ନିର୍ଭୟା ମାମଲା: ୪ ଦୋଷୀଙ୍କ ମାମଲାକୁ ପୃଥକ ପୃଥକ ଶୁଣାଣି କରାଯାଇ ପାରିବ ନାହିଁ; ସମସ୍ତ ନ୍ୟାୟିକ ବିକଳ୍ପକୁ ୭ ଦିନରେ ଶେଷ କର ନିର୍ଦ୍ଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଯଥାଶୀଘ୍ର ଫାଶୀରେ ଝୁଲାଇବା ପାଇଁ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୁଲିସ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଆଜି ତାଙ୍କର ରାୟ ଘୋଷଣା କରିଛନ୍ତି। ଦିଲ୍ଲୀ ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କ ମାମଲାକୁ ଅଲଗା ଅଲଗା ବିଚାର କରାଯାଇ ପାରିବ ନାହିଁ। ଏଥିସହ ଫାଶୀ ଦଣ୍ଡାଦେଶର କାର୍ଯ୍ୟକାରୀତା ପୂର୍ବରୁ ଦୋଷୀମାନଙ୍କ ନିକଟରେ ଯେଉଁ ସମସ୍ତ ନ୍ୟାୟିକ ବିକଳ୍ପ ଉପଲବ୍ଧ ରହିଛି ସେସବୁ ଆସନ୍ତା ୭ ଦିନ ମଧ୍ୟରେ ଶେଷ କରିବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ପଟିଆଲା ହାଉସ୍‌ କୋର୍ଟ ଦ୍ଵାରା ନିର୍ଭୟା ଦୋଷୀମାନଙ୍କ ବିରୋଧରେ ଜାରି କରାଯାଇଥିବା ଡେଥ୍‌ ୱାରେଣ୍ଟ ଉପରେ ରହିତାଦେଶ ଲଗାଯିବାକୁ ବିରୋଧ କରାଯାଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଏବଂ ଦିଲ୍ଲୀ ପୁଲିସ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ ଦାଖଲ ହୋଇଥିଲା। ଦିଲ୍ଲୀ ହାଇକୋର୍ଟରେ ଏହି ମାମଲାର ଶୁଣାଣି କାଳରେ ସଲିସିଟର ଜେନେରାଲ ତୁଷାର ମେହେଟା କହିଥିଲେ ଯେ ଦୋଷୀମାନେ ଆଇନର ଦୁରୁପଯୋଗ କରୁଥିବା ଏବଂ ଫାଶୀ ଦଣ୍ଡକୁ ଟାଳିବା ପାଇଁ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ଚାଲ୍‌ ଚଳାଉଛନ୍ତି। ଦୋଷୀ ପଓ୍ଵନ ଗୁପ୍ତା ଏ ପର୍ଯ୍ୟନ୍ତ କ୍ୟୁରେଟିଭ ପିଟିସନ୍‌ କିମ୍ବା ରାଜକ୍ଷମା ଆବେଦନ ଦାଖଲ ନ କରିବା ମଧ୍ୟ ଏକ ସୁଚିନ୍ତିତ ଚାଲ୍‌ ବୋଲି ସେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋର୍ଟରେ କହିଥିଲେ। ତେଣୁ, ଏ ପରିସ୍ଥିତିରେ ଯେଉଁମାନଙ୍କର କୌଣସି ଆବେଦନ କୌଣସି ଅଦାଲତ କିମ୍ବା ରାଷ୍ଟ୍ରପତିଙ୍କ ନିକଟରେ ନାହିଁ ସେମାନଙ୍କୁ ତୁରନ୍ତ ଫାଶୀରେ ଝୁଲାଇବାକୁ ନିର୍ଦ୍ଦେଶ ଦେବାକୁ ସଲିସିଟର ଜେନେରାଲ ଦୃଢ଼ ଯୁକ୍ତି ରଖିଥିଲେ।

ଅନ୍ୟପକ୍ଷରେ, ନିର୍ଭୟା ମାମଲାର ଦୋଷୀ ଅକ୍ଷୟ ସିଂହ, ବିନୟ ଶର୍ମା ଏବଂ ପଓ୍ଵନର ଓକିଲ ଏପି ସିଂହ ସରକାରଙ୍କ ଏହି ଯୁକ୍ତିକୁ ଖଣ୍ଡନ କରିଥିଲେ। ନିର୍ଭୟା ମାମଲାର ଦୋଷୀ ଅକ୍ଷୟ ସିଂହ, ବିନୟ ଶର୍ମା ଏବଂ ପଓ୍ଵନର ଓକିଲ ଏପି ସିଂହ ତାଙ୍କ ଦଲିଲରେ କହିଥିଲେ ଯେ ଶେଷ ପର୍ଯ୍ୟନ୍ତ ନ୍ୟାୟିକ ବିକଳ୍ପ ବ୍ୟବହାର କରିବା ଅଧିକାର ଦୋଷୀମାନଙ୍କର ରହିଛି ଏବଂ ଏଥିରୁ ସେମାନଙ୍କୁ ବଞ୍ଚିତ କରାଯାଇ ପାରିବ ନାହିଁ।

ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ସୁରେଶ କୁମାର କେଟ ଗତ ୨ ତାରିଖ ଦିନ ଏହି ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ, ଯାହାକୁ ସେ ଆଜି ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର