ବାବୁଙ୍କ ପାଇଁ ସତର୍କଘଣ୍ଟି ! ଦୁର୍ନୀତି ମାମଲା ଥିଲେ ପାସପୋର୍ଟ ମିଳିବ ନାହିଁ

ନୂଆଦିଲ୍ଲୀ : ଦୁର୍ନୀତିଗ୍ରସ୍ତ ବାବୁ ମାନଙ୍କ ପାଇଁ ସତର୍କଘଣ୍ଟି ! ଏଣିକି ଦୁର୍ନୀତି ଅଭିଯୋଗରେ ନିଲମ୍ବିତ ହୋଇଥିବା କିମ୍ବା ଦୁର୍ନୀତି ଅଭିଯୋଗରେ ମାମଲା ଚାଲିଥିବା ସରକାରୀ କର୍ମଚାରୀମାନଙ୍କୁ ପାସପୋର୍ଟ ଜାରି କରାଯିବ ନାହିଁ । ଏ ନେଇ କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟ ଓ କେନ୍ଦ୍ରୀୟ ସତର୍କତା ଆୟୋଗ (ସିଭିସି) ସହ ପରାମର୍ଶ କ୍ରମେ କାର୍ମିକ ମନ୍ତ୍ରାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏହି ନିର୍ଦ୍ଦେଶ ସଂପର୍କରେ ସବୁ କେନ୍ଦ୍ର ସରକାରୀ ବିଭାଗମାନଙ୍କ ସଚିବ ମାନଙ୍କୁ ସୂଚୀତ କରାଯାଇଛି । ଏହି ନିର୍ଦ୍ଦେଶ ଅନୁସାରେ କେନ୍ଦ୍ର ସରକାରୀ କର୍ମଚାରୀମାନେ ପାସପୋର୍ଟ ପାଇଁ ଆବେଦନ କରିବାବେଳେ ସେମାନଙ୍କ ଭିଜିଲାନ୍ସ କ୍ଲିୟରାନ୍ସ ଦେଖାଯିବ । ଏଣୁ ଯଦି ଜଣେ କର୍ମଚାରୀଙ୍କ ବିରୋଧରେ ଦୁର୍ନୀତି ମାମଲା ଚାଲିଛି କିମ୍ବା ସେ ଏହି ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି, ସେମାନଙ୍କ ଭିଜିଲାନ୍ସ କ୍ଲିୟରାନ୍ସ ପ୍ରତ୍ୟାହାର କରିନିଆଯିବ । ଆହୁରି ମଧ୍ୟ ଯଦି ଜଣେ କର୍ମଚାରୀଙ୍କ ବିରୋଧରେ ଜାମିନ ବିହୀନ ପରଓ୍ଵାନା ଜାରି ହୋଇଛି ବା କୌଣସି ଅପରାଧିକ ମାମଲା ରୁଜ୍ଜୁ ହୋଇଛି, ସେମାନଙ୍କର ମଧ୍ୟ ଭିଜିଲାନ୍ସ କ୍ଲିୟରାନ୍ସ ପ୍ରତ୍ୟାହାର କରିନିଆଯିବ । କ୍ଲିୟରାନ୍ସ ପ୍ରତ୍ୟାହାର ନଥିଲେ ସେମାନଙ୍କୁ ପାସପୋର୍ଟ ଜାରି କରାଯିବ ନାହିଁ ।

ସମ୍ବନ୍ଧିତ ଖବର