କେନ୍ଦ୍ର-କୃଷକ ଆଲୋଚନା : ୭ମ ପର୍ଯ୍ୟାୟରେ ବି ବାହାରିଲାନି ସମାଧାନର ସୂତ୍ର, ପରବର୍ତ୍ତୀ ଆଲୋଚନା ୮ରେ

ନୂଆଦିଲ୍ଲୀ: ନୂତନ କୃଷି ଆଇନର ଉଚ୍ଛେଦ ଦାବି କରି ଗତ ନଭେମ୍ବର ୨୬ରୁ ଦେଶର କୃଷକମାନେ ଦିଲ୍ଲୀ ସୀମାରେ ଆରମ୍ଭ କରିଥିବା ଆନ୍ଦୋଳନର ସମାଧାନ ପାଇଁ ଆଜି ଉଭୟ ସରକାର ଓ କୃଷକ ନେତାଙ୍କ ମଧ୍ୟରେ ବସିଥିବା ୭ ପର୍ଯ୍ୟାୟ ଆଲୋଚନା ବିଫଳ ହୋଇଛି।

କୃଷକ ନେତାମାନେ ଆଜିର ଆଲୋଚନା କାଳରେ ସେମାନଙ୍କର ପୂର୍ବ ତଥା ଏକମାତ୍ର ଦାବି ବିବାଦୀୟ କୃଷି ଆଇନର ପ୍ରତ୍ୟାହାର ପାଇଁ ଅଡ଼ି ବସିଥିଲେ। ହେଲେ ସପ୍ତମ ରାଉଣ୍ଡ ଆଲୋଚନା କାଳରେ ସରକାରଙ୍କ ପକ୍ଷରୁ କୃଷିମନ୍ତ୍ରୀ ନୂତନ କୃଷି ଆଇନକୁ ସଂପୂର୍ଣ୍ଣ ପ୍ରତ୍ୟାହାର ପରିବର୍ତ୍ତେ ଆଇନରେ ସଂଶୋଧନ ପାଇଁ ପ୍ରସ୍ତାବ ଦେଇ ଏହାକୁ ବିକଳ୍ପ ଭାବେ ଗ୍ରହଣ କରିବାକୁ ଚାଷୀ ନେତାମାନଙ୍କୁ ପରାମର୍ଶ ଦେଇଥିଲେ।

ତେବେ, ସରକାରଙ୍କ ପ୍ରସ୍ତାବକୁ କୃଷକ ନେତାମାନେ ସିଧାସଳଖ ପ୍ରତ୍ୟାଖାନ କରି ଦେଇଥିଲେ। ଫଳରେ ବୈଠକରେ କୌଣସି ନିଷ୍କର୍ଷ ବାହାରି ପାରି ନ ଥିଲା। ତେବେ, ସମାଧାନର ସୂତ୍ର ବାହାର କରିବା ପାଇଁ ଆସନ୍ତା ଜାନୁଆରି ୮ ତାରିଖରେ ଉଭୟ ପକ୍ଷ ଆଉ ଏକ ବୈଠକରେ ଏକତ୍ରିତ ହୋଇ ୮ମ ରାଉଣ୍ଡ ପାଇଁ ଆଲୋଚନା କରିବେ ବୋଲି ରାଜି ହୋଇଛନ୍ତି।

ଆଜିର ଆଲୋଚନା କାଳରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ ଯୋଗ ଦେଇଥିଲେ।  ଆଲୋଚନା ବେଳେ ଆନ୍ଦୋଳନକାରୀ କୃଷକ ନେତାମାନେ ସରକାରଙ୍କ ଖାଦ୍ୟ ଗ୍ରହଣ ନ କରି ସେମାନେ ନିଜ ସହ ଆଣିଥିବା ଖାଦ୍ୟ ଖାଇଥିଲେ।

ସମ୍ବନ୍ଧିତ ଖବର