‘ଇଣ୍ଟର୍-କୋରିଆନ୍ ଲିଆସନ୍ ଅଫିସ୍‌’କୁ ଉତ୍ତର କୋରିଆ ଧ୍ବଂସ କରିଛି: ରିପୋର୍ଟ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଉତ୍ତର କୋରିଆ ତା’ର ସୀମାନ୍ତ ପଟକୁ ଥିବା ‘ଇଣ୍ଟର୍-କୋରିଆନ୍ ଲିଆସନ୍ ଅଫିସ୍‌’କୁ ଧ୍ବଂସ କରିଥିବା କଥା ଦକ୍ଷିଣ କୋରିଆ କହିଛି। ଉତ୍ତର କୋରିଆର ପିୟୋଙ୍ଗ୍ୟାଙ୍ଗକୁ ଉଡ଼ନ୍ତା ବେଲୁନ୍ ମାଧ୍ୟମରେ ବିରୋଧୀ ଲିଫ୍‌ଲେଟ୍ ପଠାଇଥିବା କାରଣରୁ ଦକ୍ଷିଣ କୋରିଆ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିକଟରେ ଶାସକ କିମ୍ ଜୋଙ୍ଗ୍-ଉନ୍‌ଙ୍କ ଭଉଣୀ ଧମକ ଦେଇଥିଲେ।

ଦକ୍ଷିଣ କୋରିଆର ୟୁନିଫିକେସନ୍ ମନ୍ତ୍ରାଳୟ ଟେକ୍‌ଷ୍ଟ୍ ମେସେଜ୍‌ରେ କହିଛି ଯେ, ଉତ୍ତର କୋରିଆ ଇଣ୍ଟର୍‌-କୋରିଆ ଲିଆସନ୍ ଅଫିସ୍‌କୁ ଧ୍ବଂସ କରିଛି। ସମ୍ପୃକ୍ତ ଅଞ୍ଚଳରେ ବିସ୍ଫୋରଣ ଶବ୍ଦ ଶୁଭିଥିବା କଥା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।

Image Courtesy of Pittsburgh Post-Gazette

ମଙ୍ଗଳବାର ଦିନ ଉତ୍ତର କୋରିଆର ସୀମାନ୍ତ ସହର କାଏସଙ୍ଗ୍‌ର ଇଣ୍ଡଷ୍ଟ୍ରିଆଲ୍ ପାର୍କ ନିକଟବର୍ତ୍ତୀ ଅଞ୍ଚଳରେ ବିସ୍ଫୋରଣ ଘଟିବା ସହ ଧୂଆଁ ଉଠୁଥିବା ଦେଖାଯାଇଥିଲା ବୋଲି ୟୋନ୍‌ହାପ୍‌ ନିଉଜ୍ ଏଜେନ୍ସି କହିଛି। ଦକ୍ଷିଣ କୋରିଆ ସହ ମିଳିତ ଭାବେ ଏହି ଇଣ୍ଡଷ୍ଟ୍ରିଆଲ୍ ପାର୍କ ନିର୍ମାଣ କରାଯାଇଥିଲା। କିନ୍ତୁ, ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଯୋଗୁଁ ତାହାକୁ ବନ୍ଦ କରି ଦିଆଯାଇଥିଲା। ସିଓଲ୍ ଏବଂ ପିୟୋଙ୍ଗ୍ୟାଙ୍ଗ୍ ମଧ୍ୟରେ ସମ୍ପର୍କ ବଜାୟ ରଖିବା ନିମନ୍ତେ ଦୁଇ ବ‌ର୍ଷ ତଳେ ସେ ପାର୍କରେ ଲିଆଇଜନ୍ ଅଫିସ କରାଯାଇଥିଲା।

ସମ୍ବନ୍ଧିତ ଖବର