ତାପମାତ୍ରା ବୃଦ୍ଧି କରୋନା ସଂକ୍ରମଣକୁ କମାଏ, ଭାରତରେ ଅନୁଧ୍ୟାନ ପରେ ଦାବି କଲା ‘ନିରି’

ପୁଣେ: ମହାମାରୀ କୋଭିଡ୍–୧୯ର ମୁକାବିଲା ପାଇଁ ବିଶ୍ବବ୍ୟାପୀ ଯାବତୀୟ ବିକଳ୍ପ ଉପାୟମାନ ଚିନ୍ତା କରାଯାଉଥିବା ବେଳେ ଏହାର ସଂକ୍ରମଣ ସଂକ୍ରାନ୍ତ ମିଳୁଥିବା ବାସ୍ତବ ତଥ୍ୟରୁ ମଧ୍ୟ ନୂଆନୂଆ ନିର୍ଯାସ ବାହାରିବାରେ ଲାଗିଛି। ତାପମାତ୍ରା ସହିତ କରୋନା ସଂକ୍ରମଣର ୮୫ ପ୍ରତିଶତ ସାମଞ୍ଜସ୍ୟ ରହିଛି ବୋଲି ନାଗପୁର ସ୍ଥିତ ନାସନାଲ୍ ଏନଭାରନ୍ମେଣ୍ଟାଲ୍ ଇଞ୍ଜିନିଅରିଂ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌(ନିରି)ର ଗବେଷକମାନେ ନିକଟରେ ଅନୁଧ୍ୟାନ କରି ଜଣାଇଛନ୍ତି। ପରିବେଶର ତାପମାତ୍ରା ବୃଦ୍ଧି ଘଟିଲେ କରୋନା ଭୂତାଣୁର ସଂକ୍ରମଣ ହ୍ରାସ ପାଇଥାଏ ବୋଲି ସେମାନେ ଦାବି କରିଛନ୍ତି। ସମୟାନୁସାରେ ଦିନର ହାରାହାରି ତାପମାତ୍ରା ଏବଂ ଦେଶର ବଛା ବଛା କିଛି ସହର ସମେତ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ରାଜ୍ୟର କୋଭିଡ୍–୧୯ ସଂକ୍ରାନ୍ତ ଉପଲବ୍ଧ ତଥ୍ୟକୁ ବିଶ୍ଳେଷଣ କରି ସେମାନେ ଏପରି ସିଦ୍ଧାନ୍ତରେ ଉପନୀତ ହୋଇପାରିଛନ୍ତି।

ଦେଶରେ ଔଦ୍ୟୋଗିକ ଏବଂ ବିଜ୍ଞାନଭିତ୍ତିକ ଗବେଷଣା ଚାଲୁ ରଖିଥିବା ସଂସ୍ଥା କାଉନ୍‌ସିଲ୍‌ ଅଫ୍ ସାଇଣ୍ଟିଫିକ୍ ଆଣ୍ତ୍ ଇଣ୍ତଷ୍ଟ୍ରିଆଲ୍ ରିସର୍ଚ୍ଚ(ସିଏସ୍‌ଆଇଆର୍)ର ସହଯୋଗୀ ପ୍ରତିଷ୍ଠାନ ‘ନିରି’ ପକ୍ଷରୁ କୋଭିଡ୍–୧୯ ସମ୍ପର୍କିତ ପରିକଳ୍ପନା କରାଯାଇଥିବା ଏକ ଗାଣିତିକ ପ୍ରତିରୂପରୁ ଏପରି ସାରାଂଶ ମିଳିପାରିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମିଳୁଥିବା କୋଭିଡ୍–୧୯ ତଥ୍ୟ ଏବଂ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳୁଥିବା ତାପମାତ୍ରା ତଥ୍ୟକୁ ଭିତ୍ତି କରି ‘ନିରି’ର ଗବେଷକମାନେ ଏପରି ନୂତନ ନିଷ୍କର୍ଷ ଆଣିବାରେ ସକ୍ଷମ ହୋଇଛନ୍ତି। ସମୟାନୁକ୍ରମେ ବଦଳୁଥିବା ଦିନର ହାରାହାରି ତାପମାତ୍ରା ଓ ଜଳବାୟୁର ଆର୍ଦ୍ରତା ସହ କୋଭିଡ୍–୧୯ ତଥ୍ୟକୁ ତୁଳନା କରି ଏପରି ଅଭିନବ ଅନୁମାନ ଲଗାଯାଇଛି। ‘ନିରି’ ବୈଜ୍ଞାନିକ ହେମନ୍ତ ଭିରୱାନିଙ୍କ କହିବା କଥା, ଦିନର ତାପମାତ୍ରା ୨୫ ଡିଗ୍ରି ସେଲସିଅସ୍‌ରୁ ଯେତେ ଅଧିକ ବଢ଼ିଚାଲିଛି, କୋଭିଡ୍–୧୯ ସଂକ୍ରମିତଙ୍କ ସଂଖ୍ୟା ସେତେ କମି କମି ଆସୁଛି। ସୁତରାଂ ଭାରତର ଉଷ୍ଣ ଜଳବାୟୁ ହିଁ କୋଭିଡ୍–୧୯ ସଂକ୍ରମଣରେ ଆଶାତୀତ ପ୍ରତିବନ୍ଧକ ଲଗାଇପାରୁଛି।

ତେବେ କରୋନା ସଂକ୍ରମଣ ରୋକିବାରେ ଭାରତୀୟ ଜଳବାୟୁରୁ ମିଳୁଥିବା ଏପରି ବର୍ଦ୍ଧିତ ତାପମାତ୍ରା ଓ ଆର୍ଦ୍ରତା ଭଳି ପରିବେଶଗତ ସୁବିଧା ଅପେକ୍ଷା ଲୋକଙ୍କ ଭିତରେ ସାମାଜିକ ଦୂରତ୍ବ ହିଁ ଯଥେଷ୍ଟ ଫଳପ୍ରଦ ସାବ୍ୟସ୍ତ ହୋଇପାରିଛି ବୋଲି ଶ୍ରୀ ଭିରୱାନି ସ୍ବୀକାର କରିଛନ୍ତି। ତେଣୁ କରୋନା ବିରୋଧରେ ଜାରି ରହିଥିବା ଲଢେ଼ଇରୁ ଆମକୁ ଅଧିକ ସୁଫଳ ପାଇବା ଲାଗି କେବଳ ତାପମାତ୍ରା ଓ ଆର୍ଦ୍ରତାକୁ ଗୁରୁତ୍ବ ଦେବା ଠିକ୍ ହେବନାହିଁ। ସେହିପରି କୋଭିଡ୍–୧୯ ଅତ୍ୟନ୍ତ ସଂକ୍ରମଣକ୍ଷମ ହୋଇଥିବା ବେଳେ ଭାରତ ପରି ଜନବହୁଳ ଦେଶରେ ସାମାଜିକ ଦୂରତ୍ବକୁ ଆଡ଼ କରି କେବଳ ତାପମାତ୍ରା ଓ ଆର୍ଦ୍ରତା ପ୍ରଭାବର ମାନେ କିଛି ନାହିଁ ବୋଲି ସେ ଟିପ୍ପଣୀ କରିଛନ୍ତି।

ସମ୍ବନ୍ଧିତ ଖବର