ଏଇଟା ୟୁରୋପ୍‌ ନୁହେଁ, ପରିଚ୍ଛନ୍ନ ଓ ଶ୍ୟାମଳ ସିମ୍‌ଲା: ‘ଅତୁଲ୍ୟ ଭାରତ’ର ଫଟୋ ସେୟାର୍‌ କରି କହିଲେ ନର୍‌ୱେର କୂଟନୀତିଜ୍ଞ ଏରିକ୍‌ ସୋଲିମ୍‌

ନୂଆଦିଲ୍ଲୀ: ‘ଅତୁଲ୍ୟ ଭାରତ’ର ମନୋମୁଗ୍ଧକର ସୌନ୍ଦର୍ଯ୍ୟରେ ଅଭିଭୂତ ହୋଇଥିବା ନର୍‌ୱେର କୂଟନୀତିଜ୍ଞ ଏରିକ୍‌ ସୋଲିମ୍‌ ନିକଟ ଅତୀତରେ ସାମାଜିକ ଗଣମାଧ୍ୟମ ଟୁଇଟର୍‌ରେ ସିମ୍‌ଲାର ଗୋଟାଏ ସୁନ୍ଦର ଚିତ୍ର ପୋଷ୍ଟ କରିଛନ୍ତି। ଏହାର ପରିଚୟୋକ୍ତିରେ ସୋଲିମ୍‌ ଲେଖିଛନ୍ତି: ଅତୁଲ୍ୟ ଭାରତ। ଏଇଟା ୟୁରୋପ ନୁହେଁ, ପରିଚ୍ଛନ୍ନ ଓ ଶ୍ୟାମଳ ସିମ୍‌ଲା।

ତାଙ୍କ ଟୁଇଟ୍‌ର ଉତ୍ତର ଦେଇ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ବିଶ୍ବକୁ ଭାରତର ସୌନ୍ଦର୍ଯ୍ୟ ପ୍ରାନ୍ତ ସବୁ ନିରନ୍ତର ଦେଖାଉ ଥିବାରୁ ଆପଣଙ୍କୁ ଧନ୍ୟବାଦ।

ସୂଚନାଯୋଗ୍ୟ, ଟୁଇଟର୍‌ ହ୍ୟାଣ୍ଡଲ୍‌ରେ ନର୍‌ୱେର ଏହି କୂଟନୀତିଜ୍ଞଜଣକ ଭାରତର ବିମୋହିତକାରୀ ତଥା ବିସ୍ମୟକର ସୌନ୍ଦର୍ଯ୍ୟ ଭରା ଫଟୋ ସେୟାର କରି ଆସୁଛନ୍ତି।

Image Courtesy of Zee News

ନିକଟ ଅତୀତରେ ସେ ‘ବିଶ୍ବର ସୁନ୍ଦରତମ ସାଇକେଲ୍‌ ରାସ୍ତା’ କହି କର୍ଣ୍ଣାଟକର ଉଦୁପିରେ ଥିବା ବେଳାଭୂମି ପାର୍ଶ୍ବ ସଡ଼କର ବିହଙ୍ଗମ ଚିତ୍ର ସେୟାର୍‌ କରିଥିଲେ।

ଗତବର୍ଷ ସୋଲିମ୍‌ ‘ଲଦାଖର ମାୟାବିନୀ ରଜନୀ’ ଲେଖି ସୁନ୍ଦର ଫଟୋଟିଏ ସେୟାର୍‌ କରିଥିଲେ।

ଉଲ୍ଲେଖଯୋଗ୍ୟ, ୬୭ ବର୍ଷିୟ ଏରିକ୍‌ ସୋଲିମ୍‌ ହେଉଛନ୍ତି ନର୍‌ୱେର୍‌ କୂଟନୀତିଜ୍ଞ ତଥା ପୂର୍ବତନ ରାଜନୀତିଜ୍ଞ। ୨୦୦୫ରୁ ୨୦୧୨ ପର୍ଯ୍ୟନ୍ତ ସେ ନର୍‌ୱେ ସରକାରରେ ‘ଆନ୍ତର୍ଜାତିକ ବିକାଶ ମନ୍ତ୍ରୀ ଓ ପରିବେଶ ମନ୍ତ୍ରୀ ଥିଲେ। ଏହାଛଡ଼ା, ୨୦୧୬ରୁ ୨୦୧୮ ପର୍ଯ୍ୟନ୍ତ ସେ ଜାତିସଂଘର ‘ଅଣ୍ଡର୍‌-ସେକ୍ରେଟେରି-ଜେନେରାଲ୍‌’ ଏବଂ ଜାତିସଂଘ ପରିବେଶ କାର୍ଯ୍ୟକ୍ରମର କାର୍ଯ୍ୟନିର୍ବାହୀ ନିର୍ଦେଶକ ଥିଲେ।

ସୋଲେମ୍ ‘ସବୁଜ ଦଳ’ର ଜଣେ ସଦସ୍ୟ ମଧ୍ୟ।

ସମ୍ବନ୍ଧିତ ଖବର