ତି ହଠାତ୍ ନିଆଯାଇ ନାହିଁ।