ଭାରତ-ନେପାଳ ସମ୍ପର୍କକୁ କୌଣସି ଶକ୍ତି ଭାଙ୍ଗି ପାରିବନି: ରାଜନାଥ

ନୂଆଦିଲ୍ଲୀ: ଭାରତ-ନେପାଳ ସମ୍ପର୍କ ଏତେ ସାଧାରଣ ନୁହେଁ। ବିଶ୍ବରେ କୌଣସି ଶକ୍ତି ବି ଭାରତ-ନେପାଳ ସମ୍ପର୍କକୁ ଭାଙ୍ଗି ପା‌ରିବନି। ଭାରତ ଏବଂ ନେପାଳ ମଧ୍ୟରେ ଯଦି କୌଣସି ଭୁଲ୍‌ ବୁଝାମଣା ଅଛି ତେବେ ତାହା କଥାବାର୍ତ୍ତା ମାଧ୍ୟମରେ ସମାଧାନ ହୋଇପାରିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ନେପାଳ ସରକାର ନିକଟରେ ତାଙ୍କ ଦେଶ‌ର ସଂସଦରେ ଏକ ନୂଆ ମ୍ୟାପ୍‌ ଗୃହୀତ କରାଇଛି। ଏଥିରେ ଭାରତର ଏକ ଅଂଶ ରହିଛି। ଲିପୁଲେଖରେ ଭାରତର ନୂଆ ବର୍ଡର୍‌ ରୋଡ୍‌କୁ ନେପାଳ ବିରୋଧ କରିବା ସହ ଏକ ନୂଆ ମ୍ୟାପ୍‌ ସଂସଦରେ ଗୃହୀତ କରିଛି। ତେବେ ଭାରତ ପଡ଼ୋଶୀ ଦେଶ ପକ୍ଷରୁ ଜାରି ଏହି ମ୍ୟାପ୍‌କୁ ପ୍ରତ୍ୟାଖ୍ୟାନ କରିବା ସହ କହିଛି ନେପାଳର ଏହି କାର୍ଯ୍ୟ ଏକତରଫା।

ଏଥିରେ କୌଣସି ଐତିହାସିକ ତଥ୍ୟ ନାହିଁ କି ଏନେଇ କୌଣସି ପ୍ରମାଣ ମଧ୍ୟ ନାହିଁ। ଉଲ୍ଲେଖଯୋଗ୍ୟ ଭାରତ ଉତ୍ତରାଖଣ୍ଡରୁ ଲିପୁଲେଖକୁ ସଂ‌ଯୋଗ କରୁଥିବା ଏକ ୮୦ କିମି ରାସ୍ତା ଉଦ୍‌ଘାଟନ କରିବାପରେ ‌ନେପାଳ ଏହାକୁ ବିରୋଧ କରିଥିଲା ଏବଂ ପରେ ଏହାର ମାନଚିତ୍ର‌ରେ ସଂସ୍କାର ଆଣି ଏଥିରେ ଭାରତର ଏକ ଅଂଶକୁ ସାମିଲ କରିଥିଲା। ତେବେ ଗୋଟିଏ ପଟେ ଭାରତ-ନେପାଳ ମଧ୍ୟରେ ସମ୍ପର୍କ ଦୁର୍ବଳ ହୋଇପଡ଼ିଥିବାବେଳେ ରାଜନାଥ ଏହି ସମୟରେ ଅତି ଗୁରୁତ୍ବପୂର୍ଣ୍ଣ ବୟାନ ଦେଇଛନ୍ତି। ରାଜନାଥ କହିଛନ୍ତି ଭାରତ- ନେପାଳ ସମ୍ପର୍କ ଅତୁଟ। ଆମର ନେପାଳ ସହ ସାମାଜିକ, ଭୌଗୋଳିକ, ଐତିହାସିକ, ସାଂସ୍କୃତିକ ଏବଂ ଏପରିକି ଆଧ୍ୟାତ୍ମିକ ସମ୍ପର୍କ ରହିଛି। ଭାରତ-ନେପାଳ ସମ୍ପର୍କ ରୋଟି-ବେଟିର ସମ୍ପର୍କ। ନେପାଳ ପାଇଁ ଭାରତୀୟଙ୍କ ମଧ୍ୟରେ କୌଣସି ତିକ୍ତତା ନାହିଁ ବୋଲି ରାଜନାଥ ଦୃଢ଼ୋକ୍ତି ବାଢ଼ିଛନ୍ତି। ସେ କହିଛନ୍ତି, କଥାବାର୍ତ୍ତା ମାଧ୍ୟମ‌ରେ ଆମେ ସବୁ ଭୁଲ୍‌ ବୁଝାମଣାର ସମାଧାନ କରିପାରିବୁ।

ସମ୍ବନ୍ଧିତ ଖବର