ଭାରତରେ ଗୋଷ୍ଠୀ ସଂକ୍ରମଣ ହୋଇନି, କିନ୍ତୁ ରାଜ୍ୟମାନେ ସତର୍କ ରହିବା ଜରୁରୀ : ଆଇସିଏମଆର

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ମାମଲା ବଢିଚାଲିଥିବା ସତ୍ତ୍ୱେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) ପକ୍ଷରୁ କୁହାଯାଇଛି ।

ଆଇସିଏମଆରର ମହା ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ବଳରାମ ଭାର୍ଗବ କହିଛନ୍ତି ଯେ ସଂକ୍ରମଣ ମାମଲା ବଢିଚାଲିଥିବା ସତ୍ତ୍ୱେ ଭାରତର ବିଶାଳ ଜନସଂଖ୍ୟାକୁ ଦେଖିଲେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି କୁହାଯାଇପାରିବ । ଦେଶର ଅଧିକାଂଶ ସଂକ୍ରମଣ ମାମଲା ଅଳ୍ପ କେତୋଟି ରାଜ୍ୟ ଓ ସହରରେ ସୀମିତ ହୋଇ ରହିଛି । ତେବେ ରାଜ୍ୟମାନେ ସତର୍କତାକୁ କୋହଳ ନ କରି ପ୍ରଭାବୀ ଢଙ୍ଗରେ ଲକଡାଉନ ନିୟମାବଳୀକୁ ଲାଗୁ କରିବା ଆବଶ୍ୟକ ବୋଲି ସେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀ ଅବସରରେ କହିଛନ୍ତି ।

ସେ କହିଛନ୍ତି ଯେ ଭାରତରେ ପ୍ରତି ୧ ଲକ୍ଷ ଲୋକଙ୍କ ପିଛା ୨୦.୧୧ ଜଣ କରୋନା ସଂକ୍ରମିତ ହେଉଥିବାବେଳେ ବିଶ୍ୱ ସ୍ତରରେ ତାହା ୯୧.୬୭ ଅଛି । ଏଣୁ ଭାରତରେ ସଂକ୍ରମଣ ସଂଖ୍ୟା ଅତି କମ ସ୍ତରରେ ରହିଛି । ଏହା ପ୍ରମାଣିତ କରୁଛି ଯେ ଦେଶରେ ଲକଡାଉନ ସଫଳ ହୋଇଛି ।
ଏହି ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ଵାଲ କହିଛନ୍ତି ଯେ ଆମର ଆରୋଗ୍ୟ ହାର ୪୯.୨୧ ପ୍ରତିଶତକୁ ବୃଦ୍ଧି ପାଇଛି । ଦେଶର ସକ୍ରିୟ ସଂକ୍ରମଣ ସଂଖ୍ୟା ତୁଳନାରେ ଆରୋଗ୍ୟ ସଂଖ୍ୟା ଟପିଯାଇଛି । ଏହା ଏକ ଶୁଭ ଲକ୍ଷଣ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର