ବାଂଲାଦେଶୀ ମୁସଲମାନଙ୍କ ଅନୁପ୍ରବେଶ ପ୍ରସଙ୍ଗରେ ସେନାମୁଖ୍ୟଙ୍କ ବୟାନରେ ‘କୌଣସି ରାଜନୀତି ନାହିଁ’: ଭାରତୀୟ ସେନା

ନୂଆଦିଲ୍ଲୀ: ଦେଶର ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ୍‌ ରାଓ୍ଵତ୍‌ଙ୍କ ଏକ ବୟାନକୁ କେନ୍ଦ୍ରକରି ରାଜନୈତିକ ବିତର୍କ ଆରମ୍ଭ ହୋଇଥିବା ବେଳେ, ସେନାମୁଖ୍ୟଙ୍କ ବୟାନକୁ ସମର୍ଥନ ଦେଇଛି ସେନା ବାହିନୀ। ସେନା ମୁଖ୍ୟ ଜେନେରାଲ ବିପିନ୍‌ ରାଓ୍ଵତ୍‌ଙ୍କ ବୟାନରେ ‘କୌଣସି ପ୍ରକାରର ରାଜନୈତିକ ବା ଧାର୍ମିକ କଥା ନାହିଁ’ ବୋଲି କହିଛି ଭାରତୀୟ ସେନା ବାହିନୀ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଏକ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିବା ଅବସରରେ ସେନା ମୁଖ୍ୟ ରାଓ୍ଵତ କହିଥିଲେ ଯେ ଦେଶର ଉତ୍ତର ପୂର୍ବାଞ୍ଚଳରେ ଚୀନ୍‌ ସହାୟତାରେ ପାକିସ୍ତାନ ଭାରତ ବିରୋଧରେ ଛାୟାଯୁଦ୍ଧ ଚଳାଇଥିବା ବେଳେ ବାଂଲାଦେଶୀ ମୁସଲମାନମାନଙ୍କୁ ଦେଶ ଭିତରକୁ ଅନୁପ୍ରବେଶ କରାଉଛି। ଏବଂ ସେମାନଙ୍କୁ ଶରଣାର୍ଥୀ ଭାବେ ଆଶ୍ରୟ ଦେଇ ଅଲ୍‌ ଇଣ୍ଡିଆ ୟୁନାଇଟେଡ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ (ଏଆଇଡିୟୁଏଫ୍‌) ନିଜର ରାଜନୈତିକ ଶକ୍ତି ବୃଦ୍ଧି କରୁଛି। ଏବଂ ଏହି କାରଣ ଯୋଗୁଁ ଆସାମର ଅନେକ ଜିଲ୍ଲାରେ ମୁସଲମାନମାନଙ୍କର ସଂଖ୍ୟାରେ ଦ୍ରୁତ ବୃଦ୍ଧି ଘଟିଚାଲିଛି।

ତେବେ, ସେନା ମୁଖ୍ୟଙ୍କର ଏପ୍ରକାର ବୟାନର ତୀବ୍ର ବିରୋଧ କରିଥିଲେ ଏଆଇଡିୟୁଏଫ୍‌ ସଭାପତି ବାଦ୍‌ରୁଦ୍ଦିନ୍‌ ଆଜ୍‌ମଲ। ସେ କହିଥିଲେ ଯେ ଏପରି ବୟାନବାଜି କରି ସେନାମୁଖ୍ୟ ହୀନ ରାଜନୀତି କରୁଛନ୍ତି, ହେଲେ ସେ ଜାଣି ରଖିବା ଉଚିତ୍‌ ଯେ ଏ ପ୍ରକାରର ରାଜନୀତି କରିବା ପାଇଁ ତାଙ୍କର କୌଣସି ପ୍ରକାରର ସାମ୍ବିଧାନିକ ଅଧିକାର ନାହିଁ। ଏଆଇଡିୟୁଏଫ୍‌ ସଭାପତି ବାଦ୍‌ରୁଦ୍ଦିନ୍‌ ଆଜ୍‌ମଲଙ୍କ ଏ ପ୍ରକାର ପ୍ରତିକ୍ରିୟା ପରେ ଏହି ଘଟଣାକୁ କେନ୍ଦ୍ର କରି ବିତର୍କ ଆରମ୍ଭ ହୋଇ ଯାଇଥିଲା।

ଏହି ପରିପ୍ରେକ୍ଷୀରେ ଭାରତୀୟ ସେନା ପକ୍ଷରୁ ଆଜି କୁହାଯାଇଛି, ‘ସେନା ମୁଖ୍ୟଙ୍କର ଏହି ବୟାନରେ କୌଣସି ରାଜନୀତି କିମ୍ବା ଧାର୍ମିକତା ନାହିଁ। ଉତ୍ତର- ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ବିକାଶ ସଂପର୍କରେ ଡିଆରଡିଓ ଭବନ ଠାରେ ୨୧ ତାରିଖରେ ଆୟୋଜିତ ଏକ ଆଲୋଚନାଚକ୍ରରେ ଅଂଶ ଗ୍ରହଣ କରିବା ଅବସରରେ ସେନା ମୁଖ୍ୟ ନିଜସ୍ୱ ମତ ରଖିଥିଲେ।

ସମ୍ବନ୍ଧିତ ଖବର