ସ୍ପଷ୍ଟ କଲେ ପାୱାର, ଶିବସେନା ସହ ମେଣ୍ଟ ହେବନାହିଁ

ଶାହଙ୍କୁ ଚ୍ୟାଲେଂଜ: ଶୀଘ୍ର ସରକାର ଗଠନ କରି ଦେଖାଅ

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି ଏବଂ ଶିବସେନା ମଧ୍ୟରେ ଲାଗି ରହିଥିବା ବିବାଦ ‌ଛିଡ଼ୁନଥିବା ବେଳେ ଶିବସେନା ଏନ୍‌ସିପି ଓ କଂଗ୍ରେସ ସମର୍ଥନରେ ସରକାର ଗଠନ କରିବ ବୋଲି ଜୋରଦାର ଚର୍ଚ୍ଚା ହେଉଥିଲା। କିନ୍ତୁ ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ଆଜି ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଶିବସନା ନେତା ସଂଜୟ ରାଉତଙ୍କୁ ଆଜି ସାକ୍ଷାତ କରିବାର କିଛି ଘଣ୍ଟା ପରେ ପାୱାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଏନ୍‌ସିପି ମହାରାଷ୍ଟ୍ରରେ ବିରୋଧୀ ଦଳରେ ହିଁ ରହିବ। ପାୱାର କହିଛନ୍ତି, ସରକାର ଗଠନରେ ଏନ୍‌ସିପିର କୌଣସି ଭୂମିକା ନାହିଁ। ତେଣୁ ଶିବସେନା-ଏନ୍‌ସିପି ସରକାର ଗଠନର ପ୍ରଶ୍ନ ଉଠିଲା କେଉଁଠୁ ? ଶିବସେନା ଏବଂ ବି‌ଜେପି ଦୀର୍ଘ ୨୫ ବର୍ଷରୁ ଅଧିକ ଦିନ ଧରି ମେଣ୍ଟ‌ରେ ଅଛନ୍ତି। ଆଜି ନହେଲେ କାଲି ସେମାନେ ପୁଣି ଥ‌ରେ ଏକାଠି ହୋଇଯିବେ। ତେଣୁ ଏନ୍‌ସିପି ବିରୋଧୀ ଦଳରେ ହିଁ ରହିବ। ପା‌ୱାର ମଧ୍ୟ ବି‌ଜେପି ଏବଂ ଶିବସେନାକୁ ଅନୁ‌ରୋଧ କରି ଲୋକମତକୁ ସମ୍ମାନ ଦେବାପାଇଁ କହିଛନ୍ତି। ଶିବସେନା ସହ ମେଣ୍ଟ ହେବନାହିଁ ବୋଲି ସ୍ପଷ୍ଟ କରିବାପରେ ପାୱାର ବି‌ଜେପିକୁ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଚ୍ୟାଲେଂଜ କରିଛନ୍ତି। ପାୱାର କହିଛନ୍ତି, ସେ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ରାଜ‌ନୈତିକ ପାଣ୍ଡିତ୍ୟର ପରୀକ୍ଷା କରିବାକୁ ଚାହାନ୍ତି। ନିର୍ବାଚନ ଫଳାଫଳ ଆସିବାର ଦୁଇ ସପ୍ତାହ ବିତିଯାଇଥିଲେ ମଧ୍ୟ ମହାରାଷ୍ଟ୍ର ସରକାର ଗଠନ ହୋଇପାରୁ ନଥିବାରୁ ପାୱାର ଏହି ମର୍ମରେ କହିଛନ୍ତି , ସେ ମହାରାଷ୍ଟ୍ର ରାଜନୀତି ସଂକ୍ରାନ୍ତରେ ଶାହଙ୍କ ଦକ୍ଷତା ଦେଖିବାକୁ ଚାହାନ୍ତି। ମହାରାଷ୍ଟ୍ରରେ ସାମ୍ବିଧାନିକ ସଙ୍କଟ ସୃଷ୍ଟି ହେବା ଉଚିତ୍‌ ନୁହେଁ। ଉଭୟ ବିଜେପି ଏବଂ ଶିବସେନା ଲୋକମାନଙ୍କର ମତକୁ ସମ୍ମାନ ଦେଇ ସରକାର ଗଠନ କରିବା ଉଚିତ।

ସଂଜୟ ରାଉତଙ୍କ ‌ସହ ବୈଠକ ସଂକ୍ରାନ୍ତରେ ସୂଚନା ଦେଇ ପାୱାର କହିଛନ୍ତି, ସମାନ ଆଭିମୁଖ୍ୟ ରହୁଥିବା ବିଭିନ୍ନ ପ୍ରସଙ୍ଗ ଉପରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି ଏବଂ ଆଗାମୀ ବିଧାନସଭା ଅଧିବେସନ ସଂକ୍ରାନ୍ତରେ ମଧ୍ୟ ଆଲୋଚନା ହୋଇଛି। ଅନ୍ୟପ‌କ୍ଷେ ପାୱାର କହିଛନ୍ତି, ସେ ୪ ଥର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଏବଂ ଆଉଥରେ ସେ ମୁଖ୍ୟମନ୍ତ୍ରୀ ‌ହେବାକୁ ଚାହାନ୍ତି ନାହିଁ।

ସମ୍ବନ୍ଧିତ ଖବର