ଜଣାଶୁଣା ବଲିଉଡ୍‌ ଗୀତିକାର ତଥା ଊର୍ଦ୍ଦୁ କବି ରାହତ ଇନ୍ଦୋରୀଙ୍କ ପରଲୋକ, କରୋନାରେ ଆକ୍ରାନ୍ତ ଥିଲେ ଇନ୍ଦୋରୀ

ଇନ୍ଦୋର : କରୋନା ଭାଇରସ୍ ପଜିଟିଭ୍‌ ଚିହ୍ନଟ ‌ହୋଇଥିବା ଜଣାଶୁଣା ବଲିଉଡ୍‌ ଗୀତିକାର ତଥା ଊର୍ଦ୍ଦୁ କବି ରାହତ ଇନ୍ଦୋରୀଙ୍କର ମଙ୍ଗଳବାର ହୃଦଘାତରେ ମୃତ୍ୟୁ ଘଟିଛି। ଅସୁସ୍ଥ ରାହତ ଇନ୍ଦୋରୀଙ୍କୁ ଚିକିତ୍ସା ପାଇଁ ଇନ୍ଦୋରର ଅରବିନ୍ଦ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।  ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ସଂଧ୍ୟା ପ୍ରାୟ ୫.୩୦ ସମୟରେ ତାଙ୍କର ପରଲୋକ ହୋଇଥିବା ସୂଚନା ରହିଛି।

ପୂର୍ବରୁ ରାହତ ଇନ୍ଦୋରୀ ସୋସିଆଲ୍‌ ମିଡିଆରେ ଜଣାଇଥିଲେ ଯେ କରୋନାର ପ୍ରାଥମିକ ଲକ୍ଷଣ ଦେଖାଯିବା ପରେ ସେ ପରୀକ୍ଷା କରିଥିଲେ।  ପ୍ରସିଦ୍ଧ କବି ଇନ୍ଦୋରୀ ସୋସିଆଲ୍‌ ମିଡିଆରେ ନିଜ ସ୍ବାସ୍ଥ୍ୟ ସଂପର୍କିତ ପୂରା ତଥ୍ୟ ପ୍ରଦାନ କରିବେ ବୋଲି ନିଜର ପ୍ରଶଂସକମାନଙ୍କୁ ଜଣାଇଥିଲେ।

ସେ ଏକ ଟ୍ବିଟ୍‌ କରି ଲେଖିଥିଲେ, ‘ଗତକାଲି କୋଭିଡ୍ -୧୯ ର ଲକ୍ଷଣ ଦେଖା ଦେବା ପରେ ମୋର କରୋନା ପରୀକ୍ଷା କରାଯାଇଥିଲା, ଯାହାର ରିପୋର୍ଟ ପଜିଟିଭ୍‌ ଆସିଛି। ପ୍ରାର୍ଥନା କରନ୍ତୁ, ମୁଁ ଏହି ରୋଗକୁ ଯଥା ଶୀଘ୍ର ପରାସ୍ତ କରିବି। ଆଉ ଏକ ଅନୁରୋଧ ଅଛି, ମୋତେ କିମ୍ବା ମୋ ଘର ଲୋକଙ୍କୁ କଲ୍‌ କରନ୍ତୁ ନାହିଁ। ଟ୍ୱିଟର ଏବଂ ଫେସବୁକରେ ମୋର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଖବର ପାଇପାରିବେ ।’

ଉଲ୍ଲେଖଯୋଗ୍ୟ, ରାହତ ଇନ୍ଦୋରୀ ଉର୍ଦ୍ଦୁ କବିତାର ଏକ ଜଣାଶୁଣା ବ୍ୟକ୍ତିତ୍ୱ ଥିଲେ ଏବଂ ଅନେକ ବଲିଉଡ ଗୀତ ରଚନା ମଧ୍ୟ କରିଛନ୍ତି। ‘ମୁନ୍ନା ଭାଇ ଏମବିବିଏସ୍’, ‘ମର୍ଡର’ ଆଦି ଚଳଚ୍ଚିତ୍ର ପାଇଁ ମଧ୍ୟ ଗୀତ ରଚନା କରିଛନ୍ତି ସେ।

ସମ୍ବନ୍ଧିତ ଖବର