କେହି ପ୍ରସ୍ତୁତ ନଥିଲେ, ବଞ୍ଚାଇଲା ଯୋଗ: ମୋଦୀ

ନୂଆଦିଲ୍ଲୀ : ସାରା ବିଶ୍ବ ମହାମାରୀ କରୋନା ଭୂତାଣୁ ସହ ଯୁଝି ହେଉଥିବା ବେଳେ କେବଳ ଯୋଗ ହିଁ ଏକ ଆଶାର କିରଣ ସଂଚାର କରିଛି। ଅଦୃଶ୍ୟ କରୋନା ଭୂତାଣୁ ଆସି ଯେତେବେଳେ ପ୍ରତ୍ୟେକଙ୍କର କବାଟ ଠକ୍‌ ଠକ୍‌ କଲା, ସେତେବେଳେ ତାହାର ମୁକାବିଲା ପାଇଁ କୌଣସି ବି ରାଷ୍ଟ୍ର ପ୍ରସ୍ତୁତ ନଥିଲେ। ଏଭଳି କଷ୍ଟସାଧ୍ୟ ସମୟରେ ଯୋଗ ହିଁ ଲୋକଙ୍କ ମନରେ ଆତ୍ମବଳ ବଢ଼ାଇବାର ଶ୍ରେଷ୍ଠ ଶକ୍ତି ପାଲଟିଥିଲା। ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି।

ସେ କହିଛନ୍ତି ଯେ ଯୋଗ ହିଁ ସମସ୍ତଙ୍କୁ ଶୃଙ୍ଖଳିତ କରି ରଖିବା ସହ ଘାତକ କରୋନାଭୂତାଣୁ ସହ ଲଢ଼େଇ କରିବା ପାଇଁ ଲୋକଙ୍କ ହୃଦୟରେ ଏକ ଆତ୍ମବିଶ୍ବାସ ଜଗାଇଥିଲା। ଏଥିସହିତ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସହ ମିଶି ଭାରତ ଏମ୍‌-ଯୋଗ ନାମରେ ଏକ ମୋବାଇଲ ଆପ୍ଲିକେସନ୍‌ ଛାଡ଼ିବ। ଏଥିରେ ବିଶ୍ବର ବିଭିନ୍ନ ଭାଷାରେ ଯୋଗ ପ୍ରଶିକ୍ଷଣର ଭିଡିଓ ଉପଲବ୍‌ଧ ହେବ। ଏହା ସମସ୍ତଙ୍କୁ ‘ସମାନ ବିଶ୍ବ, ସମାନ ସ୍ବାସ୍ଥ୍ୟ’ ଲକ୍ଷ୍ୟ ସାଧନରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର